• ପ୍ରଳୟ’ ମିସାଇଲ୍‌ର ସଫଳ ଉତ୍‌କ୍ଷେପଣ
  • ଗୋଟିଏ ଲଞ୍ଚରରୁ ଦୁଇଟି କ୍ଷେପଣାସ୍ତ୍ରର ଲଞ୍ଚ
  • ୧୦୦୦ କିଲୋଗ୍ରାମ ଗୋଳାବାରୁଦ ବହନ କ୍ଷମତା
  • ଟାର୍ଗେଟରେ ପାକିସ୍ତାନର ୧୦ ସହର

ନୂଆଦିଲ୍ଲୀ,୩୧।୧୨: ଭାରତର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ପାଇଁ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ‘ପ୍ରଳୟ’ କ୍ଷେପଣାସ୍ତ୍ରର  ସଫଳ ଉତ୍‌କ୍ଷେପଣ କରିଛି। ଏହି ପରୀକ୍ଷଣକୁ ଦେଶର ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ଏବଂ ଦ୍ରୁତ ପ୍ରତିକ୍ରିୟା କ୍ଷମତାର ଏକ ପ୍ରମୁଖ ପ୍ରଦର୍ଶନ ବୋଲି ବିବେଚନା କରାଯାଏ। କମ୍ ସମୟ ବ୍ୟବଧାନରେ ଗୋଟିଏ ଲଞ୍ଚରରୁ ଦୁଇଟି କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ବୁଧବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଏହାକୁ ଓଡିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସମୟରେ ମିସାଇଲ ଉପରେ କଡ଼ା ନଜର ରଖିବା ପାଇଁ ଚାନ୍ଦିପୁରରେ ଥିବ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରେ ସେନ୍ସର ଲଗାଯାଇଥିଲା। ଅନ୍ତିମ ପର୍ଯ୍ୟାୟ ଘଟଣାର ସଫଳତାପୂର୍ବକ ରେକର୍ଡ କରାଯାଇଥିଲା। ‘ପ୍ରଳୟ’ ଏକ ସ୍ବଦେଶୀ ଏବଂ କଠିନ ଇଞ୍ଜିନରେ ଚାଲୁଥିବା କ୍ବାସି ବାଲାଷ୍ଟିକ୍ ମିସାଇଲ। ଏଥିରେ ଅତ୍ୟାଧୁନିକ ଗାଇଡେନ୍ସ ଓ ନାଭିଗେସନ୍ ସିଷ୍ଟମ ଲଗାଯାଇଛି,ଯାହାଫଳରେ ଏହା ଖୁବ୍ ସଠିକ୍ ଟାର୍ଗେଟ କରିବାରେ ସକ୍ଷମ। ଏହି ମିସାଇଲ ଅଲଗା ଅଲଗା ଭାବରେ ଓ୍ବାରହେଡ୍ ନେଇଯିବାରେ ସକ୍ଷମ ଓ ବିଭିନ୍ନ ଲକ୍ଷ୍ୟକୁ ଭେଦ କରିପାରେ। ଫଳରେ ଏହାର ଉପଯୋଗୀତା ଓ ପ୍ରଭାବଶୀଳତା ବଢିଯାଏ।

ଘଣ୍ଟା ପ୍ରତି ୭୫୦୦ କିଲୋମିଟର ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ୧୦୦୦ କିଲୋଗ୍ରାମ ଗୋଳାବାରୁଦ ବହନ କରିପାରିବ। ଫିରୋଜପୁର, ଜୈସଲମେର ଏବଂ ଭୁଜରେ ଭାରତର ପ୍ରମୁଖ ସାମରିକ ଘାଟିରୁ ଏହା ୧୦ଟି ପ୍ରମୁଖ ପାକିସ୍ତାନୀ ସହରକୁ ଟାର୍ଗେଟ କରିପାରିବ: ଲାହୋର, ଫୈସଲାବାଦ, ଗୁଜରାନୱାଲା, ରାୱଲପିଣ୍ଡି, ଇସଲାମାବାଦ, ବାହାୱଲପୁର, ମୁଲତାନ, ଲାହୋର, କରାଚୀ, ହାଇଦ୍ରାବାଦ ଏବଂ ସୁକ୍କୁରକୁ ଟାର୍ଗେଟ କରିବାର କ୍ଷମତା ରହିଛି।

ହାଇଦ୍ରାବାଦ ସ୍ଥିତ ରିସର୍ଚ୍ଚ ସେଣ୍ଟରରେ ‘ପ୍ରଳୟ’ ମିଶାଇର ଡେଭଲପ୍ କରାଯାଇଛି। ଏଥିରେ ଡିଆରଡିଓର ବହୁ ଲ୍ୟାବ ଓ ଭାରତୀୟ ଉଦ୍ୟୋଗର ସହଯୋଗ ରହିଛି। ଭାରତ ଡାୟୋନେମିକ୍ସ ଲିମିଟେଡ୍ ଓ ଭାରତ ଇଲେକ୍ଟେ୍ରାନିକ୍ସ ଲିମିଟେଡ୍ ବିକାଶ ସହ ଉତ୍ପାଦନ ଭାଗିଦାରୀ ରୂପରେ ସିଷ୍ଟମ ଇଣ୍ଟିଗ୍ରେସନ୍ର କାମ କରିଛି। ଏହି ପରୀକ୍ଷଣକୁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ, ଭାରତୀୟ ବାୟୁସେନା ଓ ଭାରତୀୟ ସେନାର ପ୍ରତିନିଧି ଦେଖିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ସଫଳ ଲଞ୍ଚକୁ ନେଇ ଡିଆରଡିଓ, ଭାରତୀୟ ସେନା, ଭାରତୀୟ ବାୟୁସେନା ଓ ପ୍ରତିରକ୍ଷା ସାର୍ବଜନୀନ କ୍ଷେତ୍ରର ଉପକ୍ରମକୁ ଶୁଭେଚ୍ଛା ଜଣାଇଛନ୍ତି। ସେଭଳି ଡିଆରଡିଓ ମୁଖ୍ୟ କହିଛନ୍ତି, ଏହି ସଫଳତା ପ୍ରଳୟ ମିସାଇଲକୁ ଖୁବ୍ ଶୀଘ୍ର ସେନାରେ ସାମିଲ ହେବାର ପ୍ରସ୍ତୁତିକୁ ଦର୍ଶାଉଛି।

ଆହୁରି ପଢନ୍ତୁ :ଗଲ୍ଫ ଦେଶରେ ‘ବିଗ୍ ବ୍ରଦର’ ହେବାକୁ ସାଉଦିର ଚେଷ୍ଟା, କ୍ରାଉନ୍ ପ୍ରିନ୍ସ ସଲମାନଙ୍କ ଆକ୍ରାମକ ନୀତି ୟୁଏଇ ସହ ଖରାପ କରୁଛି ସମ୍ପର୍କ