ନୂଆଦିଲ୍ଲୀ,୩୧।୧୨: ଦୁଇ ଉପସାଗରୀୟ ରାଷ୍ଟ୍ର ମଧ୍ୟରେ ପୁଣିଥରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଏହି ଦୁଇ ଦେଶ ହେଉଛି ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇ। ସାଉଦି ଆରବ ୪୦ ବର୍ଷୀୟ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନେତୃତ୍ୱରେ ପରିଚାଳିତ ହେଉଛି, ସେପଟେ ମହମ୍ମଦ ବିନ୍ ଜାଏଦ ୟୁଏଇର ନେତୃତ୍ୱ ନେଉଛନ୍ତି। ଏହି ଦୁଇ ଇସଲାମିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲେ ମଧ୍ୟ, ଆଜିର ଆଧିପତ୍ୟବାଦୀ ରାଜନୀତି ଏବଂ ଭୂରାଜନୈତିକ ଚାଲବାଜି ଏହି ଦୁଇ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରକୁ ମଧ୍ୟ ଖରାପ କରିଦେଇଛି। ଏବେ ଏହି ସଂଘର୍ଷର ପ୍ଲେଗ୍ରାଉଣ୍ଡ ପାଲଟିଛି ୟେମେନ୍।
ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଗଲା ଯେ ସାଉଦି ଆରବ ୟେମେନରେ ୟୁଏଇ ସାମରିକ ଜାହାଜ ଉପରେ ବିନାଶକାରୀ ଆକ୍ରମଣ ଆରମ୍ଭ କରିଛି। ଏହା ସହ ୪୮ ଘଣ୍ଟା ମଧ୍ୟରେ ୟୁଏଇକୁ ତାର ସୈନ୍ୟ ପ୍ରତ୍ୟାହାର କରିବାକୁ ଚରମବାଣୀ ଦେଇଥିଲା। ୟୁଏଇ ତୁରନ୍ତ ସାଉଦି ଆରବର ଧମକ ଆଗରେ ମୁଣ୍ଡ ନୁଆଁଇଥିଲା ଏବଂ ନିଃସର୍ତ୍ତ ଭାବରେ ୟେମେନରୁ ତାର ସୈନ୍ୟ ପ୍ରତ୍ୟାହାର କରିନେଇଥିଲା। ଏହା ସହିତ, ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ଉପସାଗରୀୟ ଅଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏହି ଘଟଣା ଉପସାଗରୀୟ ସହଯୋଗ ପରିଷଦର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖାଇଛି, ଯେଉଁଠାରେ ସାଉଦି ଆରବ ତାର ଆଞ୍ଚଳିକ ନେତୃତ୍ୱ ଭୂମିକାକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପାଇଁ, ଏହି ପ୍ରୟାସରେ ସଫଳ ହେଉଥିବା ଦେଖାଯାଉଛି।
