ନୂଆଦିଲ୍ଲୀ ୨୯/ ୦୯: କଂଗ୍ରେସ ସହ ଲଢିବ କଂଗ୍ରେସ । ଶଶି ଥରୁର୍ଙ୍କୁ ଚେକ୍ ଦେବେ ଭେଟେରାନ୍ ଦିଗବିଜୟ ସିଂହ । ଲୋକତାନ୍ତ୍ରିକ ନିର୍ବାଚନ ନୁହେଁ, ଦଳୀୟ ଅଧ୍ୟକ୍ଷ ପଦବୀ ପାଇଁ ମୁହାଁମୁହିଁ ହେବେ ଦୁଇ ହେଭିଓ୍ବେଟ୍ । ପୂର୍ବରୁ ଶଶି ଥରୁର୍ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ସହିତ ସେପ୍ଟେମ୍ବର ୩୦ରେ ନାମାଙ୍କନ ଭରିବେ ବୋଲି କହିଥିଲେ । ଏବେ ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ବାହାରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ଏ ନେଇ ନିଜେ ଦିଗବିଜୟ ସିଂହ ସୂଚନା ଦେଇଛନ୍ତି ।
ଦିଗବିଜୟ କହିଛନ୍ତି, 'କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଫର୍ମ ନେବାକୁ ଆସିଥିଲି ଏବଂ ଆସନ୍ତାକାଲି ନୋମିନେସନ୍ ଭରିବି'। ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରୋମାଞ୍ଚକର ହେବାକୁ ଯାଉଛି । କାରଣ ନିର୍ବାଚନୀ ମୈଦାନରେ ଏବେ ଏକାଧିକ ପ୍ରାର୍ଥୀ । ଅଶୋକ ଗେହଲଟ, ଶଶି ଥରୁର୍ଙ୍କ ପରେ ଏବେ ଦିଗବିଜୟ ସିଂହଙ୍କ ନାଁ ଚର୍ଚ୍ଚାର ପରିସର ମଧ୍ୟକୁ ଆସିସାରିଛି ।
ପୂର୍ବରୁ କେବଳ ଶଶି ଥରୁର୍ ହିଁ ପ୍ରାର୍ଥୀ ହେବାକୁ ଘୋଷଣା କରିଥିଲେ । ଏବେ ଦିଗବିଜୟ ମଧ୍ୟ ରେସ୍ରେ ସାମିଲ ହୋଇଛନ୍ତି । ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି । ଯଦି ଏକାଧିକ ପ୍ରାର୍ଥୀ ନୋମିନେସନ୍ ଭରନ୍ତି ତେବେ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୯ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି ମତଦାନ କରିବେ । ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେତେବେଳେ ବରିଷ୍ଠ ରାଜନେତା ସୀତାରାମ କେଶରୀଙ୍କ ପରେ ସୋନିଆ ଗାନ୍ଧି ଦଳର ମଙ୍ଗ ଧରିଥିଲେ । ଏହା ପରଠାରୁ ଗାନ୍ଧି ପରିବାର ମଧ୍ୟରେ ରହିଥିଲା ଅଧ୍ୟକ୍ଷ ଆସନ ।