ଲୋଇସିଂହା,୧୯/୦୨(ଶ୍ୟାମସୁନ୍ଦର ମେହେର): ମା’ ଭଳି ସେନେହ ସରାଗରେ ସେବା ସୁଶ୍ରୂଷା କରନ୍ତି । ତାଙ୍କ ସ୍ପର୍ଶରେ ରୋଗୀର କଷ୍ଟ ଲାଘବ ହୁଏ । ଯନ୍ତ୍ରଣା ଭିତରେ ବି ରୋଗୀ ନିରାମୟତାର ରାହା ପାଏ । ସତେ ଯେମିତି ତାଙ୍କ ସ୍ପର୍ଶରେ ଯାଦୁ ରହିଛି । ଏଭଳି ନିରଳସ ସେବା ପାଇଁ ସେ ବିଭିନ୍ନ ସ୍ଥାନରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ପ୍ରଶାସନ ତାଙ୍କୁ ୨୦୧୬, ୨୦୧୯ ଓ ୨୦୨୫ ମସିହାରେ ସମ୍ବର୍ଦ୍ଧିତ କରିଛି । ସିଏ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ଗ୍ରାମ ଗୌନ୍ତିଆପଡ଼ାର ଆଶାକର୍ମୀ କୁମାରୀ ନାଏକ ।
ଗତ ୨୦୦୫ ମସିହାରୁ ସେ ଆଶାକର୍ମୀ ଭାବରେ କାର୍ଯ୍ୟରେ ଯୋଗଦେଇ ଇତିମଧ୍ୟରେ ୨୦ବର୍ଷଧରି ସେବାକୁ ନିଜର ଧର୍ମ କରିଛନ୍ତି । ପ୍ରସବ କାଳୀନ ସେବା ହେଉ କି ଟିବିରେ ଆକ୍ରାନ୍ତ ରୋଗୀ ସଭିଙ୍କୁ ସମାନ ଭାବେ ସେବା ଯୋଗାନ୍ତି । ପରିବାର କହିଲେ ଦିବ୍ୟାଙ୍ଗ ଭାଇ, ଭାଇବୋହୂ ଓ ଭାଣିଜୀ ଅଛନ୍ତି । ଆଶାକର୍ମୀ ଭାବେ ଯାହା ଦରମା ମିଳେ ସେଥିରେ ତାଙ୍କର ପରିବାର ଚଳେ । ତେବେ ପରିବାର ଚଳାଇବା ପାଇଁ ସେ ନିଜ ଭବିଷ୍ୟତ କଥା ଭୁଲି ଯାଇଛନ୍ତି । ନିଜେ ବିବାହ କରି ନାହାନ୍ତି ଅଥଚ ପ୍ରସୂତୀ ମହିଳାଙ୍କ ଯନ୍ତ୍ରଣାକୁ ସେ ଗଭୀର ଭାବେ ଅନୁଭବ କରିଥାଆନ୍ତି । ମା’ଭଳି ପ୍ରସୂତୀଙ୍କ ପାଖେପାଖେ ରହି ସୁସ୍ଥ ପ୍ରସବ କରାଇଥାଆନ୍ତି ।
ଗତ କରୋନା ମହାମାରୀ ସମୟରେ କୁମାରୀ ନିଃସଙ୍କୋଚରେ ରୋଗୀଙ୍କୁ ସେବା ଯୋଗାଇଥିଲେ । ରୋଗୀଙ୍କୁ ଛୁଇଁବା ସହ ନେବାଆଣିବା ଏବଂ ଔଷଧ ଖୁଆଇବା ଭଳି କାର୍ଯ୍ୟକରି ବେଶ ପ୍ରଶଂସା ସାଉଁଟିଥିଲେ । ଜଣେ ଆଶାକର୍ମୀ ଭାବରେ ଆଜିବି ସେ ବେଶ କର୍ମତତ୍ପର । ଗାଁରେ ଯେକୌଣସି ସ୍ୱାସ୍ଥ୍ୟସେବା ଜନିତ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତି ଖୋଜା ପଡ଼େ । ଏପରିକି ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସକ୍ରିୟ ଆଶାକର୍ମୀ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ନିଃସଙ୍କୋଚ ସ୍ୱାସ୍ଥ୍ୟସେବା ଏବଂ ଜଣେ କର୍ମତତ୍ପର ଆଶାକର୍ମୀ ଭାବେ ଗାଁଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ତାଙ୍କର ବେଶ ସୁନାମ ରହିଛି । ଲୋକଙ୍କ ଭଲ ପାଇବା ଏବଂ ସରକାର ତାଙ୍କ ଉପରେ ଯେଭଳି ଆସ୍ଥା ଦେଖାଇଛନ୍ତି ତାହାକୁ ଦୃଷ୍ଟିରେ ରଖି ଜୀବନ ଥିବା ପର୍ଯ୍ୟନ୍ତ ସେ ରୋଗୀଙ୍କ ସେବା କରିଚାଲିଥିବେ ବୋଲି କୁମାରୀ କହିଛନ୍ତି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ ତଥା ସମାଜର ଅନ୍ୟ ମହିଳାଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି ।
ଆହୁରି ପଢ଼ନ୍ତୁ :- ଲୋକଙ୍କ ସେବାରେ ବ୍ରତୀ ସନ୍ନ୍ୟାସିନୀ, ଘରକୁ ଘର ବୁଲି କରନ୍ତି ମାଗଣା ଚିକିତ୍ସା, ଭିକ୍ଷା ଝୁଲି ଓ ଔଷଧ ଝୁଲା ପାଲଟିଛି ସାଥୀ