ଭୁବନେଶ୍ୱର,୦୪।୦୨: ହସଖୁସିରେ ଜୀବନ ବିତୁଥିଲା । ହେଲେ ଏଥିରେ ଦୁଃଖର କଳାବାଦଲ ଢାଙ୍କିଦେଲା କର୍କଟ । ବଞ୍ଚିବେ କି ମରିବେ, ଜଣାନଥିଲା । ଗୋଟିଏ ପଟେ ଶରୀରର ପୀଡ଼ା ଓ ଅନ୍ୟପଟେ ପରିବାର ଆଖିରେ ଲୁହ । ସେ ସମୟରେ ଲାଗୁଥିଲା, ଏ ଦୁର୍ବିସହ ଜୀବନ କିଭଳି ଜିଇଁବେ । ହେଲେ ଆତ୍ମବିଶ୍ୱାସ ଅସ୍ତ୍ର ପାଲଟିଲା । ମନକୁ ଦୃଢ଼ କରି କର୍କଟ ସହ ଲଢ଼ିଲେ । ଶେଷରେ କର୍କଟକୁ ହରାଇଲେ । ଏବେ ଏମାନେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଆସନ୍ତାକାଲି ବିଶ୍ୱ କର୍କଟ ଦିବସ ଅବସରରେ ଏଭଳି କିଛି କର୍କଟ ଯୋଦ୍ଧାଙ୍କୁ ନେଇ ପ୍ରମେୟର ସ୍ୱତନ୍ତ୍ର ଉପସ୍ଥାପନା ।
୨୦୧୮ ମସିହାର କଥା । ନବମରେ ପଢୁଥିଲେ କାହ୍ନା । ଦିନେ ପ୍ରବଳ ଥଣ୍ଡା ହୋଇଥିଲା । କାଶୁ କାଶୁ ପାଟିରୁ ରକ୍ତ ବାହାରିଲା । ଭାବିଲେ, ସାଧାରଣ ଥଣ୍ଡା ହୋଇଛି । ହେଲେ ଦିନେ କାଶିଲା ବେଳେ ଗାଢ଼ କଳା ରକ୍ତ ବି ପଡ଼ିଲା । ପରୀକ୍ଷାରୁ ଜଣାପଡିଲା ଲଙ୍ଗ୍ସ କ୍ୟାନସର୍ । ଭାଙ୍ଗିପଡିଥିଲେ ସେ ସମୟର ୧୬ବର୍ଷୀୟ କାହ୍ନା । ହେଲେ ଠିକ୍ ସମୟରେ ଚିକିତ୍ସା ଓ ଧୈର୍ଯ୍ୟ ପାଇଁ କାହ୍ନା ଆଜି କ୍ୟାନସରକୁ ମାତ୍ ଦେଇଛନ୍ତି । କଟକ ଜିଲ୍ଲା ମେରିଆ ବଜାରର ବାସିନ୍ଦା ସାଇ ସଂକଳ୍ପ ଜେନା ଓରଫ କାହ୍ନା । ଏବେ ତାଙ୍କ ବୟସ ୨୩ । ସ୍ୱର୍ଗତ ଶ୍ରୀମନ୍ତ ଜେନା ଓ ପଦ୍ମାବତୀଙ୍କ ଏକମାତ୍ର ପୁଅ କାହ୍ନା ନିଜ ଜୀବନର ସଂଘର୍ଷମୟ ସମୟକୁ ଭୁଲି ପାରିନାହାନ୍ତି । କାହ୍ନା କହିଛନ୍ତି, କ୍ୟାନସର ପାଇଁ ସେ ଦଶମ ଶ୍ରେଣୀ ପାଠ ପଢିପାରିନଥିଲେ । ଗୋଟିଏ ବର୍ଷ ବିଳମ୍ବ ହୋଇଥିଲା । ପ୍ରଥମେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସିଟି ସ୍କାନ୍ କରିବା ପରେ ଜଣାପଡିଥିଲା ସେ କ୍ୟାନ୍ସରର ଦ୍ୱିତୀୟ ପର୍ଯ୍ୟାୟରେ ଅଛନ୍ତି ।
ଆହୁରି ପଢନ୍ତୁ-ବନ୍ଧାକୋବି ଗାଡିରେ ଶିଳାବତୀ ଚାଲାଣ, ରେଡ୍ ମାରି କୋଟିଏ ଟଙ୍କାର ଗଞ୍ଜେଇ ଜବତ
