ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ବର୍ଷବ୍ୟାପୀ ପାଳନ କରାଯିବ

Published By : Ladu Kishor | November 3, 2024 8:56 PM

ଭୁବନେଶ୍ୱର ୦୩/୧୧ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ। ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ  ନଭେମ୍ବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବା ସହିତ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। 

ଡଃ ମହତାବ ଜଣେ ଜାତୀୟତା ବାଦୀ ନେତା ଥିଲେ। ତେଣୁ, ତାଙ୍କର ଏକ ବର୍ଷ ବ୍ୟାପୀ ଜୟନ୍ତୀ ଉତ୍ସବକୁ ଓଡିଆ ଜାତୀୟତା ବାଦର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏହା ସହିତ ଡଃ ମହତାବଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଗୁଡିକରେ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି।

ଆଜି ରାଜ୍ୟ ଅତିଥି ଭବନରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡକ୍ଟର ମହତାବଙ୍କ ଜୟନ୍ତୀ ପାଳନ ପାଇଁ ଗଠିତ  ଶୀର୍ଷ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୮୭ ଜାନୁଆରୀ ୨ ତାରିଖରେ ତାଙ୍କର ପରଲୋକ ଘଟିଥିଲା।

ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଡଃ ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲାର ଅଗରପଡ଼ା ଠାରେ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା, ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯିବ। ଭୁବନେଶ୍ୱରରେ ନଭେମ୍ବର ୨୩, ୨୪ ଏବଂ ୨୫ ତାରିଖରେ ଡକ୍ଟର ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ  ଡଃ ମହତାବ ଜଣେ ଜାତୀୟତା ବାଦୀ ନେତା ଥିଲେ। ତେଣୁ ଦଳମତ ନିର୍ବିଶେଷରେ ତାଙ୍କର ଜୟନ୍ତୀକୁ ଅତ୍ୟନ୍ତ ସୁନ୍ଦର ଓ ପ୍ରଭାବଶାଳୀ ଭାବରେ ଏକ ବର୍ଷ ବ୍ୟାପୀ ପାଳନ କରାଯିବ। ସେ କହିଲେ ଯେ ୨୦୩୬ରେ ସ୍ବତନ୍ତ୍ର ଓଡିଶା ୧୦୦ ବର୍ଷ ପୂରଣ କରିବ। ତେଣୁ, ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ସର୍ବଶ୍ରେଷ୍ଠ ଅବଦାନ ରଖିଥିବା ବରପୁତ୍ର ମାନଙ୍କ ମଧ୍ୟରେ ଡଃ ମହତାବଙ୍କ ନାମ ମଧ୍ୟ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଶୀର୍ଷ କମିଟିର ଆଉ ଅନେକ ଉପ କମିଟିର ବୈଠକ ବସି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସମ୍ପର୍କରେ ନିଷ୍ପତ୍ତି ନେବେ। ଡଃ ମହତାବଙ୍କ ଉପରେ ଯେଉଁମାନେ ଗବେଷଣା କରୁଛନ୍ତି ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଇ ତାଙ୍କ ଜୀବନର ଅନେକ ଅନାଲୋଚିତ ତଥ୍ୟ ଜନ ମାନସକୁ ଅଣାଯିବ। ଡଃ ମହତାବଙ୍କ ଅନେକ ପୁସ୍ତକକୁ ହିନ୍ଦୀ, ଇଂରାଜୀ ସହିତ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାରେ ମଧ୍ୟ ପୁନଃ ପ୍ରକାଶିତ କରାଯିବ। ଏହା ସହିତ ଡଃ ମହତାବଙ୍କ ଅବଦାନ ସମ୍ପର୍କରେ ବହୁ ସଂସ୍କରଣ (Multiple Volumes) ବିଶିଷ୍ଟ ପୁସ୍ତକ ମଧ୍ୟ ପ୍ରକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଡଃ ମହତାବ ଓଡିଆ ଲୋକମାନଙ୍କର ସାମୁହିକ ଅଭିବ୍ୟକ୍ତି ଥିଲେ। ଯେହେତୁ ୨୦୩୬ରେ ଓଡିଶା ୧୦୦ ବର୍ଷ ପୂରଣ କରିବାକୁ ଯାଉଛି, ତେଣୁ  ଆଗାମୀ ଦଶ ବର୍ଷ ପାଇଁ ‘ଓଡିଆ ଜାତୀୟତାବାଦ’ର ପ୍ରସାର କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଡଃ ମହତାବଙ୍କ ପରି ଜଣେ ଜାତୀୟତାବାଦୀ ନେତାଙ୍କ ଜୀବନୀକୁ ଆଧାର କରି ଓଡିଆ ଜାତୀୟତାବାଦର ତତ୍ବ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବାର ଆବଶ୍ୟକତା ରହିଛି। ଏହା ଦ୍ବାରା ଓଡିଆ ଜାତୀୟତାବାଦ ପୁନଃ ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଥିଲେ। ଉତ୍କଳ ବିଶ୍ବ ବିଦ୍ୟାଳୟରେ ‘ମହତାବ ସେଣ୍ଟର’ ପ୍ରତିଷ୍ଠା କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। 

କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ କହିଥିଲେ ଯେ ଡଃ ମହତାବଙ୍କ ଜୀବନର  ଚାରିଟି ସ୍ବତନ୍ତ୍ର ଦିଗ ରହିଛି। ତାହା ହେଲା ସଂଗ୍ରାମୀ, ପ୍ରଶାସକ, ସମାଜ ସଂସ୍କାରକ ଏବଂ ଓଡିଆ ଏକତା ଭାବ ସୃଷ୍ଟି କରିବା ପାଇଁ ତାଙ୍କର ଉଦ୍ୟମ। ହଦଗଡ ଓ ଭୁବନେଶ୍ବରରେ ତାଙ୍କର ସ୍ମରକୀ ପ୍ରତିଷ୍ଠା କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଡଃ ମହତାବଙ୍କ ରଚିତ ବିଭିନ୍ନ ନାଟକ ଗୁଡିକୁ ବର୍ଷ ସାରା ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।  

ଏହା ସହିତ ତାଙ୍କର କୃତି ଓ କୀର୍ତ୍ତି ସମ୍ବନ୍ଧୀୟ ବିଭିନ୍ନ ପୁସ୍ତକ ପ୍ରକାଶନ ଏବଂ ପ୍ରାମାଣିକ ଚିତ୍ର ନିର୍ମାଣ, ରାଜ୍ୟ ସଂଗ୍ରହାଳୟରେ ସ୍ଵତନ୍ତ୍ର ଗ୍ୟାଲେରୀ ପ୍ରତିଷ୍ଠା, ଜୟନ୍ତୀ ଉପଲକ୍ଷେ ଡକ୍ଟର ମହତାବଙ୍କ ରଚିତ ପୁସ୍ତକ, ଫଟୋ ଓ ତୈଳଚିତ୍ର ପ୍ରଦର୍ଶନ, ବିଭିନ୍ନ ବିଶ୍ବବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ସ୍ତରରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା, ଶିଶୁଲେଖାର ସ୍ଵତନ୍ତ୍ର ବିଶେଷାଙ୍କ ପ୍ରକାଶନ, ଦିଲ୍ଲୀ, କଲିକତା ଓ ମୁମ୍ବାଇ ଠାରେ ଡକ୍ଟର ମହତାବଙ୍କ କୃତିକୁ ନେଇ ଆଲୋଚନା ଚକ୍ରର ଆୟୋଜନ, ଡକ୍ଟର ମହତାବଙ୍କ ସାହିତ୍ୟ କୃତିଗୁଡ଼ିକର ପୁନଃ ପ୍ରକାଶନ ନିମନ୍ତେ ପଦକ୍ଷେପ ଓ ଆହୁରି ଅନେକ ପଦକ୍ଷପ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, କ୍ରୀଡା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଜାତୀୟ କଂଗ୍ରେସ ଦଳର ପ୍ରତିନିଧୀ ଶ୍ରୀ ଶିବାନନ୍ଦ ରାୟ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ଭାରତ ସରକାରଙ୍କ ପକ୍ଷରୁ ପ୍ରଫସର କିଶୋର କୁମାର ବାସା, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ରର ସମ୍ପାଦକ ପ୍ରଫେସର ଉପେନ୍ଦ୍ର ପାଢୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜୟନ୍ତୀ ସମାରୋହ ପାଳନକୁ ସ୍ମରଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ। ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଶୀର୍ଷ କମିଟି ପକ୍ଷରୁ ନିଆଯାଇଥିବା ବିଭିନ୍ନ କମିଟି ସମ୍ପର୍କରେ ଉପସ୍ଥାପନା ରଖିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.