କୁକୁଡା ରାବ ଯୋଗୁଁ ଶୋଇପାରିଲେନି ଡାକ୍ତର, ଥାନାରେ ଦେଲେ ଅଭିଯୋଗ

ନୂଆଦିଲ୍ଲୀ ୨୯/୧୧: ଦିନ ଥିଲା କୁକୁଡା ରାବରେ ଲୋକମାନେ ସକାଳୁ ଉଠିପଡୁଥିଲେ । ଏବେ କିନ୍ତୁ ଲୋକମାନେ ମୋବାଇଲରେ ଆଲାର୍ମ ଦେଇ ଉଠୁଛନ୍ତି । ତେବେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସେହି କୁକୁଡା ରାବ ଏବେ ଚିନ୍ତାର କାରଣ ପାଲଟିଛି । କେବଳ ସେତିକି ନୁହେଁ, କୁକୁଡା ରାବ ଯୋଗଁ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ହେଉଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
ମଧ୍ୟ ପ୍ରଦେଶରେ ଇନ୍ଦୋରରେ ପଲାସିୟା ଥାନା ଅଞ୍ଚଳରେ ଡ. ଆଲୋକ ମୋଦି ରୁହନ୍ତି । ସେ କୁକୁଡା ରାବ ଯୋଗୁଁ ବିରକ୍ତ ହୋଇ ପଲାସିୟା ଥାନାରେ ଅଭିଯୋଗ କରାଇଛନ୍ତି । ସେ ନିଜ ଅଭିଯୋଗରେ କହିଛନ୍ତି କି ‘ତାଙ୍କ ଘର ପାଖରେ ଜଣେ ମହିଳା ରୁହନ୍ତି । ସେ ଅନେକ କୁକୁଡା ପାଲିଛନ୍ତି । ପ୍ରତିଦିନ ସେମାନେ ବୋବାଉଛନ୍ତି । ଏଥିଯୋଗୁଁ ତାଙ୍କ ନିଦ ଭାଙ୍ଗି ଯାଉଛି ।’
ସେ ନିଜ ଅଭିଯୋରେ କହିଛନ୍ତି କି ଅନେକ ଥର ଅପରେସନ ଯୋଗୁଁ କିମ୍ବା ଅଧିକ ରୋଗୀ ଯୋଗୁଁ ସେ ବିଳମ୍ବରେ ଘରକୁ ଆସନ୍ତି । କିନ୍ତୁ ସକାଳ ୫ଟାରେ କୁକୁଡା ରାବ ଦେବା ଆରମ୍ଭ କରେ । ଯାହା ଫଳରେ ସେ ଠିକ ଭାବେ ଶୋଇପାରନ୍ତି ନାହିଁ । ନିଦ ଠିକ୍ ନହେବା ଯୋଗୁଁ ସେ ମାନସିକ ଚାପରେ ରୁହନ୍ତି । ଏଥିପାଇଁ ସେ ଥାନାରେ ଅଭିଯୋଗ କରି ନିବେଦନ କରିଛନ୍ତି କି ତାଙ୍କ ସମସ୍ୟାର ସମାଧାନ କରାଯାଉ । ଅନ୍ୟପଟେ ପୋଲିସର କହିବାନୁସାରେ ଡାକ୍ତରଙ୍କ ଅଭିଯୋଗ ମିଳିଛି । ଏଥିରେ ସମାଧାନ ପାଇଁ ଚେଷ୍ଟା କରାଯାଉଛି ।