ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଖଣ୍ଡଗିରି ଥାନାରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ଭୟରେ ପାଖ ମାଡ଼ିଲେନି ପୁରୁଷ ପୁଲିସ

Published By : Rasmita Pradhan | October 10, 2024 11:55 AM

ଭୁବନେଶ୍ୱର, ୧୦/୧୦ : ତୁ କିଏ ବେ ? ମୋ କାଟ୍‌ତି ଜାଣିନୁ। ଜଲ୍‌ଦି ପିସିଆର ପଠା । ସହର ସାରା ଖୋଜ । ମୋ ଧନକୁ ଖୋଜି ଆଣେ । ନହେଲେ, ତମ ସମସ୍ତଙ୍କୁ ଦେଖିନେବି । ମାଲକାନଗିରି କି କୋରାପୁଟକୁ ବଦଳି କରିଦେବି । ଖଣ୍ଡଗିରି ଥାନାରେ ଉଚ୍ଚ ଗଳାରେ ପୁଲିସକୁ ଏଭଳି ନାଲି ଆଖି ଦେଖାଇଛନ୍ତି ଜଣେ ଯୁବତୀ । ମାତାଲ ଅବସ୍ଥାରେ ପ୍ରାୟ ୨ ଘଣ୍ଟା ଧରି ହଙ୍ଗାମା କରିଛନ୍ତି । ତାଙ୍କୁ ସମ୍ଭାଳିବାରେ ନାକେଦମ୍‌ ହୋଇଛି ପୁଲିସ । ଏହି ଘଟଣା ପୁଲିସ କମିଶନରଙ୍କ କାନରେ ପଡ଼ିବା ପରେ ସେ ସଂପୃକ୍ତ ମହିଳାଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।  

ସୋମବାର ରାତି ୧ଟା । ବରମୁଣ୍ଡା ଆଡୁ ଜଣେ ଯୁବତୀ ଏକ ସ୍କୁଟିରେ ଆସି ଥାନା ସାମ୍ନାରେ ପହଞ୍ଚିଲେ । ଢ଼ଳି ଢ଼ଳି ଚାଲି ଥାନାର ଅଭ୍ୟର୍ଥନା କକ୍ଷ ଭିତରକୁ ପଶିଲେ । ସେଠାରେ ଜଣେ ଏଏସ୍‌ଆଇ ପାହ୍ୟାର ଡିସିଓ (ଡାଏରୀ ଚାର୍ଜ ଅଫିସର) ବସିଥିଲେ । ଅଧିକାରୀଜଣଙ୍କୁ ଉପର ତଳ ଯାଏଁ ଦେଖିଲେ ଯୁବତୀ । ପଚାରିଲେ, ତୁମ ଆଇଆଇସି ଗଲା କୁଆଡ଼େ? ଜଲ୍‌ଦି ଡାକ୍‌ । ଅଧିକାରୀଜଣକ ନମ୍ର ଭାବେ ଉତ୍ତର ରଖିଲେ, ଆଇଆଇସିଙ୍କ ପାଖରେ କ’ଣ କାମ? କ’ଣ ହୋଇଛି, ଏଠି କୁହନ୍ତୁ । ଆମେ ଅଛୁ ।  ଅଧିକାରୀଙ୍କ ଏଭଳି ଉତ୍ତର ଯୁବତୀଙ୍କୁ ଭଲ ଲାଗିଲାନି ବୋଧେ । ସେ ମୁହଁମୋଡି଼ ଅଭ୍ୟର୍ଥନା କକ୍ଷରୁ ବାହାରିଗଲେ । ସିଧା ଆଇଆଇସିଙ୍କ ପ୍ରକୋଷ୍ଠ ଆଡ଼େ ମାଡି଼ଗଲେ । ପ୍ରକୋଷ୍ଠ କଡ଼ରେ ବସିଥିବା ଜଣେ ମହିଳା କନଷ୍ଟେବଳ ତାଙ୍କୁ ଅଟକାଇଲେ । କିନ୍ତୁ ଯୁବତୀ ଅଟକିବାକୁ ନାରାଜ । ଥାନା ଏମୁଣ୍ଡରୁ ସେମୁଣ୍ଡ ଯାଏଁ ୨ ଚକ୍କର ମାରିଲେ । ବଡ଼ ପାଟିରେ ଚିତ୍କାର କରି କହିବାକୁ ଲାଗିଲେ, ତୁରନ୍ତ ଗୋଟିଏ ଟିମ୍‌ ଗଢ଼ । ମୋ ଧନକୁ ଖୋଜ ।  ଯୁବତୀଙ୍କ ଏମିତି ରଙ୍ଗ ଢଙ୍ଗରୁ ଲାଗୁଥିଲା, ସତେ ଯେମିତି ସେ ଜଣେ ଆଇପିଏସ୍‌ କି କୌଣସି ଉଚ୍ଚପଦସ୍ଥ ଅଧିକାରୀ । 

