ତିରୁବନନ୍ତପୁରମ ୦୨/୦୩: ଯୌନ ଅପରାଧ ସହିତ ଅପରାଧୀକ ମାମଲାରେ ଏହା ଅନୁମାନ ଲଗାଯାଇପାରିବ ନାହିଁ ଯେ ଆବେଦନକାରୀ ମହିଳା ହୋଇଥିବାରୁ ତାଙ୍କର ସବୁ କଥା ସତ । କାହିଁକି ନା ଆଜିକାଲି ଏଭଳି ଅନେକ ଅଭିଯୋଗ  ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ଲାଗି ଆସୁଛି । ଯୌନ ଉତ୍ପୀଡନ ମାମଲାରେ ଜଣେ ବ୍ୟକ୍ତିଙ୍କୁ  ଆଗୁଆ ଜାମିନ ପ୍ରଦାନ କରିବା ଅବସରରେ  ବିଚାରପତି ପି.ଭି କୁହ୍ନିକୃଷ୍ଣନ ଏହା କହିଛନ୍ତି ।  

ହାଇକୋର୍ଟ କହିଛନ୍ତି ଅଭିଯୋଗକାରୀଙ୍କ  ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆର ଆଧାରରେ ଏକତରଫା ଭାବେ ଯାଞ୍ଚ କରାଯାଇପାରିବ ନାହିଁ । ପୁଲିସକୁ ଉଭୟ  ପକ୍ଷର ବୟାନ ଶୁଣିବାକୁ ହେବ । ସେହି ଆଧାରରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ପଡିବ । ମିଥ୍ୟା ଅଭିଯୋଗ ଯୋଗୁ ଜଣଙ୍କର  ହେଉଥିବା କ୍ଷତିକୁ ଟଙ୍କା ଦେଇ ଭରଣା  କରାଯାଇପାରିବ ନାହିଁ । ମିଥ୍ୟା ଅଭିଯୋଗ  ଯୋଗୁ ଅଭିଯୁକ୍ତଙ୍କ ମାନ, ସମ୍ମାନ ଓ ପ୍ରତିଷ୍ଠା  ସବୁ ଚାଲିଯାଏ । 

ଗତ ଫେବ୍ରୁଆରୀ ୨୪ରେ  ହାଇକୋର୍ଟ ଦେଇଥିବା ରାୟରେ କହିଛନ୍ତି  ଯେ ଆଜିକାଲି ଯୌନ ଅପରାଧ ଭଳି ଗମ୍ଭୀର  ଅଭିଯୋଗରେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବାର  ପ୍ରବୃତ୍ତି ବଢ଼ିଚାଲିଛି । ଯଦି ପୁଲିସକୁ ଲାଗେ  କି ମହିଳାଙ୍କ ଅଭିଯୋଗର ସତ୍ୟତା ନାହିଁ,  ତେବେ ଅଭିଯୋଗକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଆଇନରେ ପୁଲିସକୁଏଭଳି କ୍ଷମତା ଦିଆଯାଇଛି । ତଦନ୍ତ  ସମୟରେ ଅପରାଧୀକ ମାମଲାରେ କେତେ  ସତ ଓ କେତେ ମିଛ ରହିଛି ତାକୁ ପୁଲିସ  ଭଲ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ ।  ସେଥିପାଇଁ ଅପରାଧୀକ ମାମଲାରେ ଅନ୍ତିମ  ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଧାନରୁ ଅଗାଡି  ବାହାର କରିବା କାମ ହେଉଛି ପୁଲିସର । 

ପୁରା ମାମଲା ଏକ କମ୍ପାନିର ଦୁଇ  କର୍ମଚାରୀଙ୍କ ସହ ଯୋଡିହୋଇଛି । ପୀଡିତା  ମହିଳା ଯେଉଁ କମ୍ପାନିରେ କାମ କରୁଥିଲେ  ଅଭିଯୁକ୍ତ ଯୁବକ ତାର ମ୍ୟାନେଜର ଥିଲେ ।  ପୀଡିତା ଅଭିଯୋଗ କରିଥିଲେ କି ଯୌନ  ଆକାଂକ୍ଷା ରଖି ଅଭିଯୁକ୍ତ ମ୍ୟାନେଜର ତାଙ୍କ  ହାତକୁ ଧରିଥିଲେ । ହେଲେ ଅଭିଯୁକ୍ତ ଏହାକୁ  ଖଣ୍ଡନ କରିଥିଲେ । ଏଥିସହ ସେ ପୀଡିତାଙ୍କ  ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ  ଆଣିଥିଲେ । ସେମାନଙ୍କ କଥାବାର୍ତ୍ତାକୁ ଅଭିଯୁକ୍ତ  ରେକର୍ଡିଂ କରିଥିଲେ ଏବଂ ତାକୁ ପେନ୍‌ଡ୍ରାଇଭରେ  ଆଣି ପୁଲିସକୁ ଦେଇଥିଲେ । ହାଇକୋର୍ଟ କହିଛନ୍ତି  ଏଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କ ଅଭିଯୋଗର  ତଦନ୍ତ ମଧ୍ୟ ପୁଲିସକୁ କରିବା ଉଚିତ । ଏଥିସହ  ହାଇକୋର୍ଟ ଏହି ମାମଲାର ଅଭିଯୁକ୍ତଙ୍କୁ  ବେଲ୍‌ବଣ୍ଡ ସହ ଜାମିନ ପ୍ରଦାନ କରିଛନ୍ତି।