ଲକ୍ଷ୍ନୌ, ୧୮|୦୧: ପଶୁ ହେଲେବି ଭଗବାନଙ୍କ ଉପରେ ଭରସା ରହିଛି । ତେଣୁ ଭାରତରେ ଈଶ୍ୱରଙ୍କ ଉପରେ ଆସ୍ଥା ଓ ବିଶ୍ୱାସର କାହାଣୀ ସର୍ବଦା ଚର୍ଚ୍ଚାର ଶିଖରରେ ରହିଛି । ଉତ୍ତରପ୍ରଦେଶର ବିଜନୋରର ଏକ ସଦ୍ୟ ଘଟଣା ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାଇରାଲ ହେଉଥିବା ଭିଡିଓରେ ଏକ କୁକୁର ହନୁମାନ ମୂର୍ତ୍ତିକୁ ବାରମ୍ବାର ପରିକ୍ରମା କରୁଥିବା ଦେଖିବାକୁ ମିଳିଛି । ଥରେ କି ଦୁଇ ଥର ନୁହେଁ, ୩୬ ଘଣ୍ଟାରୁ ଅଧିକ ସମୟ ଧରି ହନୁମାନଙ୍କ ଚତୁଃପାଶ୍ୱର୍ରେ ପରିକ୍ରମା କରିଛି । ଥକି ପଡ଼ିଲେ କିଛି ସମୟ ଆରାମ କରି ପୁଣି ଥରେ ପରିକ୍ରମା କରୁଥିବାର ଏହି ଦୃଶ୍ୟ ଲୋକଙ୍କ ନଜରରେ ପଡ଼ିବା ପରେ ସେଠାରେ ପ୍ରବଳ ଭିଡ଼ ଜମିଛି । ଲୋକେ ଏହାକୁ ‘ଚମତ୍କାର’ ବୋଲି କହିଛନ୍ତି ।

​​​​​​​

ଭିଡିଓର କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ‘ବିଜ୍‌ନୋରରେ ନାଗିନା ନାମକ କୁକୁର ଗତ ୩୬ ଘଣ୍ଟା ଧରି ହନୁମାନଙ୍କ ମୂର୍ତ୍ତିକୁ ପରିକ୍ରମା କରୁଛି । ଏହି ଅଲୌକିକ ଦୃଶ୍ୟକୁ ଦେଖିବା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଛି ।’ କିଛି ଏହାକୁ ଆସ୍ଥାର ଉଦାହରଣ ବୋଲି କହିଛନ୍ତି । କିଛି ଲୋକ କୁକୁରକୁ ପୂଜା କରୁଥିବାର ଦେଖିବାକୁ ମିଳିଥିବା ବେଳେ କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ଅନ୍ୟପକ୍ଷେ, ଆଉ କିଛି କହିଛନ୍ତି, କୁକୁରଟି କୌଣସି ରୋଗରେ ସଂକ୍ରମିତ ହୋଇଛି । ରୋଗ ମସ୍ତିଷ୍କ ସହିତ ଜଡ଼ିତ ଥିବାରୁ କୁକୁରଟି ଅଜବ ଧରଣର ହରକତ କରୁଛି । ତେଣୁ ତା’ର ଚିକିତ୍ସାର ଆବଶ୍ୟକତା ରହିଛି ବୋଲି କିଛି ଲୋକ କହିଛନ୍ତି ।