ଭୁବନେଶ୍ଵର, ୨୧/୦୨ : ବଡ଼ଦେଉଳକୁ ଅମାନିଆ ଚିନ୍ତା। ବିଧାନସଭାରେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ। ଅମାନିଆଙ୍କ ଡ୍ରୋନ୍ ଉଡାଇବାକୁ ନେଇ ଗୃହରେ ଉଦବେଗ। ୨୦୨୪ ଜୁନ୍ ରୁ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ଉପରେ ୧୦ ଥର ଉଡିଛି ଡ୍ରୋନ୍। ଏନେଇ ୧୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୨ଟି ମାମଲାରେ ଫାଇନାଲ୍ ଫର୍ମ ପ୍ରଦାନ କରାଯାଇଛି। ବାକି ୮ଟି ମାମଲାର ତଦନ୍ତ ଜାରି ରହିଛି।

ସେହିପରି ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ ଧରି ପ୍ରବେଶ କରିଛନ୍ତି। ଯେଉଁଥି ପାଇଁ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଘଟଣାରେ ସିଂହଦ୍ଵାର ଥାନାରେ ୯ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୭ ଟିର ଫଇସଲା ହୋଇଛି ଓ ୨ ଟି ମାମଲାର ତଦନ୍ତ ଚାଲିଛି। ଶ୍ରୀମନ୍ଦିର ଭିତରେ/ପରିସରରେ ବେଆଇନ ଭାବେ ଫଟୋ/ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ୮ ଥର ପ୍ରସାରଣ କରିଥିବାର ନଜରକୁ ଆସିଥିବାରୁ ସିଂହଦ୍ବାର ଥାନାରେ ୮ଟି ମାମଲା ରୁଜୁ କରାଯାଇଛି। ସେଥି ମଧ୍ୟରୁ ୫ଟି ମାମଲାର ତଦନ୍ତ ସରିଛି ଓ ୩ଟି ମାମଲା ବିଚାରାଧୀନ ଅଛି। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛନ୍ତି ଓଡ଼ିଶାର ୧୨ ଜିଲ୍ଲା, ୫ଟି କାରଣ କହିଲେ ଉପମୁଖ୍ୟମନ୍ତ୍ରୀ