ନୂଆଦିଲ୍ଲୀ,୧୧/୧୦: ନୋବେଲ ଶାନ୍ତି ପୁରସ୍କାର ନମିଳିବାରୁ ହତାଶ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଗରେ ଚୀନ ଉପରେ ଆକ୍ରମଣାତ୍ମକ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି । ଚୀନ୍ ଉତ୍ପାଦ ଉପରେ ଅତିରିକ୍ତ ୧୦୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଟ୍ରମ୍ପ । ଫଳରେ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ତେଜିଛି । ଏହାର ପ୍ରଭାବ ବିଶ୍ୱ ବଜାରରେ ଦେଖିବାକୁ ମିଳିଛି । ନଭେମ୍ବର ୧ରୁ ଲାଗୁ ହେବ ଏହି ଶୁଳ୍କ । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଚୀନ ଉପରେ ଆମେରିକାର ମୋଟ ଟାରିଫ୍ ପ୍ରାୟ୧୪୦ରେ ପହଞ୍ଚିବ । ଟ୍ରମ୍ପଙ୍କ ଏହି ଘୋଷଣା ପରେ ବିଶ୍ୱ ବଜାରରେ ହଲଚଲ ଦେଖିବାକୁ ମିଳିଛି । ୨.୫ ପ୍ରତିଶତ ସେୟାର ଖସିଛି
ଟ୍ରମ୍ପ ଅଭିଯୋଗ, ଚୀନ ବିଶ୍ୱ ଅର୍ଥନୀତିକୁ ବନ୍ଧକ ରଖିଛି- ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ପୋଷ୍ଟ କରି ଚୀନ ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଛନ୍ତି । ସେ ଲେଖିଛନ୍ତି, ଚୀନ୍ ଆକ୍ରମଣାତ୍ମକ ବାଣିଜ୍ୟିକ ମନୋଭାବ ଗ୍ରହଣ କରିଛି, ଯାହା ସମସ୍ତ ଦେଶକୁ ପ୍ରଭାବିତ କରିବ । ଚୀନ ଏହାର ଅଧିକାଂଶ ଉତ୍ପାଦ ଉପରେ ରପ୍ତାନି କଟକଣା ଲଗାଇବାକୁ ଯୋଜନା କରୁଛି, ଯାହା ବିଶ୍ୱ ବଜାରରେ ଅସନ୍ତୁଳନ ସୃଷ୍ଟି କରୁଛି । ଏହାର ଜବାବରେ ଆମେରିକା ଏବେ ସମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଭେମ୍ବର ପହିଲାଠାରୁ ଚୀନ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲାଗୁ କରିବୁ । ଏହା ସେମାନଙ୍କର ବର୍ତ୍ତମାନ ଶୁଳ୍କ ସହିତ ଅତିରିକ୍ତ ହେବ ।
ଟ୍ରମ୍ପଙ୍କ ଶୁଳ୍କର କ’ଣ ହେବ ପ୍ରଭାବ ? ଶୁଳ୍କ ହେଉଛି ଏକ ଦେଶ ଦ୍ୱାରା ଆମଦାନୀ ସାମଗ୍ରୀ ଉପରେ ଲାଗୁ କରାଯାଇଥିବା ଟିକସ । ଯେତେବେଳେ କୌଣସି ବିଦେଶୀ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରାଯାଏ, ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଏ । ଏହା ବିଦେଶୀ ସାମଗ୍ରୀର ଚାହିଦା ହ୍ରାସ କରେ ଏବଂ ଘରୋଇ ଶିଳ୍ପଗୁଡ଼ିକୁ ଲାଭ ଦିଏ । ଟ୍ରମ୍ପଙ୍କ ପଦକ୍ଷେପର ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିପାରେ । ଆମେରିକାରେ ଉପଭୋକ୍ତା ସାମଗ୍ରୀ ଅଧିକ ମହଙ୍ଗା ହେବ । ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍, ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରିକ୍ ଯାନ (EVs) ଭଳି କ୍ଷେତ୍ରଗୁଡ଼ିକରେ ମୂଲ୍ୟ ବୃଦ୍ଧି ପାଇପାରେ । ଏହା ବ୍ୟତୀତ, ଆମେରିକା ଏବଂ ଚୀନ୍ ମଧ୍ୟରେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇପାରେ ।
ଟାରିଫ୍ ବିବାଦ ଭିତରେ ନୂଆ ନିଷ୍ପତ୍ତି ନେଇଛି ଚୀନ । ଯେସାକୁ ତେସା ନୀତି ଆପଣେଇ ଆମେରିକା ଦ୍ୱାରା ନିର୍ମିତ ଓ ପରିଚାଳିତ ଜାହାଜଗୁଡ଼ିକ ଉପରେ ଚୀନର ସ୍ପେସାଲ ପୋର୍ଟ ଫି ବା ସ୍ୱତନ୍ତ୍ର ବନ୍ଦର ଫି ଲଗାଇଛି । ଆମେରିକାର ଜାହାଜଗୁଡ଼ିକ ଚୀନର ବନ୍ଦର ବ୍ୟବହାର କଲେ ଏହି ଫି ଦେବାକୁ ପଡ଼ିବ । ଏହା ଅକ୍ଟୋବର ୧୪ରୁ କାର୍ଯ୍ୟକାରୀ କରିବା ପାଇଁ ଚୀନ ଘୋଷଣା କରିଛି । ଜାହାଜଗୁଡ଼ିକ ଟନ୍ ପିଛା ୪ ଶହ ୟୁଆନ ବା ୫୬ ଡଲାର ଦେବେ । ବର୍ଷକୁ ବର୍ଷ ଏହି ଫି ବଢ଼ିବ । ଫି' ଲଗାଇବା ସହିତ ଚୀନ କହିଛି, ଆମେରିକା ନିଜ ତ୍ରୁଟି ପ୍ରଥମେ ସଂଶୋଧନ କରିବା ଆବଶ୍ୟକ ।