ଭୁବନେଶ୍ୱର, ୨୨।୫ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ବିବାଦର ଆପୋଷ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କୁ ପରାମର୍ଶ ଦେଇଥିଲେ।
ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲୋକସେବା ଭବନରେ ସାକ୍ଷାତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ବିବାଦର ଆପୋଷ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ। ଦୁଇ ରାଜ୍ୟ ପରସ୍ପରର ପଡ଼ୋଶୀ ରାଜ୍ୟ । ଉଭୟ ରାଜ୍ୟ ମଧ୍ୟରେ ଭାଷା ଓ ଭାବଗତ ସାମଞ୍ଜସ୍ୟ ମଧ୍ୟ ରହିଛି । ଉଭୟ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହାର ତୁରନ୍ତ ସମାଧାନ ହେବା ଆବଶ୍ୟକ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଏହା ଉପରେ ସକାରାତ୍ମକ ମତାମତ ପ୍ରକାଶ କରି କହିଥିଲେ ଯେ, ସେ ସଦାସର୍ବଦା ଆପୋଷ ସମାଧାନ ସପକ୍ଷରେ ଅଛନ୍ତି। ଆଲୋଚନା ଜରିଆରେ ଏହି ସମସ୍ୟାର ଉପଯୁକ୍ତ ସମାଧାନ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବିଷୟ ଉପରେ ଗୁରୁତ୍ୱ ଦେଇ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାସ୍ତା ବାହାର କରିବାକୁ ଏକମତ ହୋଇଛନ୍ତି।