ଚିତ୍କାର ଶୁଣି ଆଇଆଇସି ତାଙ୍କ ପ୍ରକୋଷ୍ଠରୁ ଧାଇଁ ଆସିଲେ । ଜଣେ ଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଯୁବତୀଙ୍କ ପାଖକୁ ମାଡି଼ଗଲେ । ତାଙ୍କୁ ବୁଝାଇବା ଆରମ୍ଭ କଲେ । ଥାନା ଭିତରେ ଏକ ଚେୟାର ଦେଇ ବସିବାକୁ କହିଲେ । ଯୁବତୀଙ୍କୁ ପାଣି ମଧ୍ୟ ଯାଚିଲେ ।  କିନ୍ତୁ ଯୁବତୀ ବୁଝିବାକୁ ନାରାଜ । ଥାନା ଭିତରେ ଦୁମ୍‌ ଦୁମ୍‌ ହୋଇ ଚକ୍କର କାଟିଲେ । ପୁଲିସକୁ ଧମକାଇଲେ । ଯୁବତୀଙ୍କ ଏଭଳି ଉତ୍ପାତ ଦେଖି ଥାନାରେ ଉପସ୍ଥିତ ସବୁ ପୁଲିସ ତାଜୁବ । ପୁରୁଷ ପୁଲିସମାନଙ୍କ ଅକଲଗୁଡୁମ୍‌ । ଭରତପୁର ଥାନାରେ ହଙ୍ଗାମା ଭଳି କାଳେ କ’ଣ ଅପ୍ରୀତିକର ପରିସ୍ଥିତ ଉପୁଜିବ, ସେକଥା ଚିନ୍ତା କରି ଯୁବତୀଙ୍କ ପାଖ ମାଡି଼ଲେନି । ସଭିଏଁ ତାଙ୍କଠୁ ଦୂରେଇ ଦୂରେଇ ରହିଲେ । ଶେଷରେ ଏସ୍‌ଆଇଜଣକ ଘଟଣା ସମ୍ପର୍କରେ ଯୁବତୀଙ୍କୁ ପଚାରିଲେ । ନିଖୋଜ ପୁରୁଷବନ୍ଧୁଙ୍କ ନମ୍ବର ମାଗିଲେ । ଏହା ଶୁଣି ଯୁବତୀ ଆହୁରି ଚିଲ୍ଲାଇବାକୁ ଲାଗିଲେ । ଚଢ଼ା ଗଳାରେ ଏସ୍‌ଆଇଙ୍କୁ କହିଲେ, ମୋ ଧନକୁ ନ ଦେଖିବା ଯାଏଁ ମୁଁ ନିଶ୍ୱାସ ନେଇ ପାରିବନି । ତମେ ପୁଲିସ ନା... ତୁମର ମା’ ଭଉଣୀ ଅଛନ୍ତି ଟି... ଜଲ୍‌ଦି ଯାଅ । ମୋ ଧନକୁ ଖୋଜିଆଣ । ତୁ ପୁଲିସ ବୋଲି ବେଶୀ କଥାବାର୍ତ୍ତା କରୁଛୁ । ତତେ ଦେଖିନେବି । ମୁଁ କିଏ ତୁ ଜାଣିନୁ । ଜଲ୍‌ଦି ଜାଣିବୁ । ଯୁବତୀ ଏଭଳି ୟାଡୁ ସିଆଡୁ କହି ପୁଲିସ ମାନଙ୍କୁ ହଇରାଣ କରି ଚାଲିଲେ । 

ଶେଷରେ ଜଣେ ମହିଳା ପୁଲିସ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଲେ । ସେ ମୋବାଇଲ୍‌ରୁ ପୁରୁଷବନ୍ଧୁଙ୍କ ପାଖକୁ ଫୋନ୍‌ କଲେ । ବରମୁଣ୍ଡାରୁ ପୁରୁଷବନ୍ଧୁ ଆସିବା ପରେ ଅସଲ ଘଟଣା ଜଣା ପଡି଼ଥିଲା । ସେଦିନ ସନ୍ଧ୍ୟାରେ ପୁରୁଷବନ୍ଧୁଙ୍କ ସହ ଯୁବତୀ ପଟିଆସ୍ଥିତ ଏକ ବାର୍‌ରେ ନାକେ ଯାଏଁ ମଦ ପିଇଥିଲେ । ଆଉ ନିଜେ ସ୍କୁଟି ଚଳାଇବାକୁ ଜିଦ୍‌ ଧରିଲେ । ମଦ ନିଶାରେ ଜୟଦେବ ବିହାରଠାରେ ସ୍କୁଟିକୁ ଡିଭାଇଡର୍‌ରେ ପିଟିଦେଲେ । ପୁରୁଷବନ୍ଧୁ ଜଣକ ରାଗିଯାଇ ସେଠାରୁ କାର ଭଡ଼ା କରି ଘରକୁ ପଳାଇଲେ । ଯୁବତୀ ସ୍କୁଟିକୁ ଉଠାଇ ନୂଆପଲ୍ଲୀ-ବରମୁଣ୍ଡା ଫ୍ଲାଏଓଭର ଦେଇ ସିଧା ଖଣ୍ଡଗିରି ଥାନାକୁ ମାଡି଼ ଆସିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.