ଲାଓସ/ନାମ୍ ପେନ୍,୨୫/୧୨: ଥାଇଲାଣ୍ଡ ଓ କମ୍ବୋଡିଆ ସୀମାରେ ଥାଇ ସେନା ଭଗବାନ ବିଷ୍ଣୁଙ୍କର ଏକ ବିଶାଳ ମୂର୍ତ୍ତିକୁ ଭାଙ୍ଗିଦେଇଛି । ଏହାକୁ ନେଇ ବିବାଦ ଉପୁଜିଛି । ଖବର ମୁତାବକ, ଥାଇ ସୈନିକମାନେ ବୁଲ୍ଡୋଜର ଚଳାଇ ମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି । କମ୍ବୋଡିଆ ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛି, ମୂର୍ତ୍ତି ଆମ ଅଞ୍ଚଳରେ ରହିଥିଲା । କିନ୍ତୁ ଥାଇଲାଣ୍ଡ ତାହାକୁ ବେଆଇନ ଭାବେ ଭାଙ୍ଗିଦେଇଛି । କମ୍ବୋଡିଆର ପ୍ରୀହ ବିହାର ପ୍ରଦେଶର ସରକାରୀ ମୁଖପାତ୍ର କିମ୍ ଚାନପନହା କହିଛନ୍ତି, ଏହି ମୂର୍ତ୍ତିକୁ ୨୦୧୪ରେ ଥାଇଲାଣ୍ଡ ସୀମାଠାରୁ ପ୍ରାୟ ୧୦୦ ମିଟର ଦୂରରେ ନିର୍ମାଣ କରାଯାଇଥିଲା । କମ୍ବୋଡିଆରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିକୁ ଭଙ୍ଗାଯିବା ଘଟଣାକୁ ଭାରତ ଗଭୀର ନିନ୍ଦା କରିଛି ।
ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସମଗ୍ର ଅଞ୍ଚଳରେ ଉଭୟ ହିନ୍ଦୁ ଓ ବୌଦ୍ଧ ଦେବଦେବୀଙ୍କ ପ୍ରତି ଲୋକଙ୍କ ପ୍ରଗାଢ଼ ଭକ୍ତି ରହିଛି । ସଭ୍ୟତାଗତ ଐତିହ୍ୟର ଏହା ଅଂଶବିଶେଷ । ବିଷ୍ଣୁ ମୂର୍ତ୍ତି ସଦ୍ୟ ନିର୍ମାଣ ହୋଇଥିଲା । ସୀମାକୁ ନେଇ ବିବାଦ ଥିଲେ ମଧ୍ୟ ଏଭଳି କରାଯିବା ଉଚିତ ନ ଥିଲା । ଏହି କାର୍ଯ୍ୟକଳାପ ବିଶ୍ୱବ୍ୟାପୀ ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏଥିସହିତ ଦୁଇଦେଶ ଶାନ୍ତିପୂର୍ଣ୍ଣ ତରିକାରେ ବିବାଦର ସମାଧାନ ଲାଗି ଜୟସ୍ୱାଲ ପରାମର୍ଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ଗତ ୬ ମାସ ହେଲା ପ୍ରୀହ ବିହାର ମନ୍ଦିର ଅଞ୍ଚଳକୁ ନେଇ ବିବାଦ ଲାଗିରହିଛି । ଜୁନ୍ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବି ହୋଇଥିଲା । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ପରେ ଯୁଦ୍ଧବିରତି ହୋଇଥିଲା ।