ନୂଆପଡ଼ା,୧୩/୯(ଆପ୍ର): ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ସୀମାନ୍ତରେ ତିନି ଜଣ ଯୁବକ ଲିଫ୍ଟ ମାଗି  ଜଣେ ଡ୍ରାଇଭରଙ୍କୁ ଛୁରା ମାଡ଼ କରି ଲୁଟ ଉଦ୍ୟମ କରିଛନ୍ତି। ତେବେ ଡ୍ରାଇଭର ଜଣକ ସାହାସିକତା ଦେଖାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଡ୍ରାଇଭର ଲାଲ ରାଉତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ଧରମବନ୍ଧା ଥାନା ଅଧୀନ ଧରମବନ୍ଧା ଗାଁ ଲାଲା ନୂଆପଡ଼ା ସହରରେ ଘରୋଇ ଗାଡ଼ି ଚଲାଉଥିଲେ । ଶନିବାର ଅପରାହ୍ନରେ ଲାଲା ଜଣେ ବ୍ୟକ୍ତିଙ୍କୁ ରାୟପୁର ଏୟାର ପୋର୍ଟକୁ ଗାଡ଼ିରେ ଆଣିବାକୁ ଯାଉଥିଲେ । ଜୋଙ୍କ ଥାନା ଖରିଆରରୋଡ଼ ସହର ଛତିଶଗଡ଼ ସୀମାନ୍ତରେ ୩ଜଣ ଅଚିହ୍ନା ଯୁବକ ଲାଲାଙ୍କୁ ଲିଫ୍ଟ ମାଗିଥିଲେ । ତେବେ ଗାଡ଼ିରେ ଲାଲ ଜଣେ ବସିଥିବାରୁ ୩ଜଣ ଯୁବକଙ୍କୁ ଲିଫ୍ଟ ଦେଇଥିଲେ । ସେଠାରୁ କିଛି ଦୂର ଯିବା ପରେ ଗାଡ଼ିକୁ ଅଟକାଇ ୩ଜଣ ଯୁବକ ଲାଲାଙ୍କ ବେକକୁ ଛୁରୀରେ ଆକ୍ରମଣ କରିଥିଲେ । ଛୁରା ମାଡ଼ରେ ଲାଲା ଲହୁଲୁହାଣ ହୋଇଥିଲେ । ତଥାପି ସାହାସିକତା ଦେଖାଇ ୩ଯୁବକଙ୍କ ସହ ଲଢେଇ କରିଥିଲେ । ଶେଷରେ ଛୁରୀ ଓ ମୋବାଇଲକୁ ଛଡ଼ାଇବାରେ ଡ୍ରାଇଭର ଲାଲା ସଫଳ ହୋଇଥିଲେ । ସେଠି ୩ଜଣ ଯୁବକ ଜୀବନ ଭୟରେ ଫେରାର ହୋଇଥିଲେ । ସେଠାରୁ ବହୁତ କଷ୍ଟରେ ମହାସମୁନ୍ଦ ଜିଲ୍ଲା ବାଗବାହାରା ଥାନାକୁ ଯାଇଥିଲେ । ସେଠି ୩ଜଣ ଅଜଣା ଯୁବକଙ୍କ ନାଁରେ ଅଭିଯୋଗ କରିବା ସହ ଛୁରୀ ଓ ମୋବାଇଲକୁ ଜିମା ଦେଇଥିଲେ । ଏହି ଖବର ପାଇଁ ପରିବାର ଲୋକେ ବାଗବାହାରା ଥାନାରେ ପହଞ୍ଚିଥିଲେ । ପରେ ଲାଲାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଡ୍ରାଇଭର ଲାଲାଙ୍କ ସାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ବାଗବାହାରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ସୂଚନା ମିଳିଛି ।