ଏଣିକି ସାବାଡ଼ ହେବେ ମଦୁଆ ଡ୍ରାଇଭର୍, ଧରାପଡ଼ିଲେ ସିଧା ଜେଲ

କଟକ,୨୪/୦୩: ମଦୁଆ ଡ୍ରାଇଭରଙ୍କ ବିରୋଧରେ ଗୁରୁବାରଠାରୁ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟର ସବୁ ଆରଟିଓର ଅଧିକାରୀ ଏବଂ ପୁଲିସ୍ ମିଳିତ ଭାବେ ଏହି ଚଢ଼ଉ କରିବେ । ଏହି ଅଭିଯାନ ତିନି ଦିନ ଧରି ଅର୍ଥାତ ଗୁରୁବାରଠୁ ଶନିବାର ପର୍ଯ୍ୟନ୍ତ ଚାଲିବ । ଯେଉଁମାନେ ମଦପିଇ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିବେ ସେମାନଙ୍କୁ ସିଧା ଜେଲ୍ ପଠାଇଦିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଯେତିକି ଲୋକ ପ୍ରାଣ ହରାଉଛନ୍ତି ତାହାର ୩୬% କେବଳ ମଦୁଆ ଡ୍ରାଇଭରଙ୍କ ଯୋଗୁଁ ଘଟୁଛି । ପୂର୍ବରୁ ଅନେକ ଥର ଏସ୍ଟିଏ ପକ୍ଷରୁ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା । କିନ୍ତୁ ଜରିମାନା ପରେ ମଦ୍ୟପ ଡ୍ରାଇଭରଙ୍କୁ ତାଗିଦ୍ କରି ଛାଡ଼ି ଦିଆଯାଏ । କିନ୍ତୁ ଏହାର ବିଶେଷ ପ୍ରଭାବ ମଦୁଆ ଡ୍ରାଇଭରଙ୍କ ଉପରେ ପଡୁନାହିଁ । ତେଣୁ ଏସ୍ଟିଏ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରୁଛି ବୋଲି ଏହାର ଅତିରିକ୍ତ କମିସନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଏଇ ତିନି ଦିନ ସଂଧ୍ୟାରୁ ରାତି ୧୨ଟା ପର୍ଯ୍ୟନ୍ତ ପ୍ରତି ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ବିଭିନ୍ନ ସହରର ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ଏହି ଯାଞ୍ଚ କରାଯିବ । ଯେଉଁମାନେ ଏହି ସମୟରେ ମଦପିଇ ଗାଡ଼ି ଚଲାଉଥିବା ଧରାପଡ଼ିବେ ସେମାନଙ୍କୁ ସିଧାସଳଖ ଜେଲ୍କୁ ପଠାଇ ଦିଆଯିବ ବୋଲି ଶ୍ରୀ ସେଠୀ ସ୍ପଷ୍ଟ କରିଛନ୍ତି।