ଏହି ସମୟରେ, ସାଉଦି ଆରବ ୟେମେନର ମୁକାଲ୍ଲା ପୋର୍ଟ ଉପରେ ହୋଇଥିବା ଆକ୍ରମଣର ବିବରଣୀ ପ୍ରଦାନ କରିଛି। ଏହି ବନ୍ଦରରେ ସାଉଦି ଆରବ ୟେମେନର ବିଦ୍ରୋହୀ ଗୋଷ୍ଠୀ, ଦକ୍ଷିଣ ଟ୍ରାଞ୍ଜିସନାଲ କାଉନସିଲ (ଏସ୍ଟିସି) କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ସାଉଦି ଆରବ କହିଛି , ୟୁଏଇର ଏହି କାର୍ଯ୍ୟ ସାଉଦି ସାର୍ବଭୌମତ୍ୱର ଏକ ‘ରେଡ୍ ଲାଇନ୍’ ଅତିକ୍ରମ କରିବା ସହ ସମାନ। ଅଲ ଜଜିରା ଅନୁଯାୟୀ, ସାଉଦି ମିଳିତ ବାହିନୀର ମୁଖପାତ୍ର ମେଜର-ଜେନେରାଲ ତୁର୍କି ଅଲ-ମାଲିକୀ କହିଛନ୍ତି ଯେ ମୁକାଲ୍ଲା ବନ୍ଦରରେ ପ୍ରବେଶ କରିବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ଦୁଇଟି ଜାହାଜରେ ୮୦ ରୁ ଅଧିକ ଯାନ ଏବଂ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଥିବା କଣ୍ଟେନର ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁଏଇ ସାଉଦି ଆରବକୁ ସୂଚନା ନ ଦେଇ ଅଲ-ରାୟାନ ଘାଟିକୁ ବାହନ, କଣ୍ଟେନର ଏବଂ ଏମିରେଟ୍ ସୈନ୍ୟ ପଠାଇଛି।
ସାଉଦି ଆରବ ମଙ୍ଗଳବାର କହିଛି ଯେ ୟୁଏଇ ହାଡ୍ରାମାଉଟ୍ ଏବଂ ମାହରା ପ୍ରଦେଶରେ ସାମରିକ ଅଭିଯାନ ଆରମ୍ଭ କରିବା ପାଇଁ ଏସ୍ଟିସି ଉପରେ ଚାପ ପକାଇଥିଲା। ରିୟାଦ କହିଛି ଯେ,ଏହି ପଦକ୍ଷେପଗୁଡ଼ିକୁ ଏହାର ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ବିବେଚନା କରେ। ଏସଟିସି ବର୍ତ୍ତମାନ ହାଡ୍ରାମାଉଟ୍ ଏବଂ ମାହରାକୁ ନିୟନ୍ତ୍ରଣ କରେ। ମେଜର-ଜେନେରାଲ ତୁର୍କି ଅଲ-ମାଲିକୀ କହିଛନ୍ତି, ‘ସାଉଦି ଆରବ ଗୁରୁତ୍ୱ ଦିଏ ଯେ ଏହା ଜାତୀୟ ସୁରକ୍ଷା ପ୍ରତି ଯେକୌଣସି ବିପଦର ଏକ ରେଡ୍ ଲାଇନ୍। ଏପରି ଯେକୌଣସି ବିପଦର ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବ ନାହିଁ।’ ଏହି ଘଟଣା ଆରବର ଆଞ୍ଚଳିକ ରାଜନୀତିରେ ଫାଟ ସୃଷ୍ଟି କରିଛ। ବିଶ୍ଲେଷକଙ୍କ ମତରେ ପ୍ରିନ୍ସ ସଲମାନଙ୍କ ଆକ୍ରାମକ ନୀତି ସାଉଦି ଆରବକୁ ଗଲ୍ଫର ‘ବିଗ୍ ବ୍ରଦର’ କରିବାର ଚେଷ୍ଟା, କିନ୍ତୁ ଏହାଦ୍ବାରା ୟୁଏଇ ଭଳି ସହଯୋଗୀ ସହ ଦୂରତ୍ବ ବଢିପାରେ। ୟେମେନ୍ ସହ ଯଦିଓ ସ୍ଥିତି ମଜବୁତ ହେବ,କିନ୍ତୁ ଦୀର୍ଘ ସମୟ ଧରି ଜିସିସିର ଏକତା ଉପରେ ପ୍ରଶ୍ନ ଉଠାଇବ।
ଆହୁରି ପଢନ୍ତୁ :୧ ଜାନୁଆରୀକୁ ବୈଜ୍ଞାନିକମାନେ କାହିଁକି ମାନନ୍ତି ‘ଜିରୋ ପଏଣ୍ଟ’, ଜାଣନ୍ତୁ ଏହା ପଛର ରୋଚକ ଏବଂ ଐତିହାସିକ ତଥ୍ୟ