ଭୁବନେଶ୍ଵର, ୨୧/୦୨ : ଓଡ଼ିଶାକୁ ଚିନ୍ତା ବାଲ୍ୟ ବିବାହ। ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛି ରାଜ୍ୟର ୧୨ ଜିଲ୍ଲା। ଜାତୀୟ ହାର ୨୩.୩% ରହିଥିବାବେଳେ ଓଡ଼ିଶାର ହାର ୨୦.୫% ରହିଛି। ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଧାନସଭାରେ ଉତ୍ତର ଦେଇଛନ୍ତି। ନବରଙ୍ଗପୁରରେ ବାଲ୍ୟ ବିବାହ ହାର ୩୯.୪%, ନୟାଗଡରେ ୩୫.୭%, କୋରାପୁଟରେ ୩୫.୫%, ରାୟଗଡାରେ ୩୩.୨%, ମାଲକାନଗିରିରେ ୩୨.୪%, ମୟୁରଭଞ୍ଜରେ ୩୧.୩%, କେନ୍ଦୁଝରରେ ୨୯%, ଗଜପତିରେ ୨୮.୧%, ବାଲେଶ୍ୱରରେ ୨୬.୪%, ବୌଦ୍ଧରେ ୨୫.୩%, ଅନୁଗୁଳରେ ୨୫% ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ବାଲ୍ୟ ବିବାହର ପାଞ୍ଚଟି ପ୍ରମୁଖ କାରଣ କହିଛନ୍ତି। ସେଗୁଡ଼ିକ ହେଲା...
- ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା
- ଲିଙ୍ଗଭିତ୍ତିକ ବିଷମତା
- ଦାରିଦ୍ୟ
- ସାମାଜିକ ଅସୁରକ୍ଷା
- କିଶୋରୀମାନଙ୍କ ଶିକ୍ଷାର ଅଭାବ
ସୂଚନା ଥାଉକି, ୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ । ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟ ନେଇ ସରକାର ସମସ୍ତ ଜିଲ୍ଲାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବାଲ୍ୟ ବିବାହ ମୁକ୍ତ ଦୌଡ଼ରେ ସାମିଲ ହୋଇଛି ଦେବଗଡ଼ ଜିଲ୍ଲା । ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି। ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ଦେବଗଡ଼ ଜିଲ୍ଲାରେ ବାଲ୍ୟ ବିବାହ ହାର ୨୩% ଥିବାବେଳେ ୨୦୧୯ରେ ୧୯%କୁ ଖସିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ସମୀକ୍ଷା ପରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଦେବଗଡ଼ ଜିଲ୍ଲାର ୩୬୪ ଗ୍ରାମ ଓ ପୌରାଞ୍ଚଳର ୧୧ଟି ୱାର୍ଡକୁ "ବାଲ୍ୟ ବିବାହ ମୁକ୍ତ' ଘୋଷିତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବାରକୋଟ ବ୍ଲକର ୧୪୦ ଗ୍ରାମ, ରିଆମାଳ ବ୍ଲକର ୧୧୬ ଗ୍ରାମ, ତିଳେଇବଣୀର ୧୦୮ ଗ୍ରାମ ଓ ପୌରାଞ୍ଚଳର ୧୧ ୱାର୍ଡକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି।
ଏହି ଖବରଟିକୁ ପଢନ୍ତୁ- ଚାଷୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ, ପଞ୍ଚମ ଦିନରେ ଗୃହ ଅଚଳ, ୪ଟା ଯାଏଁ ମୁଲତବୀ