କର୍ଣ୍ଣାଟକ ୧୬/୦୭ : କର୍ଣ୍ଣାଟକ ଚିକ୍କବଲ୍ଲାପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । କୋର୍ଟରେ ବିଚାରଧୀନ ଥିବା ଏକ କେସ୍ ଜିତିବାକୁ ଜଣେ ୬୫ ବର୍ଷୀୟ ମହିଳା ବିଚାରପତିଙ୍କୁ ଗୁଣିଗାରେଡ଼ି କରିବାକୁ ଉଦ୍ୟମ କରିଥିଲେ । ଏଥିଲାଗି ବିଚାରପତିଙ୍କ ଚେୟାର ଉପରେ ସେ ମନ୍ତୁରା ହୋଇଥିବା ସୋରିଷ ପକାଇଥିଲେ । ଘଟଣା ସଂପର୍କରେ ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଛି ।
ମାମଲାଟି ଜୁଲାଇ ୯ର । ଏବେ ତାହା ସାମ୍ନାକୁ ଆସିଛି । ଅଭିଯୁକ୍ତ ମହିଳା ହେଲେ ମଞ୍ଜୁଳା । ଚିକ୍କବଲ୍ଲାପୁର ସହରର ବଲସନ୍ନା ଭିଡି ଅଞ୍ଚଳରେ ସେ ରହନ୍ତି । ଚିକ୍କବଲ୍ଲାପୁର କୋର୍ଟରେ ତାଙ୍କର ଏକ ସିଭିଲ୍ କେସ୍ ଚାଲୁଛି । ଏପରିସ୍ଥଳେ ମାମଲାର ରାୟ ନିଜ ପକ୍ଷରେ କରିବା ଉଦ୍ଦେଶ୍ୟରେ ସେ ଜୁଲାଇ ୯ ତାରିଖ ସକାଳ ପ୍ରାୟ ୯.୪୦ ମିନିଟ୍ ସମୟରେ କୋର୍ଟରୁମ୍ ମଧ୍ୟରେ ପ୍ରବେଶ କରି ବିଚାରପତିଙ୍କ ଚେୟାର ଉପରେ ମନ୍ତୁରା ହୋଇଥିବା ଧଳା ସୋରିଷ ଦାନା ପକାଇଥିଲେ । ପରେ କୋର୍ଟ କର୍ମଚାରୀଙ୍କ ନଜର ସୋରିଷ ଦାନା ଉପରେ ପଡ଼ିଥିଲା । ଏହାପରେ ସିସିଟିଭି ଫୁଟେଜ୍ ଅଣ୍ଡଳା ଯାଇଥିଲା । ସେଥିରୁ ମଞ୍ଜୁଳାଙ୍କ କାରନାମା ସାମ୍ନାକୁ ଆସିଥିଲା ।
ଆହୁରି ପଢ଼ନ୍ତୁ...ବାଗେଶ୍ୱର ଧାମର ମହନ୍ତ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ, ଗୁଳିକାଣ୍ଡ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ…
ସେହି ଆଧାରରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ତାଙ୍କ ବିରୋଧରେ ଚିକ୍କବଲ୍ଲାପୁର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ପୁଲିସ ମହିଳାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ସେଠାରେ କୋର୍ଟ ତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏହି କାଣ୍ଡରେ ମଞ୍ଜୁଳାଙ୍କ ସହ ଅନ୍ୟ କେହି ସାମିଲ ଥିଲେ କି ନାହିଁ ତାହା ଜାଣିବାକୁ ଯାଞ୍ଚ ଜାରି ରହିଛି ।