ମାଲକାନଗିରି, ୨୧/୧୧ : ବିଶିଷ୍ଟ ରାଜନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଯାଇଛି । ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ବଙ୍ଗାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଶୁଶ୍ରୀ ପ୍ରମିଳା ମାଝୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାରାଣୀ ଦାସ ଓ ପ୍ରମିଳା ଦେବୀ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ଉତ୍କଳ କେଶରୀ ଡ. ହରେ କୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଡ. ମହତାବ ଏକାଧାରରେ ଗାନ୍ଧି ବାଦୀ, ସ୍ଵାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, କୂଟନୀତିଜ୍ଞ, ଐତିହାସିକ, ଶିଶୁ ସାହିତ୍ୟିକ, ଔପନ୍ୟାସିକ, କବି, ନାଟ୍ୟକାର, ପ୍ରାବନ୍ଧିକ, ନିର୍ଭିକ କରିତ୍କର୍ମା ଓ ନବ ଉତ୍କଳର ନିର୍ମାତା ଥିଲେ । ତାଙ୍କର ତ୍ୟାଗ, ତିତିକ୍ଷା ଓ ସେବା ଜାତି ତଥା ଦେଶ ପାଇଁ ଅବିସ୍ମରଣୀୟ ମହାନ୍ ଦାନ । ଉତ୍କଳଭୂମିର ଅନ୍ୟତମ ବରପୁତ୍ର ଓ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ସ୍ୱର୍ଗତ ଡକ୍ଟର ହରେକୃଷ୍ଣ ମହତାବ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲ ମଣିଷ ହେବା ପାଇଁ ମଞ୍ଚସିନ ଅତିଥି ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ଛାତ୍ରୀ ଆଞ୍ଜଳି ପଡିଆମୀ ଓ ଭଗବତୀ କବାସୀ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଥିଲେ। ଏହି ଅବସର ରେ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ।