ହିନ୍ଦୋଳ, ୨୨/୦୮ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ବୋହୂକୁ ଟଣା ଓଟରା କରୁଥିବା ବେଳେ ଅଟକାଇବାରୁ ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା। ଭିଡିଓ ଭାଇରାଲ୍। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ନବକିଶୋରପୁର ପଞ୍ଚାୟତ ଶବର ସାହିରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ପୁତୁରା ଗିରଫ ହୋଇଛି।
ସୂଚନାନୁଯାୟୀ, ରାସୋଳ ଥାନା ନବକିଶୋରପୁର ପଞ୍ଚାୟତ ଶବର ସାହିର ଜିତୁ ଦେହୁରୀ ମଦ ପିଇ ତାଙ୍କ ଭାଉଜଙ୍କୁ ଏକୁଟିଆ ରୋଷେଇ କରୁଥିବା ଦେଖି ଅସଦାଚରଣ କରିବା ସହ ଟଣାଓଟରା କରିଥିଲା। ଏହି ସମୟରେ ଜିତୁଙ୍କ ବଡ଼ ବାପା ପ୍ରଫୁଲ ଦେହୁରୀ ଆସି ତାଙ୍କୁ ବିରୋଧ କରିଥିଲେ। ଫଳରେ ନିଶାଶକ୍ତ ଅବସ୍ଥାରେ ଥିବା ଜିତୁ ପ୍ରଫୁଲଙ୍କୁ ଗାଁ ଦାଣ୍ଡରେ ଘୋଷାଡ଼ି ମାଡ଼ ମାରିଥିଲା। ଯାହାର ଭିଡିଓ ଭାଇରାଲ୍ ହେଉଛି। ଏନେଇ ପ୍ରଫୁଲଙ୍କ ବୋହୂ ରାସୋଳ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ଜିତୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।