ନୂଆଦିଲ୍ଲୀ,୨୦/୧୦: ପାଖେଇ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏନେଇ ନିର୍ବାଚନ କମିଶନ ମତଦାନ ତାରିଖ ଘୋଷଣା କରିବା ପରେ ବଢ଼ିଲାଣି ରାଜନୈତିକ ଉସ୍ମତା । ସିଟ୍ ସେୟାରିଂ ନେଇ ବିଭିନ୍ନ ରାଜନୈତିକ ପାର୍ଟିମାନେ କସରତ ଆରମ୍ଭ କରି ଦେଲେଣି । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏନ୍ଡିଏର ମେଣ୍ଟ ମଧ୍ୟରେ ସିଟ୍ ଭାଗବଣ୍ଟା ହୋଇଛି ।
ତେବେ ସୂଚନା ମୁତାବକ, ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୫୫, ଶିବସେନା ଶିନ୍ଦେ ଗୋଷ୍ଠୀ ୭୮ ଏବଂ ଏନ୍ସିପି ଅଜିତ୍ ପାୱାରଙ୍କ ଗୋଷ୍ଠୀ ୫୫ଟି ଆସନରେ ନିଜର ପ୍ରାର୍ଥୀ ଦେବ । ଛୋଟ ଦଳଗୁଡିକୁ ମଧ୍ୟ କିଛି ଆସନ ଦେବା ଲାଗି ବୈଠକରେ ସହମତି ହୋଇଛି । ଛୋଟ ଦଳଗୁଡ଼ିକୁ ବିଜେପି ନିଜ କୋଟାରୁ ଆସନ ଦେବ । କୌଣସି ଦଳ ନିକଟରେ ଜିତିବା ଭଳି ପ୍ରାର୍ଥୀ ନଥିଲେ ୫ଟି ସ୍ଥାନରେ ପ୍ଲସ୍-ମାଇନସ୍ ହୋଇପାରେ । କିଛି ଆସନକୁ ନେଇ ତିନି ଦଳ ମଧ୍ୟରେ ସାମାନ୍ୟ ସମସ୍ୟା ଥିବାବେଳେ ଶାହଙ୍କ ନିର୍ଦ୍ଦେଶ ପରେ ତାକୁ ରାଜ୍ୟ ସ୍ତରରେ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିଭଳି ବିଜେପି, ଏନ୍ସିପି ଓ ଶିବସେନା କିଛି ଆସନ ବଦଳାଇବା ନେଇ ମଧ୍ୟ ନିର୍ଣ୍ଣୟ ନେଇଛନ୍ତି । ଦିଲ୍ଲୀରେ ଅମିତ୍ ଶାହଙ୍କ ସହିତ ସାକ୍ଷାତ ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଓ ଅଜିତ୍ ପାୱାର ମହାରାଷ୍ଟ୍ର ଫେରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଦେ ଅଦ୍ୟାବଧି ଦିଲ୍ଲୀରେ ଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଫଳାଫଳ ସାମ୍ନାକୁ ଆସିବ ।