ଭୁବନେଶ୍ୱର ୨୮/୦୫:ଯୌତୁକ ନିର୍ଯାତନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଗତ କିଛି ବର୍ଷ ଭିତରେ ଥମି ଯାଇଥିବା ନିର୍ଯାତନା ଏବେ ପୁଣି ମୁଣ୍ଡ ଟେକିବାରେ ଲାଗିଛି । ଅବଶ୍ୟ ଏବେ ବଦଳିଛି ଯୌତୁକ ଦାବୀର ଶୈଳୀ । ଏହାର ପ୍ରଭାବ ଯେ ଉଭୟ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ଉପରେ ପଡୁଛି, ତାହା ଭାବୁ ନାହାନ୍ତି ଯୁବବର୍ଗ । ଏହା ଯୋଗୁ ହିଁ ସମ୍ପର୍କରେ ଅସମାନତା ଓ ଅବିଶ୍ୱାସର ଚେର୍ ମଜଭୁତ ହେଉଛି । ଭାଙ୍ଗୁଛି ଅନେକ ବୈବାହିକ ସମ୍ପର୍କ । ମନସ୍ତତ୍ତ୍ୱବିତ୍ ଅନୁସାରରେ ଯୌତୁକର ଲୋଭ ସମ୍ପର୍କକୁ ବର୍ବାଦ କରିଚାଲିଛି ।
ପ୍ରେମ ଓ ବିଶ୍ୱାସର ମୂଳଦୁଆ ଉପରେ ତିଷ୍ଠି ଥିବା ସମ୍ପର୍କରେ ଯୌତୁକ ପାଇଁ କୌଣସି ଜାଗା ନଥାଏ । କିନ୍ତୁ ଯଦି ସମ୍ପର୍କର ଆରମ୍ଭ ଯୌତୁକ ଲୋଭରୁ ହୋଇଥାଏ, ତେବେ ସେଠାରେ କେବେ ବି ସମାନତା ଓ ପ୍ରେମର ଭାବନା ଆସି ନଥାଏ । ଯୌତୁକ କେବଳ ସାମାଜିକ ବ୍ୟାଧି ନୁହେଁ, ବରଂ ସିଧାସଳଖ ଭାବେ ସ୍ୱାମୀସ୍ତ୍ରୀ ସମ୍ପର୍କକୁ ପ୍ରଭାବିତ କରିଥାଏ । ଏହା ଏମିତି ଏକ କୀଟ, ଯାହା ବୈବାହିକ ସମ୍ପର୍କକୁ କ୍ରମଶଃ ଫମ୍ପା କରିଚାଲେ । ବରିଷ୍ଠ ମନସ୍ତତ୍ତ୍ୱବିତ୍ଙ୍କ ମତରେ, ଯୌତୁକ ଲୋଭ ସ୍ୱାମୀସ୍ତ୍ରୀ ସମ୍ପର୍କକୁ ନଷ୍ଟ କରିଚାଲିଛି ।
ଆତ୍ମସମ୍ମାନକୁ ପ୍ରଭାବିତ କରେ:
ଯୌତୁକ ମାଗିବା ଦ୍ୱାରା ପ୍ରଥମେ ମହିଳାର ଆତ୍ମସମ୍ମାନ ଓ ଗରିମାକୁ କୁଠାରଘାତ ହୋଇଥାଏ । ଜଣେ ମହିଳାକୁ ଶିକ୍ଷା ଓ ସ୍ୱଭାବ ପରିବର୍ତ୍ତେ ଯୌତୁକର ମୂଲ୍ୟ ଅନୁସାରେ ମୂଲ୍ୟାୟନ କରିବା ତା’ଆତ୍ମସମ୍ମାନରେ ଆଞ୍ଚ ଆଣିଥାଏ । ଦ୍ୱିତୀୟତଃ ଝିଅଟିଏ ବାପାମା’ଙ୍କ ଉପରେ ଯୌତୁକ ଭାର ଦେବା ଦେବାକୁ ଯାଇ ନିଜେ ଭାରାକ୍ରାନ୍ତ ହୋଇପଡେ ।
ବିବାହରେ ଅସମାନତା ଭାବ:
ବିବାହ ପରେ ସ୍ୱାମୀସ୍ତ୍ରୀଙ୍କ ଭିତରେ ସମାନତା ଭାବ ରହିବା ଜରୁରି । କିନ୍ତୁ ଯୌତୁକ କାରଣରୁ ପ୍ରାୟତଃ ସମାନତା ଭାବ ଆସି ନଥାଏ । ଯୌତୁକ ନେଇ ଆସିଥିବା ଝିଅ ନିଜକୁ ସ୍ୱାମୀ ସହ କେବେ ବି ସମାନ ବୋଲି ଅନୁଭବ କରିପାରେନା । ଫଳରେ ସମ୍ପର୍କର ମୂଳଦୁଆ ଦୁର୍ବଳ ହୋଇଚାଲେ ।
ବିଶ୍ୱାସର ଅଭାବ:
