ଫୁଲବାଣୀ,୨୮/୭: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ତତ୍କାଳୀନ ଅଧ୍ୟକ୍ଷ ସରୋଜକାନ୍ତ ରାୟ। ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନା ଅନୁଯାୟୀ, ଗତ ୨୦୧୧ ମସିହାରେ ଶ୍ରୀ ରାୟ ସ୍ଥାନୀୟ ସରକାରୀ ଆଇଟିଆଇର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୨୬/୨୦୧୧ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଶ୍ରୀ ରାୟଙ୍କ ସମୂଦାୟ ସମ୍ପତ୍ତିର ପରିମାଣ ୩୯,୭୮,୪୦୭ ଟଙ୍କା ଥିବା ଜଣାପଡିଥିଲା। ଯାହାକି ତାଙ୍କ ପ୍ରକୃତ ଆୟଠାରୁ ଶତକଡା ୬୭ ଭାଗ ଅଧିକ ବୋଲି ଆକଳନ କରିଥିଲା ଭିଜିଲାନ୍ସ ବିଭାଗ। 

ଆଜି ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ରାଜେଶ ଦାଶ ୪୭ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ତଥ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଶ୍ରୀ ରାୟ ବର୍ତ୍ତମାନ ଢେଙ୍କାନାଳ ସରକାରୀ ପଲିଟେକନିକରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ମାମଲାଟିକୁ ସ୍ୱତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ।