ପୁରୀ, ୦୪/୦୨: ଦୁରାରୋଗ୍ୟ କର୍କଟ । ଯେଉଁ ରୋଗର ନାଁ ଶୁଣିଲେ ମନରେ ଛନକା ପଶିଯାଏ । ଜୀବନ ବୋଝ ଭଳି ଲାଗେ । ସେହି ରୋଗ ସହ ହସିହସି ଲଢ଼ି କର୍କଟକୁ ପରାସ୍ତ କରିଛନ୍ତି ପୁରୀର ଡ. ମନସା ଶ୍ରୀଚନ୍ଦନ ରାୟ (୪୬) । ପାଇଛନ୍ତି ନୂଆ ଏକ ଜୀବନ । ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ନୂଆ ଚାକିରି ପାଇଛନ୍ତି । ପୁସ୍ତକ ରଚନା କରିଛନ୍ତି । ନିଜ ପାଇଁ ଅଳ୍ପ, ଅନ୍ୟ ପାଇଁ ଅଧିକ ବଞ୍ଚିବାର କଳା ଶିଖିଛନ୍ତି । କର୍କଟ ସହ ଲଢ଼େଇ ମଧ୍ୟରେ ସେ ସାଉଁଟିଥିବା ଉତ୍ସାହର ଉତ୍ସ ସବୁକୁ ଏବେ ସେ ସମାଜରେ ବାଣ୍ଟି ଚାଲିଛନ୍ତି । ପ୍ରତ୍ୟେକ ଦିନ କର୍କଟ ରୋଗୀମାନଙ୍କ ସହ କଥା ହୋଇ ସେମାନଙ୍କର ମନୋବଳ ବଢ଼ାଉଛନ୍ତି । ବୁଧବାର ସାରା ବିଶ୍ୱ କର୍କଟ ଦିବସ ପାଳନ କରୁଥିବା ବେଳେ ମନସାଙ୍କ ପ୍ରେରଣାଦାୟୀ ଯାତ୍ରାର ଅନୁଭୂତି ଏବେ ଅନ୍ୟ କର୍କଟ ରୋଗୀଙ୍କ ଜୀବନର ରାହା ପାଲଟିଛି ।

ପୁରୀର ଝିଅ ତଥା ପୁରୀର ବୋହୂ ମନସାଙ୍କର ୨୦୧୯ ମସିହାରେ ସ୍ତନ କର୍କଟ ରୋଗ ଚିହ୍ନଟ ହୋଇଥିଲା । ରୋଗ ଚିହ୍ନଟ ହେବା ଦିନଠାରୁ ହିଁ ସେ ଏହାକୁ ହରାଇବାକୁ ଦୃଢ଼ ମନସ୍ଥ କରିଥିଲେ । କୌଣସି ବି ପରିସ୍ଥିତିରେ ନ ହାରିବାକୁ ସେ ନିଶ୍ଚିତ କରିଥିଲେ । ଏଣୁ କର୍କଟ ରୋଗ ସଂପର୍କରେ ଜାଣିବା ଦିନ ହିଁ ସେ ନିଜ ପାଇଁ ନୂଆ ଶାଢ଼ି କିଣିଥିଲେ ବୋଲି କହିଛନ୍ତି । ନିଜର କର୍କଟ ଯାତ୍ରାର ଅନୁଭୂତି ବଖାଣି ମନସା କହିଛନ୍ତି, ହଠାତ୍ ଦିନେ ନିଜର ସ୍ତନରେ ସେ ଏକ ଟାଣ ପଦାର୍ଥ ଅନୁଭବ କରିଥିଲେ । ଡାକ୍ତରଙ୍କୁ ଏସମ୍ପର୍କରେ ଜଣାଇବାରୁ ଏହା କର୍କଟ ବୋଲି ଆଶଙ୍କା କରିବା ସହ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ସେ ଦ୍ୱିତୀୟ ପର୍ଯ୍ୟାୟ ଗ୍ରେଡ୍-୩ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହା ପରଠାରୁ ସେ ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦେଇ ଭଲ ହେବା ପାଇଁ ଶତପ୍ରତିଶତ ଉଦ୍ୟମ ଆରମ୍ଭ କରିଥିଲେ ।

