ସକାଳେ ଉଠିବା ପରେ ଖାଲି ପେଟରେ ପାଣି ପିଇବାକୁ ନେଇ ଅନେକ ମତ ରହିଛି । କେହି କୁହନ୍ତି ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ଓଜନ କମାଇଥାଏ ଏବଂ ପାଚନ ଶକ୍ତି ବଢ଼ାଇଥାଏ। ଅନ୍ୟପଟେ ଅନେକ ଏହାକୁ କେବଳ ଏକ ପ୍ରଚଳିତ ଧାରଣା ବୋଲି ମାନନ୍ତି। ତେବେ ପ୍ରକୃତରେ ଏହାର ସତ୍ୟତା କ’ଣ? ବୈଜ୍ଞାନିକ ଗବେଷଣା କ’ଣ କହୁଛି ? ଆସନ୍ତୁ ଜାଣିବା…
ଶରୀରର ପ୍ରାୟ ୬୦ ପ୍ରତିଶତ ଅଂଶ ପାଣିରେ ଗଠିତ। ପାଚନ ପ୍ରକ୍ରିୟା, ରକ୍ତ ସଞ୍ଚାଳନ, ଶରୀରର ତାପମାତ୍ରା ନିୟନ୍ତ୍ରଣ, ପୋଷକ ତତ୍ତ୍ୱ ଓ ଅକ୍ସିଜେନ୍ ପରିବହନ ସହିତ ପ୍ରତ୍ୟେକ ଅଙ୍ଗର ସ୍ୱାଭାବିକ କାର୍ଯ୍ୟ ପାଇଁ ପାଣି ଅତ୍ୟନ୍ତ ଜରୁରୀ। ସେଥିପାଇଁ ଶରୀରରେ ପାଣିର ଅଭାବ ହେଲେ କ୍ଲାନ୍ତି, ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ ଓ ଅନ୍ୟାନ୍ୟ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୬ରୁ ୮ ଘଣ୍ଟାର ନିଦ ସମୟରେ ଶରୀରକୁ ପାଣି ମିଳିନଥାଏ। ଏହି କାରଣରୁ ସକାଳେ ଉଠିବା ପରେ ପାଣି ପିଇଲେ ଶରୀର ପୁଣିଥରେ ହାଇଡ୍ରେଟେଡ୍ ହୋଇଥାଏ। ଏହା ଶରୀରର ସାଧାରଣ କାର୍ଯ୍ୟକୁ ସକ୍ରିୟ କରିବାରେ ସହାୟକ ହୋଇପାରେ।
ଖାଲି ପେଟରେ ପାଣି ପିଇଲେ ମିଳେ କି ଅଧିକ ଲାଭ ?
ଏକ ସୂଚନା ଅନୁଯାୟୀ, ସକାଳେ ପାଣି ପିଇବା ଦ୍ୱାରା ଶରୀରକୁ ପୁନଃ ହାଇଡ୍ରେଟ୍ କରିବାରେ ସହାୟତା ମିଳେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ଦୃଢ଼ ବୈଜ୍ଞାନିକ ପ୍ରମାଣ ନାହିଁ । ସକାଳେ ଖାଲି ପେଟରେ ପାଣି ପିଇବା ଦିନର ଅନ୍ୟ ସମୟରେ ପାଣି ପିଇବା ଅପେକ୍ଷା ଅଧିକ ସ୍ୱାସ୍ଥ୍ୟ ଲାଭ ଦେଇଥାଏ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ସାରା ଦିନ ଶରୀରକୁ ପର୍ଯ୍ୟାପ୍ତ ପାଣି ଯୋଗାଇବା ବମ୍ ବଡ଼ଦାୟିତ୍ବ ।
ଦିନକୁ କେତେ ପାଣି ପିଇବା ଉଚିତ ?
ପାଣିର ଆବଶ୍ୟକତା ଶରୀର ଅନୁଯାୟୀ ହୋଇଥାଏ। ବୟସ, ଋତୁ, ପାଣିପାଗ, ଶାରୀରିକ ପରିଶ୍ରମ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏହା ନିର୍ଭର କରେ। ଖରାଦିନ, ବ୍ୟାୟାମ କିମ୍ବା ଅଧିକ ଝାଳରେ କାମ କରୁଥିଲେ ଶରୀରକୁ ଅଧିକ ପାଣି ଆବଶ୍ୟକ ହୋଇଥାଏ। ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ଶୋଷ ଲାଗିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଦିନସାରା ଅଳ୍ପ ଅଳ୍ପ କରି ପାଣି ପିଇବା ଭଲ। ଏହାଛଡ଼ା ଫଳ, ପନିପରିବା, କ୍ଷୀର ଓ ଅନ୍ୟ ତରଳ ଖାଦ୍ୟରୁ ମଧ୍ୟ ଶରୀର ପାଣି ପାଇଥାଏ।
ପାଣି ପିଇବା ବେଳେ ସତର୍କତା
- ସକାଳେ ଉଠିବା ପରେ ଧୀରେ ଧୀରେ ପାଣି ପିଅନ୍ତୁ
- ଏକାଥରେ ଅତ୍ୟଧିକ ପାଣି ପିଇବାରୁ ବିରତ ରୁହନ୍ତୁ
- ଦିନସାରା ନିୟମିତ ବ୍ୟବଧାନରେ ପାଣି ପିଅନ୍ତୁ
- କିଡନୀ କିମ୍ବା ହୃଦରୋଗୀ ଡାକ୍ତରଙ୍କ ପରାମର୍ଶ ନେଇ ପାଣି ପିଅନ୍ତୁ
- ହାଲୁକା ହଳଦିଆ ପରିସ୍ରା ସାଧାରଣତଃ ଶରୀରରେ ପର୍ଯ୍ୟାପ୍ତ ପାଣି ଥିବାର ସଙ୍କେତ ଦେଇଥାଏ
- ରାତିର ନିଦ ପରେ ପାଣି ପିଇବା ଶରୀରକୁ ପୁନଃ ହାଇଡ୍ରେଟ୍ କରିବାରେ ସହାୟକ ହେଇଥାଏ
- ଖାଲି ପେଟରେ ପାଣି ପିଇଲେ ସ୍ୱାସ୍ଥ୍ୟ ଲାଭ ମିଳେ ବୋଲି ଦୃଢ଼ ବୈଜ୍ଞାନିକ ପ୍ରମାଣ ନାହିଁ
- ସମୟ ନୁହେଁ, ସାରା ଦିନ ପର୍ଯ୍ୟାପ୍ତ ପାଣି ପିଇବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
- ବୟସ, ପାଣିପାଗ ଓ ଶାରୀରିକ ପରିଶ୍ରମ ଅନୁସାରେ ପାଣିର ଆବଶ୍ୟକତା ବଦଳିଥାଏ
- ସନ୍ତୁଳିତ ଖାଦ୍ୟ, ସୁସ୍ଥ ଜୀବନଶୈଳୀ ଓ ନିୟମିତ ପାଣି ପିଇବା ହିଁ ଭଲ ସ୍ୱାସ୍ଥ୍ୟର ଚାବିକାଠି