ମୁମ୍ବାଇ,୨୨/୦୭: ଫିଲ୍ମରୁ ପାଇଥିଲେ ହତ୍ୟା କରିବାର ଉପାୟ । ବଲିଉଡ୍‌ର ବ୍ଲକ୍‌ବଷ୍ଟର ଫିଲ୍ମ ‘ଦୃଶ୍ୟମ୍‌’ରୁ ନେଇଥିଲେ ଆଇଡିଆ ଏବଂ ସ୍ୱାମୀଙ୍କୁ କରିଥିଲେ ହତ୍ୟା । କେହି ଯେପରି ମୃତଦେହର ସୁରାଗ ନ ପାଆନ୍ତି  ସେଥିପାଇଁ "ଦୃଶ୍ୟମ' ଫିଲ୍ମରେ ଦେଖାଯାଇଥିବା ଢଙ୍ଗରେ ଲୁଚାଇ ଦେଇଥିଲେ ମୃତଦେହ । ହେଲେ ବାସ୍ତବ ଜୀବନରେ ଫିଲ୍ମ ଭଳି ଏହି କାହାଣୀ ଫ୍ଲପ୍‌ ହୋଇଛି । ପୁଲିସ ମୃତଦେହ ପାଇବା ପରେ ଅଭିଯୁକ୍ତ ସ୍ତ୍ରୀ ଏବଂ  ତାଙ୍କ ପ୍ରେମିକଙ୍କୁ ଖୋଜୁଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ହତ୍ୟାକାଣ୍ଡ  ଘଟିଛି । ପ୍ରେମିକଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ସ୍ତ୍ରୀ ତାଙ୍କର ମୃତଦେହକୁ ଘରର ଚଟାଣ ତଳେ ପୋତି  ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।   

ସୂଚନା ଅନୁସାରେ, ୩୫ ବର୍ଷୀୟ ବିଜୟ  ଚୌହାନ ବିଗତ ୧୫ ଦିନ ହେଲା ନିଖୋଜ  ଥିଲେ । ସେ ମୁମ୍ବାଇଠାରୁ ୭୦ କିମି  ଦୂରରେ ନଲାସୋପରା ଇଷ୍ଟର ଗଡଗପଡା  ଅଞ୍ଚଳରେ ପତ୍ନୀ କୋମଲ(୨୮)ଙ୍କ ସହ  ରହୁଥିଲେ । ବିଜୟ ନିଖୋଜ ଥିବାରୁ ତାଙ୍କ  ସନ୍ଧାନରେ ତାଙ୍କ ଭାଇମାନେ ସୋମବାର  ସେ ରହୁଥିବା ଘରେ ପହଞ୍ଚିଥିଲେ । ତେବେ ଏହି ସମୟରେ ତାଙ୍କ ଘରର  କିଛି ଫ୍ଲୋର ଟାଇଲ୍ସର ରଙ୍ଗ ଅନ୍ୟ ଟାଇଲ୍ସ  ସହ ମିଶୁନଥିବା ଦେଖି ଭାଇମାନଙ୍କ  ମନରେ ସନ୍ଦେହ ଆସିଥିଲା । ସେମାନେ ଭିନ୍ନ ରଙ୍ଗର ଟାଇଲ୍ସକୁ କାଢ଼ି ବାହାର କରିଦେଇଥିଲେ । ଏହାପରେ ସେଠାରେ ଏକ ଗଞ୍ଜି ପୋତାଯାଇଥିବା ଦେଖିଥିଲେ । ସେଥିରୁ ଦୁର୍ଗନ୍ଧ ବାହାରୁଥିଲା ।  ଭୟଭୀତ ହୋଇ ସେମାନେ ପୁଲିସକୁ  ସୂଚନା ଦେଇଥିଲେ । ପୁଲିସ ସେଠାରୁ ବିଜୟଙ୍କର ମୃତଦେହ ବାହାର  କରିଥିଲା । ପତ୍ନୀ କୋମଲ ବିଜୟଙ୍କୁ  ତାଙ୍କ ପଡ଼ୋଶୀ ମୋନୁଙ୍କ ସହାୟତାରେ  ହତ୍ୟା କରିଥିବା ପୁଲିସ ସନ୍ଦେହ  କରୁଛି । ସେମାନଙ୍କ ମଧ୍ୟରେ ଦୀର୍ଘ  ଦିନ ହେଲା ପ୍ରେମ ସଂପର୍କ ରହିଥିଲା ।