ବଡବିଲ, ୧୧।୬ : ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତର ଫୁଲୱାଡ଼ି ମୁଣ୍ଡାସାହି ଖେଳ ପଡ଼ିଆ ନିକଟସ୍ଥ ଜଙ୍ଗଲର ଏକ ଖାଲରୁ ଗତ ମଙ୍ଗଳବାର ଯୁବକର କ୍ଷତାକ୍ତ ମୃତଦେହ ମିଳିବା ଘଟଣାର ପୁଲିସ ପର୍ଦ୍ଦଫାସ କରିଛି। ମୃତ ଯୁବକ ଜଣକ ହେଲେ ହୁଡ଼ି ସାହିର ବାଦଲ ସିଂ ଓରଫ୍ ହାତୀ । ହତ୍ୟା କାଣ୍ଡରେ ସଂପୃକ୍ତ ଯୋଡ଼ା ଥାନା କଳାପାହାଡ଼ ଅଞ୍ଚଳର ଜଣେ ନାବାଳକ ଓ ଅଭିଯୁକ୍ତ ସଞ୍ଜୟ ମୁଣ୍ଡା ବଡ଼ବିଲ ପୋଲିସ୍ ହାତରେ ଧରାପଡିଛନ୍ତି। ଚୋରି ଓ ଲୁଟ୍ ଟଙ୍କା ଭାଗ ବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ଗୁରୁବାର ଏକ ପ୍ରେସ୍ ମିଟରେ ସୂଚନା ଦେବା ସହ ପୂରା ଘଟଣାର ଖୁଲାସା କରିଛନ୍ତି ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ।
ପୁଲିସ ସୂଚନା ଅନୁଯାୟୀ, ଦୁଇ ଅଭିଯୁକ୍ତ ଏବଂ ମୃତକ ଛୋଟ ମୋଟ ଧରଣର ବିଭିନ୍ନ ଲୁଟ୍ ଏବଂ ଚୋରି ଘଟଣା ଭିଆଇ ଥାଆନ୍ତି। ନାବାଳକ ଅଭିଯୁକ୍ତ ଜଣକ ମୃତକର ଏକ ମୋବାଇଲ୍ ଫୋନ୍ ନେଇ ଫେରାଉ ନଥିଲେ ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ତେବେ ପରେ ନାବାଳକ ଫୋନ୍ କୁ ଫେରାଇ ଦେଇଥିଲେ ଗତ ସୋମବାର୍ ସନ୍ଧ୍ୟାରେ ତିନି ଜଣ ଯାକ ଚାଲି ଚାଲି ଯାଇ ଫୁଲୱାଡ଼ି ମୁଣ୍ଡାସାହି ଖେଳ ପଡ଼ିଆରେ ପହଞ୍ଚି ଥିଲେ । ସେଠାରେ ମଦ, ଗଞ୍ଜେଇ ନିଶ ସେବନ ପରେ ସେମାନଙ୍କ ମଧ୍ୟରେ ଟଙ୍କା ଭାଗ ବଣ୍ଟାକୁ ନେଇ ବଚସା ହୋଇଥିଲା । କିଛି ସମୟ ପରେ ଅତ୍ୟଧିକ ନିଶାଗ୍ରସ୍ତ ହୋଇ ମୃତକ ଶୋଇପଡ଼ିବା ପରେ ଅଭିଯୁକ୍ତ ନାବାଳକ ଏବଂ ଅଭିଯୁକ୍ତ ସଞ୍ଜୟ ମୁଣ୍ଡା ଏକ ପଥର ନେଇ ମୃତକର ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଫଳରେ ତାଙ୍କର ସେହିଠାରେ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଭିଆଇବା ପରେ ଉଭୟ ମୃତଦେହକୁ ପ୍ରାୟ ୩୦ ମିଟର୍ ପର୍ଯ୍ୟନ୍ତ ଘୋଷାରି ନେଇ ଜଙ୍ଗଲରେ ଥିବା ଏକ ଖାଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ।
ଏହି ଘଟଣାର ପରଦିନ ଅର୍ଥାତ୍ ମଙ୍ଗଳବାର, ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ, ବଡ଼ବିଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ ପାଇଁ ଅପରାଧ୍ ସ୍ଥଳକୁ କର୍ଡନ୍ କରି ରଖିବା ସହିତ ଅପରାଧୀଙ୍କୁ ଧରିବା ପାଇଁ ସ୍ନିଫର୍ ଡଗ୍ ଏବଂ ଫରେନ୍ସିକ୍ ଟିମ୍ର ସାହାଯ୍ୟ ନେଇଥିଲା । ବୁଧବାର ପୋଲିସକୁ ମୃତ ଯୁବକର ପରିଚୟ ମିଳିଥିଲା । ମୃତକ ହେଉଛି ଯୋଡ଼ା ହୁଡ଼ି ସାହିର ବାଦଲ ସିଂ ଓରଫ୍ ହାତୀ । ମୃତକର ବାପା ମାଆ ମୃତଦେହ ଚିହ୍ନଟ କରିବା ପରେ ପରିଚୟ ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତ ସଞ୍ଜୟ ମୁଣ୍ଡା ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକକୁ କେନ୍ଦୁଝର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ କୋର୍ଟରେ ହାଜର କରାଯିବ ବୋଲି ପୋଲିସ୍ କହିଛି ।
ଆହୁରି ପଢନ୍ତୁ : ମାଡ଼ ମାରି କୂଅରେ ପକାଇ ଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଯୁବକ ଜୀବନ୍ତ ଉଦ୍ଧାର