ନୂଆଦିଲ୍ଲୀ,୧୧/୦୫; ଗୋଟିଏ ପଟେ ଇରାନ ସହିତ ଯୁଦ୍ଧ ଲଢୁଛି ଆମେରିକା । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଗସ୍ତରେ ଯାଉଛନ୍ତି । ଏହି ଯାତ୍ରାର ତାରିଖ ମଧ୍ୟ ପ୍ରକାଶ ପାଇଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବେଜିଂ ଗସ୍ତ ବିଷୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୩ ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଚୀନ୍ ଗସ୍ତ କରିବେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହି ୩ ଦିନିଆ ଗସ୍ତ ଆୟୋଜନ କରାଯାଉଛି । ଦୁଇ ଦେଶ ମଧ୍ୟରେ ବଡ଼ ଡିଲ୍ ହେବା ଆକଳନ କରାଯାଉଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆମେରିକାର ଶୁଳ୍କକୁ ନେଇ ବିଶ୍ୱ ସଙ୍କଟ ସମୟରେ ଟ୍ରମ୍ପଙ୍କ ଏହି ଗସ୍ତ ହେଉଛି ।
ଚୀନ ନ୍ୟୁଜ ଏଜେନ୍ସି ଜିନହୁଆ ଦ୍ୱାରା ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ନିଶ୍ଚିତ କରାଯାଇଛି । ଏହି ସମୟରେ ଦୁଇ ବିଶ୍ୱ ନେତା ପାରସ୍ପରିକ ସ୍ୱାର୍ଥ ଏବଂ ପ୍ରମୁଖ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବେ । ଏହି ଗସ୍ତ ଅନ୍ତର୍ଜାତୀୟ ସ୍ତରରେ ବେଜିଂ ଏବଂ ୱାଶିଂଟନ ମଧ୍ୟରେ ଆଲୋଚନାର ଏକ ନୂତନ ଅଧ୍ୟାୟ ଖୋଲିବାକୁ ଯାଉଛି ।
ଚୀନ୍ ଆମେରିକାକୁ ଚେତାବନୀ ଦେଇଥିଲା- ଗତ ମାସରେ, ଜଣେ ବରିଷ୍ଠ ଚୀନ୍ ଅଧିକାରୀ ଆମେରିକାକୁ ହୋର୍ମୁଜ୍ ପ୍ରଣାଳୀରେ ଅବରୋଧ ଲଗାଇବା ଏବଂ ଇରାନ ସହିତ ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କରେ ହସ୍ତକ୍ଷେପ କରିବା ବିରୁଦ୍ଧରେ ଚେତାବନୀ ଦେଇଥିଲେ। ଆମେରିକା ନୌସେନା ଅବରୋଧ ଆରମ୍ଭ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ୍ ଡଙ୍ଗ୍ ଜୁନ୍ ଏହି ଚେତାବନୀ ଦେଇ କହିଥିଲେ, ଆମର ଇରାନ ସହିତ ବାଣିଜ୍ୟ ଏବଂ ଶକ୍ତି ଚୁକ୍ତିନାମା ଅଛି । ଆମେ ଆଶା କରୁଛୁ ଯେ, ଅନ୍ୟମାନେ ଆମ ବ୍ୟାପାରରେ ହସ୍ତକ୍ଷେପ କରିବେ ନାହିଁ। ହୋର୍ମୁଜ୍ ପ୍ରଣାଳୀ ଚୀନ୍ ପାଇଁ ଖୋଲା ରହିବ । ଏହି ଜଳପଥ ବେଜିଂ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହାର ପ୍ରାୟ ୪୦ ପ୍ରତିଶତ ତେଲ ଏବଂ ୩୦ ପ୍ରତିଶତ ଏଲଏନଜି ଆବଶ୍ୟକତା ଯୋଗାଇଥାଏ । ତେଣୁ ଚୀନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସୁରକ୍ଷିତ ରଖିବା ପାଇଁ ଉପସାଗରରେ ଯୁଦ୍ଧବିରାମ ଚାପ ପକାଇ ଆସୁଛି । "
ଏହା ବି ପଢନ୍ତୁ...ହୋର୍ମୁଜରେ ଆମେରିକା ଅବରୋଧର ପ୍ରଭାବ; ତେଲ ରଖିବାକୁ ଜାଗା ନାହିଁ ସମୁଦ୍ରରେ ନଷ୍ଟ କରୁଛି ଇରାନ, ସାଟେଲାଇଟ୍ ଚିତ୍ର କହିଲା ସତ
କିଛି ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ନୌସେନା ଅବରୋଧ ଚୀନ୍ ୟୁଆନକୁ ଟାର୍ଗେଟ କରିପାରେ, ଯାହାକୁ କିଛି ଜାହାଜ ଏହି ଗୁରୁତ୍ୱପୂର୍ଣ୍ଣ ଉପସାଗରୀୟ ଜଳପଥରେ ନେଭିଗେଟ୍ କରିବା ପାଇଁ ବ୍ୟବହାର କରନ୍ତି । ଏହାକୁ ଦଶନ୍ଧି ପୁରୁଣା ପେଟ୍ରୋଡଲାର ବ୍ୟବସ୍ଥା ପାଇଁ ଏକ ଚ୍ୟାଲେଞ୍ଜ ଏବଂ ଆମେରିକାର କଟକଣାକୁ ଏଡାଇବାର ଏକ ଉପାୟ ଭାବରେ ଦେଖାଯାଉଛି । ଇରାନ ସହିତ ଆମେରିକାର ଯୁଦ୍ଧ ଚାଲିଥିବା ଭିତରେ ଟ୍ରମ୍ପ ଏବଂ ଜିନ୍ପିଙ୍ଗ୍ଙ୍କର ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ବଡ଼ ଡିଲ୍ ହେବା ଆକଳନ କରାଯାଉଛି ।