ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧଗ୍ରସ୍ତ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କ ଯୋଜନାକୁ ବିଶ୍ୱବ୍ୟାପୀ ସମର୍ଥନ ମିଳିଥିବାରୁ ଏବେ ନିଜକୁ ଉତ୍ସାହିତ ମନେ କରୁଛନ୍ତି । ହ୍ୱାଇଟ୍ ହାଉସ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ଭାବରେ ବର୍ଣ୍ଣନା କରିଛି। ଆମେରିକା ପ୍ରଶାସନ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନାକୁ ସମର୍ଥନ କରିଥିବା ଦର୍ଶାଇଛି । ହ୍ୱାଇଟ୍ ହାଉସ ଦାବି କରିଛି ଯେ, ବିଶ୍ୱ ଏହି ଯୋଜନାକୁ ଏକ ଖେଳ ପରିବର୍ତ୍ତନକାରୀ (ଗେମ୍ ଚେଞ୍ଜର) ଭାବରେ ଦେଖୁଛି।
ହ୍ୱାଇଟ୍ ହାଉସ ବୁଧବାର ଏକ ବିବୃତ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ, ଟ୍ରମ୍ପଙ୍କ ଯୋଜନା ବର୍ଷ ବର୍ଷ ଧରି ଚାଲିଥିବା ବିନାଶକାରୀ ଯୁଦ୍ଧ ପରେ ଏକ ସମ୍ଭାବ୍ୟ ମୋଡ଼କୁ ପ୍ରତିନିଧିତ୍ୱ କରୁଛି। ବିଶ୍ୱର ଅନେକ ଦେଶ ମାନେ ଟ୍ରମ୍ପଙ୍କ ଯୋଜନାକୁ "ଖେଳ ପରିବର୍ତ୍ତନକାରୀ" ଭାବରେ ବର୍ଣ୍ଣନା କରିଛନ୍ତି। ଏହି ଯୋଜନା ଯୁଦ୍ଧର ତୁରନ୍ତ ଅନ୍ତ, ସମସ୍ତ ବନ୍ଧକଙ୍କ ମୁକ୍ତି ଏବଂ ନିରନ୍ତର ମାନବିକ ସହାୟତା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହାର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ଗାଜାକୁ ସମୃଦ୍ଧି ଏବଂ ସ୍ଥାୟୀ ଶାନ୍ତିର ପ୍ରତୀକ କରିବା।
ଆମେରିକି ପ୍ରଶାସନ କହିଛି ଯେ ଆରବ ଦେଶ ଠାରୁ ଆରମ୍ଭ କରି ପଶ୍ଚିମ ରାଷ୍ଟ୍ର ପର୍ଯ୍ୟନ୍ତ ନେତାମାନେ ଏହି ଯୋଜନାକୁ ସମର୍ଥନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ପଦକ୍ଷେପକୁ ସ୍ୱାଗତ କରି ଲେଖିଛନ୍ତି ଯେ, ଏହି ଘୋଷଣାପତ୍ର ପାଲେଷ୍ଟାଇନ ଏବଂ ଇସ୍ରାଏଲର ଲୋକଙ୍କ ପାଇଁ ସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶ ପାଇଁ ଏକ ବ୍ୟବହାରିକ ପଥ ପ୍ରଦାନ କରେ। ମୋଦି ଆଶା ପ୍ରକାଶ କରିଛନ୍ତି ଯେ, ସମସ୍ତ ସମ୍ପୃକ୍ତ ପକ୍ଷ ଏହି ପଦକ୍ଷେପରେ ସହଯୋଗ କରିବେ।
ହ୍ୱାଇଟ୍ ହାଉସ୍ ମଧ୍ୟ ମୋଦିଙ୍କ ବିବୃତ୍ତିର ଏକ ଲିଙ୍କ୍ ସେୟାର କରିଛି। ଏହା ସହିତ, ସମର୍ଥନରେ ସାଉଦି ଆରବ, ଜୋର୍ଡାନ, ୟୁଏଇ, ଇଣ୍ଡୋନେସିଆ, ପାକିସ୍ତାନ, ତୁର୍କୀ, କାତାର ଏବଂ ଇଜିପ୍ଟର ବୈଦେଶିକ ମନ୍ତ୍ରୀଙ୍କ ମିଳିତ ବିବୃତ୍ତି ମଧ୍ୟ ଏହି ବିବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି।