ନୂଆଦିଲ୍ଲୀ,୨୩/୦୭ : ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଗାମୀ ୩ରୁ ୪ ମାସ ମଧ୍ୟରେ ସ୍ୱାକ୍ଷର ହୋଇପାରେ । ଲମ୍ବା ସମୟ ଧରି ଏହାକୁ ନେଇ ଅପେକ୍ଷା ରହିଥିବାବେଳେ ଆଜି ଏହା ଉପରେ ବଡ଼ ଅପଡେଟ୍ ମିଳିଛି । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଯାଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମାନିଲାରେ ଆସିଆନ୍ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଉକ୍ତ ଆମେରିକୀୟ ଅଧିକାରୀ ଜଣକ କହିଛନ୍ତି ଯେ, ଚୁକ୍ତି ପ୍ରସ୍ତୁତ ରହିଛି । କାଗଜପତ୍ର କାର୍ଯ୍ୟ ପ୍ରାୟତଃ ଶେଷ ହୋଇଯାଇଛି । ଅଧିକାରୀଜଣକ କହିଛନ୍ତି ଯେ, ଏବେ କେବଳ ୱାଶିଂଟନ ପକ୍ଷରୁ ‘ଧାରା ୩୦୧’ ଅଧୀନରେ ବାଣିଜ୍ୟ ସହ ଜଡ଼ିତ ଯାଞ୍ଚ ସମ୍ପୂର୍ଣ୍ଣ ହେବାର ଅପେକ୍ଷା ରହିଛି ।
ଆହୁରି ପଢନ୍ତୁ ;- ପ୍ରଥମେ ହର୍ମୁଜ…ଆଉ ଏବେ ଲାଲ୍ ସାଗର…ଯୁଦ୍ଧ ଲଢିବାକୁ ଏବେ ବଡ ମୈଦାନ ସାଜିଛି ସମୁଦ୍ରିକ କ୍ଷେତ୍ର…
ଏହି ଆଇନରେ ଅନ୍ୟାୟମୂଳକ ବାଣିଜ୍ୟିକ କାରବାର ସାମିଲ ଅଛି । ଏହା ଆମେରିକାକୁ ଟାରିଫ୍ ଲାଗୁ କିମ୍ବା ଜବାବୀ କାର୍ଯ୍ୟାନୁଷ୍ଠାନ ନେବାର ଅନୁମତି ଦେଇଥାଏ । ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବାର ଉଦ୍ୟମ ଅଧୀନରେ ବଜାର ପହଞ୍ଚ ବଢ଼ାଇବା ଏବଂ ବାଣିଜ୍ୟ ସହ ଜଡ଼ିତ ବାଧକଗୁଡ଼ିକୁ କମ୍ କରିବା ନିମନ୍ତେ ୱାଶିଂଟନ ଏବଂ ନୂଆଦିଲ୍ଲୀ ଏକ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି । ଅଧିକାରୀଙ୍କ ଅନୁସାରେ, ଚୁକ୍ତି ପ୍ରାୟତଃ ଶେଷ ହୋଇଯାଇଛି । କେତେକ ପାରସ୍ପରିକ ପ୍ରସଙ୍ଗ ଉପରେ ମତୈକ ଏକତା ଆସିବା ପରେ ଏହା ଉପରେ ମୋହର ବାଜିବ । ସେ ଆହୁରି କହିଛନ୍ତି ଯେ, ୬୦ ଦେଶ ସହ ଜଡ଼ିତ ‘ଧାରା ୩୦୧’ର ଏକ ଯାଞ୍ଚ ଚଳିତ ସପ୍ତାହ କିମ୍ବା ଆଗାମୀ କିଛି ସପ୍ତାହରେ ସମାପ୍ତ ହେବାର ଆଶା ରହିଛି । ଏହା ସମେତ ଅନ୍ୟାନ୍ୟ ଯାଞ୍ଚ ଶେଷ ହେବା ପରେ ଭାରତ ସମେତ ଅନ୍ୟାନ୍ୟ ଦେଶରେ ବି ପ୍ରଗତି ଦେଖିବାକୁ ମିଳିବ । ୱାଶିଂଟନ ପୂର୍ବରୁ ହିଁ ଭାରତ ସମେତ କେତେକ ଦେଶଗୁଡ଼ିକ ଉପରେ ୧୨.୫% ପର୍ଯ୍ୟନ୍ତ ନୂଆ ଟାରିଫ୍ ଲଗାଇବାକୁ ପ୍ରସ୍ତାବ ଦେଇସାରିଛି । ଏହି ଦେଶଗୁଡ଼ିକ ବିରୋଧରେ ଅଭିଯୋଗ ରହିଛି ଯେ, ଏମାନେ ଜବରଦସ୍ତ ଶ୍ରମରୁ ପ୍ରସ୍ତୁତ ଉତ୍ପାଦର ବାଣିଜ୍ୟ ରୋକିବାରେ ବିଫଳ ହୋଇଛନ୍ତି ।