ଅନେକ ସମୟରେ ଯୌତୁକକୁ ନେଇ ସ୍ୱାମୀସ୍ତ୍ରୀଙ୍କ ଭିତରେ ଚାଲୁଥିବା ଟଣାଭିଡା ସମ୍ପର୍କରେ ଏକ ଗଭୀର ଖାଇ ସୃଷ୍ଟି କରିଥାଏ । ଲଗାତାର ସ୍ୱାମୀ ଓ ଶାଶୂଘର ଲୋଙ୍କଠାରୁ ଶୁଣିଥିବା ଅପମାନ ଯୋଗୁ ନାରୀ ଭିତରେ ଚିନ୍ତା, ଆଙ୍ଗଜାଇଟି ଓ ଏକଲାପଣ ଭାବନା ଘର କରିସାରିଥାଏ । ଏହି ମାହୋଲ ଯୋଗୁ ପ୍ରଥମେ ତା’ ବିଶ୍ୱାସ ଦୁର୍ବଳ ହୋଇଥାଏ । ଫଳରେ ପତ୍ନୀ ଜୀବନସାଥୀ ଉପରେ ବିଶ୍ୱାସ ରଖିବା ପରିବର୍ତ୍ତେ ପରିବାରର ଲୋଭକୁ ସମର୍ଥନ କରୁଥିବା ପୁଅକୁ ଘୃଣା କରି ବସେ । ଫଳରେ ବିବାହରେ ବିଶ୍ୱାସ ଓ ସୁରକ୍ଷାର ଭାବନା ଦୂରେଇ ଚାଲେ ।
ପ୍ରେମ ଓ ରୋମାନ୍ସ ଅଣନିଶ୍ୱାସୀ ହୋଇପଡ଼େ:
ଯେଉଁ ସମ୍ପର୍କର ଆରମ୍ଭ ପରସ୍ପରର ବୁଝାମଣା ଓ ସହଯୋଗରେ ହେବା ଉଚିତ୍ । ଯୌତୁକ କାରଣରୁ ତାହା ବ୍ୟାବସାୟିକ ସମ୍ପର୍କରେ ପରିଣତ ହୋଇପଡେ । ଫଳରେ ନିୟମିତ ଘରର ପରିବେଶରେ ଟଙ୍କା, ଜିନିଷ ଓ ଅଯଥା ଆଶା ପୁରା ନ ହେବା ପରି ଘଟଣାମାନ ଦେଖିବାକୁ ମିଳିଥାଏ । ଏପରି ସ୍ଥାନରେ ପ୍ରେମ, ରୋମାନ୍ସ ଓ ସମ୍ମାନର କୌଣସି ଜାଗା ରହି ନଥାଏ । ବରଂ ଛୋଟ ଛୋଟ ଖୁସି ଓ ଭଲ ସମୟ ଆପେ ଆପେ ଖରାପ ସ୍ଥିତିରେ ପରିଣତ ହୋଇଚାଲେ । ପତିର ପ୍ରେମ ପତ୍ନୀ ଆଡକୁ କମିବା ସହ ପତ୍ନୀ ମନରେ ପତି ପାଇଁ ସମ୍ମାନ ପରିବର୍ତ୍ତେ ଘୃଣାର ଭାବ ବଢିଚାଲେ ।
ଶାରୀରିକ ସମ୍ପର୍କ ପ୍ରଭାବିତ ହୁଏ:
ମାନସିକ ଚିନ୍ତା ସାଙ୍ଗକୁ ନିୟମିତ ହେଉଥିବା ଅପମାନର ସିଧାସଳଖ ପ୍ରଭାବ ପତିପତ୍ନୀଙ୍କ ଶାରୀରିକ ସମ୍ପର୍କ ଉପରେ ପଡିଥାଏ । ଏଭଳି ସ୍ଥିତିରେ ଜଣେ ମହିଳା ଭାବନାତ୍ମକ ଭାବେ ନିଜକୁ ଅସୁରକ୍ଷିତ ଓ ଅପମାନିତ ଅନୁଭବ କରିଥାଏ । ଫଳରେ ଶାରୀରିକ ସମ୍ପର୍କ ଓ ନିବିଡ଼ତା କ୍ରମଶଃ ଦୂରେଇ ଚାଲେ । ଭୟ ଓ ଅବସାଦ କାରଣରୁ ଉଭୟଙ୍କ ଭିତରେ ଅନ୍ତରଙ୍ଗ ମୁହୂର୍ତ୍ତ ପ୍ରତି ଆଗ୍ରହ କମିଚାଲେ । ପତି ମଧ୍ୟ ପାରିବାରିକ ଚାପ ଓ ପତିପତ୍ନୀ ଝଗଡା ଯୋଗୁ ଉଦାସୀନ ହୋଇପଡେ କିମ୍ବା ଆକ୍ରମଣାତ୍ମକ ଭାବ ଆପଣାଇଥାନ୍ତି । ଫଳରେ ଉଭୟଙ୍କ ଭିତରେ ଦୂରତା ବଢିଚାଲେ ।
ଆହୁରି ପଢ଼ନ୍ତୁ...ଯନ୍ତ୍ରଣା ହେଲେ ମା’ହିଁ ମନେପଡ଼େ କାହିଁକି? ଜାଣନ୍ତୁ କ’ଣ ରହିଛି ମନୋବିଜ୍ଞାନ
ଘରୋଇ ହିଂସାର କାରଣ:
ଯୌତୁକ ଦାବୀ ପୂରଣ ନ ହେବା ଦ୍ୱାରା ତାହା ଧୀରେ ଧୀରେ କେବଳ ମାନସିକ ପ୍ରତାଡ଼ନା ଭିତରେ ରହି ନଥାଏ । ବରଂ ଶାରୀରିକ, ଆର୍ଥିକ ଓ ଘରୋଇ ହିଂସାର ରୂପ ନେଇଥାଏ, ଯାହା ପରବର୍ତ୍ତୀ ସମୟରେ ଯୌତୁକ ହତ୍ୟା କିମ୍ବା ଆତ୍ମହତ୍ୟା ପରି ଘଟଣାରେ ଶେଷ ହୋଇଥାଏ ।