ନୂଆଦିଲ୍ଲୀ,୮।୯: କୋର୍ଟକୁ ରାଜନୀତିର ଆଖଡା କରିବା ଠିକ୍ ନୁହେଁ। ଯଦି ଆପଣ ନେତା, ତେବେ ଆପଣଙ୍କ ଚମଡା ମୋଟା ହେବା ଦରକାର। ୨୦୨୪ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ବେଳେ ଦିଆଯାଇଥିବା ଭାଷଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀଙ୍କ  ବିରୋଧରେ ମାନହାନୀ ମାମଲା ଶୁଣାଣି କରି କଡା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଉଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।

ସିଜେଆଇ ଗଭଇ, ଜଷ୍ଟିସ୍ ବିନୋଦ ଚନ୍ଦ୍ରନ ଓ ନ୍ୟାୟମୂର୍ତ୍ତି ଅତୁଲ ଏସ୍ ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଇଛୁକ ନୁହେଁ। ଖଣ୍ଡପୀଠ କହିଛନ୍ତି, ଆମେ ବାରମ୍ବାର କହୁଛୁ, କୋର୍ଟଙ୍କ ବ୍ୟବହାର ରାଜନୈତିକ ଲଢେଇ ପାଇଁ କରନ୍ତୁ ନାହିଁ। ଆବେଦନ ଖାଜର କରାଯାଉଛି। ଯଦି ଆପଣ ନେତା ତେବେ ଆପଣଙ୍କର ଚମଡା ମୋଟା ହେବା ଦରକାର।

ତେଲେଙ୍ଗାନା ହାଇକୋର୍ଟ ଅଗଷ୍ଟରେ ରେଡ୍ଡୀଙ୍କ ଆବେଦନ ଉପରେ ଶୁଣାଣି କରିଥିଲା, ଯେଉଁଥିରେ ହାଇଦ୍ରାବାଦର ନିମ୍ନ ଅଦାଲତରେ ପଡି ରହିଥିବା ମାମଲାର ଶୁଣାଣି ରଦ୍ଦ କରିବାକୁ ଅନୁରୋଧ କରାଯାଇଥିଲା। ବିଜେପି ତେଲେଙ୍ଗାନା ୟୁନିଟ୍‌ର ମହାସଚିବ ମଇ ୨୦୨୪ ରେ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଯେଉଁଥିରେ ଅଭିଯୋଗ ଥିଲା ଯେ, ସେ ଦଳ ବିରୋଧରେ ଅପମାନଜନକ ଓ ଉତ୍ତେଜନାକାରୀ ଭାଷଣ ଦେଇଥିଲେ।ଏଥିରେ ଅଭିଯୋଗ ରହିଛି ରେଡ୍ଡୀ ତେଲେଙ୍ଗାନା କଂଗ୍ରେସ ସହ ମିଶି ଏକ ନକଲି ଓ ସନ୍ଦିଗ୍ଧ ରାଜନୀତି କାହାଣୀ ଗଢିଛନ୍ତି। ଯଦି ବିଜେପି କ୍ଷମତାକୁ ଆସେ ତେବେ ସଂରକ୍ଷଣକୁ ଶେଷ କରିଦେବ। ଅଭିଯୋଗକାରୀ ଦାବି କରିଛନ୍ତି ଯେ, କଥିତ ମାନହାନୀ ଭାଷଣରେ ରାଜନୈତିକ ଦଳ ରୂପରେ ବିଜେପି ପ୍ରତିଷ୍ଠାକୁ ଆଘାତ ଲାଗିଛି।