୨୦୨୦ରୁ ୨୦୨୨ ଫେବ୍ରୁଆରୀ ମଧ୍ୟରେ ୧୭ ଥର କେମୋ ଓ ୨୫ ଥର ରାଡିଏସନ୍ ନେବା ପରେ ସେ କର୍କଟକୁ ହରାଇବାରେ ସକ୍ଷମ ହୋଇଛନ୍ତି । କର୍କଟ ରୋଗ ଚିହ୍ନଟ ପରେ ସେ ଚାକିରି ପାଇଁ ଆବେଦନ କରିବା ସହ ସାକ୍ଷାତକାର ଦେଇ କୃତକାର୍ଯ୍ୟ ହୋଇଥିଲେ । ବର୍ତ୍ତମାନ ସେ କେନ୍ଦ୍ର ସରକାରଙ୍କ ଅଧୀନ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରରେ ବରିଷ୍ଠ ଗବେଷିକା ଭାବେ କାର୍ଯ୍ୟରତ । କେବଳ ସେତିକି ନୁହେଁ କର୍କଟ ଚିହ୍ନଟ ପରେ ସେ ଉପେନ୍ଦ୍ରଭଞ୍ଜଙ୍କ ଦ୍ୱାରା କୃତ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଥମ ଅଭିଧାନକୁ ନେଇ "ଗୀତାଭିଧାନ: ଏକ ରୂପତାତ୍ତ୍ୱିକ ବିଶ୍ଳେଷଣ' ନାମକ ପୁସ୍ତକ ପ୍ରକାଶ କରିଛନ୍ତି । ଏହାସହ ସେ ୩ଟି ପୁସ୍ତକ ରଚନା କରିପାରିଛନ୍ତି । ନିଜର ଫାଙ୍କା ସମୟରେ ସେ ବିଭିନ୍ନ ବିଷୟ ବସ୍ତୁ ଉପରେ ୩୦ରୁ ଊଦ୍ଧ୍ୱର୍ ନିବନ୍ଧ ଲେଖି ଏହାକୁ ବିଭିନ୍ନ ଖବରକାଗଜରେ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ...ବିଶ୍ୱ କର୍କଟ ଦିବସ; ବଞ୍ଚିବା ଜିଦ୍‌ରେ ଜିତିଛି ଜୀବନ, ଜାଣନ୍ତୁ ଏହି ଯୋଦ୍ଧାଙ୍କ କାହାଣୀ...

ମନସା କହିଛନ୍ତି, କର୍କଟ ରୋଗ କୌଣସି ଦୟା କିମ୍ବା ସହାନୁଭୂତି ପାଇବାର ରୋଗ ନୁହେଁ । ଦୃଢ଼ ମନୋବଳ ସହ ସନ୍ତୁଳିତ ଖାଦ୍ୟ ଓ ଡାକ୍ତରୀ ଚେକ୍ଅପ୍ ଦ୍ୱାରା ଏହି ରୋଗକୁ ହରାଇ ହେବ । ପ୍ରତ୍ୟେକ ମହିଳା ନିୟମିତ ଭାବେ ନିଜର ସ୍ତନ ପରୀକ୍ଷା କଲେ ସ୍ତନ କର୍କଟ ରୋଗରୁ ରକ୍ଷା ପାଇପାରିବେ । ଏବେ ପ୍ରତି ଘରେ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ହେଲେ ଅଧିକାଂଶ କର୍କଟ ରୋଗୀ ସାମାଜିକ ଚାପରେ ଏବଂ ଅଜଣା ଭୟରେ ମାନସିକ ଅବସାଦରେ ରହୁଛନ୍ତି । ଏଣୁ ଏଭଳି କର୍କଟ ରୋଗୀଙ୍କ ସହ ମୁଁ ପ୍ରତ୍ୟେକ ଦିନ କଥା ହୋଇ ସେମାନଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରେ । କର୍କଟ ରୋଗୀ ହୋଇ ମଧ୍ୟ ମୋର ସ୍ୱଭାବିକ ଜୀବନ ଶୈଳୀ ସମ୍ପର୍କରେ ଲୋକଙ୍କୁ ଜଣାଏ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମୋର ଜୀବନର ଯାତ୍ରା ସମ୍ପର୍କରେ ଲୋକଙ୍କୁ ସଚେତନ କରାଏ ।

ସେ ଆହୁରି କହିଛନ୍ତି, କର୍କଟ ରୋଗ ଚିହ୍ନଟ ସମୟରେ ମୋତେ ଲଣ୍ଡା ହେବାର ଦେଖି ମୋ ପୁଅ କାନ୍ଦିଥିଲା । ହେଲେ ଏବେ ମୋର ଲମ୍ବା କେଶ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଡାକ୍ତରଖାନାରେ ତାଙ୍କର ଏହି ସକାରାତ୍ମକ ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କର ପ୍ରିୟ ହୋଇପାରିଥିବା କହିଛନ୍ତି । ସ୍ୱାମୀ ସିଦ୍ଧାର୍ଥ ରାୟ ଓ ପରିବାରର ଅସୀମ ସହଯୋଗ ପାଇଁ ସେ କର୍କଟକୁ ହରାଇବା ସମ୍ଭବ ହୋଇଥିବା ଶ୍ରୀମତୀ ରାୟ କହିଛନ୍ତି । ବଳକା ଜୀବନ ହସିଖେଳି, ନାଚିଗାଇ ବଞ୍ଚିବା ଓ ଅନ୍ୟ କାହା ଦୁଃଖ କାରଣ ନ ହେବାକୁ ମନସ୍ଥ କରି ସେ ବଞ୍ଚି ଚାଲିଛନ୍ତି ବୋଲି କହିଛନ୍ତି । ନିଜର ଚାକିରି ବାଦ୍ ଫାଙ୍କା ସମୟକୁ ସେ ନାଚିବା, କବିତାବୃତ୍ତି କରିବା, ଚିତ୍ର ଆଙ୍କିବା, ରୋଷେଇ କରିବା, ସିଲେଇ ଓ ବୁଣାବୁଣି କରିବା ସହ ପ୍ରଚ୍ଛଦପଟରେ ରହି ସମାଜସେବାରେ ବିତାଉଥିବା କହିଛନ୍ତି ।