ମୁମ୍ୱାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କ ପକ୍ଷରେ ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ । ଉଲ୍ଲେଖନୀୟ ଯେ, ଗୋଟିଏ ଫିଲ୍ମ ତିଆରି ହେଉଥିଲା , ଯାହାର ନାଆଁ ‘କାଲା ହିରଣ : ଦ ବ୍ୟାଟଲ ଫର୍ ଲେଗେସି’ ଥିଲା। ସଲମାନ ଏହି ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରି ଥିଲେ ଏବଂ ଫିଲ୍ମ ଉପରେ ରୋକ୍ ଲଗେଇବା ଦାବି କରିଥିଲେ। ସୋମବାର ଦିନ କୋର୍ଟ ଏହି ପିଟିସନରେ ଶୁଣାଣି କରି ନିର୍ମାତାଙ୍କୁ ଫିଲ୍ମ ସହ ଜଡ଼ିତ ଲିଙ୍କ୍ସ ସୋସିଆଲ ମିଡିଆରୁ ତୁରନ୍ତ ହଟେଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ସମୟରେ ଅଦାଲତ ଫିଲ୍ମ ନିର୍ମାତା ଅମିତ ଜାନୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିବା ସହ କଡ଼ା ଶବ୍ଦରେ ପ୍ରଶ୍ନ ପଚାରି ଥିଲେ। କୋର୍ଟ କହିଥିଲେ, " ଗତଥର କୌଣସି ଆଦେଶ ଦିଆ ଯାଇ ନଥିବାରୁ ମନେହେଉଛି ଆପଣଙ୍କ ସାହସ ବଢ଼ି ଯାଇଛି। ଆପଣ ନିଜକୁ ଆଇନ ଠାରୁ ଉର୍ଦ୍ଧ୍ୱରେ ବୋଲି ଭାବୁଛନ୍ତି। ଆପଣଙ୍କ ବ୍ୟବହାର ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆପଣ ଜଣେ ସାଧାରଣ ନାଗରିକଙ୍କ ସହ ଏପରି ବ୍ୟବହାର କରି ପାରିବେ ନାହିଁ।"

ସଲମାନ ଖାନ୍ଙ୍କ ଓକିଲ ଯୁକ୍ତି ଦର୍ଶାଇ ଥିଲେ ଯେ, କୃଷ୍ଣସାର ମୃଗ (ବ୍ଲାକବକ୍) ସହ ଜଡ଼ିତ ଚାରୋଟି ମାମଲା ମଧ୍ୟରୁ ତିନୋଟିରେ ସଲମାନ ଦୋଷମୁକ୍ତ ହୋଇ ସାରିଛନ୍ତି ଏବଂ ଚତୁର୍ଥ ମାମଲାରେ ସଜା ଉପରେ ସ୍ଥଗିତାଦେଶ ରହିଛି। ଓକିଲ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ , ଏହି ଫିଲ୍ମ ଜରିଆରେ ପୂରା ସମୁଦାୟକୁ ଅଭିନେତାଙ୍କ ବିରୋଧରେ ଉସକାଇବାକୁ ଚେଷ୍ଟା କରାଯାଉଛି।

ଆହୁରି ମଧ୍ୟ ପଢନ୍ତୁ - ରାଜେଶ ଖାନ୍ନାଙ୍କୁ କରାଯାଇ ଥିଲା ପୋଷ୍ୟ ପୁତ୍ର ; ଲିଭ୍-ଇନ୍ ପାର୍ଟନରଙ୍କ ବଡ଼ ଖୁଲାସା

ଅନ୍ୟପଟେ ନିର୍ମାତା ଅମିତ ଜାନୀଙ୍କ ଓକିଲ ନିଜ ପକ୍ଷ ରଖି କହି ଥିଲେ ଯେ, ଜାରି କରାଯାଇ ଥିବା ଟିଜରରେ ସଲମାନ ଖାନଙ୍କର କୌଣସି ପ୍ରତ୍ୟକ୍ଷ ଉଲ୍ଲେଖ ନାହିଁ। ଏହାସହ ସେ ଦାବିର ସହ କହିଥିଲେ ଯେ, ଟିଜରରେ କୌଣସି ପ୍ରକାରର AI କିମ୍ବା ଡିପଫେକ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇ ନାହିଁ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ନିର୍ମାତାଙ୍କ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରି ଥିଲେ। ଭ୍ରମାତ୍ମକ ସୂଚନା ପ୍ରସାରଣକୁ ରୋକିବା ପାଇଁ , ଏହି ଫିଲ୍ମ ସହ ଜଡ଼ିତ ସମସ୍ତ ଲିଙ୍କ୍ ଓ କଣ୍ଟେଣ୍ଟକୁ ପ୍ଲାଟଫର୍ମରୁ ହଟାଇବାକୁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇ ଥିଲେ।

'କାଲା ହିରଣ : ଦ ବ୍ୟାଟଲ୍ ଫର୍ ଲେଗାସୀ'କୁ ଅମିତ ଜାନୀ ପ୍ରଡ୍ୟୁସ୍ କରିଛନ୍ତି। ଏହି ଫିଲ୍ମ ଘୋଷଣା ହେବା ଦିନ ଠାରୁ ବିବାଦ ଘେରରେ ରହିଛି। ସଲମାନ ଖାନ୍ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାୟର କରି ଅଭିଯୋଗ କରିଛନ୍ତି ଯେ, ଏହି ଫିଲ୍ମ ତାଙ୍କର 'ପର୍ସନାଲିଟି ରାଇଟ୍ସ'ର ଉଲ୍ଲଂଘନ କରୁଛି। ସଲମାନ ଏହାର ରିଲିଜ୍ କିମ୍ବା ପ୍ରମୋସନ୍ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ତାଙ୍କ ଯୁକ୍ତି ଅନୁସାରେ, ଏହି ଫିଲ୍ମ ଯୋଗୁଁ ଜନସାଧାରଣଙ୍କ ମତାମତ ଉପରେ ଖରାପ ପ୍ରଭାବ ପଡ଼ି ପାରେ। ସେପଟେ ନିର୍ମାତାଙ୍କ କହିବା କଥା ଯେ , ଫିଲ୍ମରେ ସଲମାନ ଖାନଙ୍କ ନାଁ ନିଆ ଯାଇ ନାହିଁ ଏବଂ ଏହା ସାର୍ବଜନୀନ ଭାବେ ଉପଲବ୍ଧ ଘଟଣାବଳୀ ଉପରେ ଆଧାରିତ।