ସଙ୍ଗେସଙ୍ଗେ ତାଙ୍କର କେମୋଥେରାପି ଆରମ୍ଭ ହୋଇଥିଲା । ସମ୍ ହସ୍ପିଟାଲରେ କାହ୍ନାଙ୍କ ଅପରେସନ୍ ହୋଇଥିଲା । ୬ଟି କେମୋ ନେବା ସହ ଦୁଇବର୍ଷ ପରେ କାହ୍ନା କର୍କଟରୁ ମୁକ୍ତ ହୋଇଥିଲେ । ଆଜି ସେ କ୍ୟାନସର ଜିତିଛନ୍ତି ସତ, ହେଲେ ରୋଗ ସମୟରେ ସାଥ୍ ଦେଇଥିବା ବାପାଙ୍କୁ ହରାଇଛନ୍ତି । ୨୦୨୩ରେ କାହ୍ନାଙ୍କ ବାପା ଆରପାରିକୁ ଚାଲିଯାଇଥିଲେ । ଏବେ କାହ୍ନା କ୍ୟାନସର ପୀଡିତଙ୍କୁ ସଚେତନ କରୁଛନ୍ତି । ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ବିବିଏ କରୁଥିବା କାହ୍ନାଙ୍କ ଲକ୍ଷ୍ୟ ରହିଛି, ଭଲ ବିଜନେସ୍ମ୍ୟାନ୍ ହେବେ ଓ କ୍ୟାନସର ଆକ୍ରାନ୍ତଙ୍କୁ ଚିକିତ୍ସାରେ ସହାୟତା କରିବେ ।
‘ସେବା ହିଁ ପରମଧର୍ମ’ ଲକ୍ଷ୍ୟପଥରେ ପରେଶ
ସେବା ପାଇଁ ତାଙ୍କର ଜନ୍ମ । ତାଙ୍କର ଗୋଟିଏ ଲକ୍ଷ୍ୟ ଯେ କେମିତି ଅନ୍ୟମାନଙ୍କ ବିପଦ ବେଳେ ଠିଆ ହେବେ । ବୋଧେ ଏଥିପାଇଁ କ୍ୟାନସର ତାଙ୍କ ଆଗରେ ହାର୍ ମାନିଥିଲା । ଏଭଳି ଜଣେ କର୍କଟଯୋଦ୍ଧା ହେଲେ କଟକ ବୟାଳିଶ ମୌଜାର ପରେଶ କୁମାର ସାହ(୫୮) । ପରେଶ ବୃତ୍ତିରେ ରୋଟାରୀ ଚକ୍ଷୁ ଚିକିତ୍ସାଳୟରେ ଜଣେ ସ୍ୱେଚ୍ଛାସେବୀ । ସେ ଭୁବନେଶ୍ୱର ସହ କଟକ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର ଭଳି ବିଭିନ୍ନ ସ୍ଥାନରେ ଶିବିର କରି ଗରିବ, ଅସହାୟଙ୍କ ଆଖି ପରୀକ୍ଷା କରିଆସୁଛନ୍ତି । ୨୦୧୭-୧୮ ମସିହାର କଥା । ଏକ ସ୍କୁଲରେ କ୍ୟାମ୍ପ୍ ସାରି, ପରେଶ ବରା, ସିଙ୍ଗଡା ଖାଇଥିଲେ । ଏହା ପରେ ତାଙ୍କ ପେଟରେ ଗୋଳମାଳ ହେବାସହ ଯନ୍ତ୍ରଣା ସୃଷ୍ଟି ହୋଇଥିଲା । ପରୀକ୍ଷା ପରେ କ୍ୟାନସର୍ ଥିବା ଜଣାପଡ଼ିଥିଲା । ତେବେ ପରେଶ ଭାଙ୍ଗି ପଡିନଥିଲେ ବରଂ ଲଢିଥିଲେ । ସନ୍ତୁଳିତ ଖାଦ୍ୟପେୟ ବି ଗ୍ରହଣ କରିଥିଲେ । ଚିକିତ୍ସା ସହ ଘରେ ଯୋଗ ଓ ହାଲୁକା ବ୍ୟାୟାମ କରୁଥିଲେ । ଖାଇବା, ପିଇବା ଆଚାର୍ଯ୍ୟ ହରିହରରେ ସେ ୧୨ଟି କେମୋ ନେବା ପରେ ପରେଶ ଏବେ କର୍କଟକୁ ହରାଇଛନ୍ତି । ସୁସ୍ଥ ହେବା ପରେ ପରେଶ ପୁଣି ସେବା କାର୍ଯ୍ୟ ଚାଲୁରଖିଛନ୍ତି । ଗତ ୧୦ବର୍ଷ ମଧ୍ୟରେ ସେ ୩ଲକ୍ଷ ସ୍କୁଲରେ ଆଖି ପରୀକ୍ଷା ଶିବିର ଓ ୫୦ହଜାର ଲୋକଙ୍କ ମାଗଣାରେ ଆଖି ପରୀକ୍ଷା କରିସାରିଲେଣି । ପୁଅ ଶୁଭଙ୍କର ସାହୁ ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ପଢୁଛନ୍ତି ।