ପୁରୀ,୧୬/୦୬: ଅପବିତ୍ର ହେଉଛି ମହାପ୍ରଭୁଙ୍କ ବଡ଼ଦାଣ୍ଡ । ଠାକୁରଙ୍କ ବିଜେ ଦାଣ୍ଡରେ ଗଡ଼ୁଛନ୍ତି ମାଳ ମାଳ ମଦୁଆ । ପଡ଼ୁଛି ଖାଲି ମଦବୋତଲ ଓ ଉଡ଼ୁଛି ପ୍ଲାଷ୍ଟିକ୍‌ ଗ୍ଲାସ । ରାତି ହେଲେ ଠେଲା ଗାଡ଼ିରେ ଖୋଲୁଛି ଠିପି । ତିନି ଚାରି ଜଣ ଏକାଠି ହୋଇ ବେଧଡ଼କ ଚାଲୁଛି ମଦ  ପିଆ । ଅଭଦ୍ର ଭାଷାରେ ପରସ୍ପରକୁ ଗାଳିମନ୍ଦ  କରୁଛନ୍ତି । ଯାତ୍ରୀଙ୍କ ଚଳପ୍ରଚଳ କି ପୁଲିସ ବାବୁଙ୍କ ଉପସ୍ଥିତିକୁ ବେଖାତିର । ବିଶ୍ୱ ପ୍ରସିଦ୍ଧ  ରଥ ଯାତ୍ରାକୁ ଆଉ ମାତ୍ର ୧୩ ଦିନ ଥିବା ସ୍ଥଳେ  ବଡ଼ଦାଣ୍ଡର ଏଭଳି ବିକଳ ଚିତ୍ର ବ୍ୟଥିତ କରୁଛି । 

ଗୁରୁବାର ରାତି ପ୍ରାୟ ୧୨ଟା ହେବ ।  ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂର ମରିଚିକୋଟ  ଛକରେ ଜଣେ ମଦ୍ୟପ ଉତ୍ପାତ କରୁଥାଏ । ବଡ଼ଦାଣ୍ଡରେ ବସି ଭୋଜନ ସାଙ୍ଗକୁ ଶୂନ୍ୟକୁ  ଗାଳିଗୁଲଜ ଚାଲିଥାଏ । କିଛି ଦୂରରେ ଅଟକିଥାଏ  ଠେଲା ଗାଡ଼ି । ନିକଟରେ ଚାଉମିନ୍‌ ସାଙ୍ଗକୁ ଏକାଧିକ  ଗ୍ଲାସ ସଜଡ଼ା ହୋଇଥାଏ । ସେହି ଠେଲାରେ  ଖୁଲମ୍‌ଖୁଲା ବୋତଲର ଠିପି ଖୋଲି ମଦ ଢ଼ାଳି  ଟେକୁଥାନ୍ତି ଏକାଧିକ ଯୁବକ । ନିଜ ଭିତରେ  ଆଲୋଚନା ବେଳେ ଅଭଦ୍ର ଭାଷାର ପ୍ରୟୋଗରେ  ଲଗାମ୍‌ ନଥାଏ । ବଡ଼ଦାଣ୍ଡ ବୋଲି କାହାରି ହିତାହିତ  ଜ୍ଞାନ ରହୁ ନଥାଏ । ଏହା ପୂର୍ବରୁ ମାର୍କେଟ ଛକରେ  ଓ ଟାଉନ୍‌ ଥାନା ନିକଟରେ ଦୁଇ ଜଣ ମଦୁଆ  ବଡ଼ଦାଣ୍ଡରେ ଲୋଟୁଥିବା ଦେଖିବାକୁ ମିଳିଥିଲା । 

ସ୍ଥାନୀୟ ଲୋକେ କୁହନ୍ତି ଏଭଳି ଦୃଶ୍ୟ କିଛି ନୂଆ  ନୁହେଁ । ବଡ଼ଦାଣ୍ଡ ପାଶ୍ୱର୍ ନରେନ୍ଦ୍ର କୋଣରେ ମିଳୁଛି  ଦେଶୀ ମଦ । ଦିନରେ ଯାହା କିଛି ରୋଜଗାର କରି ସନ୍ଧ୍ୟାରେ ସେଠାରେ ପହଞ୍ଚୁଛନ୍ତି । ପେଟେ ମଦ ପିଇ ବଡ଼ଦାଣ୍ଡକୁ ଫେରି ଉତ୍ପାତ କରୁଛନ୍ତି । ବଡ଼ଦାଣ୍ଡକୁ  ଆଶ୍ରା କରି ବ୍ୟବସାୟ କରୁଥିବା କିଛି ବେପାରୀ ମଧ୍ୟ  ରାତି ହେଲେ ଠୋଲାରେ ମଦ ପିଇ ରାସ୍ତାରେ ବୋତଲ  ଗଡ଼ାଇ ଦେଉଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଦୁଇ ଦୁଇଟା  ପୁଲିସ ଥାନା । ଅହରହ ବାସିନ୍ଦାଙ୍କ ଉପସ୍ଥିତି । ପୁଣି  ଯାତ୍ରୀଙ୍କ ଭିଡ଼ । ବଡ଼ବଡ଼ିଆ ଅଧିକାରୀ ଓ ନେତାଙ୍କ  ଚଳପ୍ରଚଳ । ତଥାପି ବଡ଼ଦାଣ୍ଡରୁ ମଦ କିମ୍ବା ମଦୁଆଙ୍କୁ  ହଟାଯାଇ ପାରୁନି । ଏଭଳି ସ୍ଥିତିରେ ଶ୍ରୀକ୍ଷେତ୍ରକୁ  ମଦ ମୁକ୍ତ କରିବା ଘୋଷଣା ମୁଖିଆଙ୍କ କେବଳ ବାହାସ୍ଫୋଟ ବୋଲି ସମାଲୋଚନା କରାଯାଉଛି ।

 ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ  ମଦୁଆଙ୍କୁ ତାଗିଦ୍‌ କଲେ କଥା ଶୁଣିବେ ନାହିଁ ।  ଥାନାକୁ ନେବା କଷ୍ଟକର ବ୍ୟାପାର । ଥାନାକୁ ନେଲେ ବଡ଼ବାବୁ ପାଟି କରିବେ । ମଦୁଆଙ୍କୁ ଭୟଭିତ କରିବା ଲାଗି ସର୍ବସାଧାରଣ ସ୍ଥାନରେ ମାଡ଼ ମାରିବା ଆହୁରି  ଚିନ୍ତାଜନକ । କିଛି ହେଲେ ଆମେ ଅଡୁଆରେ ପଡ଼ିବୁ ।