ନୂଆଦିଲ୍ଲୀ, ୦୮/୦୬ : ଅଧିକ ରୋଜଗାର ଆଶାରେ ଏବେ ଦୁବାଇ ମୁହାଁ ଯୁବପୀଢି। ସେମାନଙ୍କୁ ଲାଗୁଛି ଦୁବାଇରେ ପାଦ ରଖିବା କ୍ଷଣି ଟଙ୍କା ବର୍ଷା ହେବ। ହେଲେ ସେମାନେ ଜାଣିନାହାଁନ୍ତି ଭାବନାଠୁ ବାସ୍ତବତା ଭିତରେ ଢେର୍ ଅଧିକ ତଫାତ୍। ସୋସିଆଲ୍ ମିଡିଆରେ ଜଣେ ପଞ୍ଜାବୀ ଯୁବକଙ୍କ ଭିଡିଓ ଏବେ ଭାଇରାଲ୍ ହେଉଛି। ଏହି ଭିଡିଓରେ ସେ ଦୁବାଇର ଅସଲ ସତ, ଚାକିରି ଜୀବନ ଏବଂ ଦରମା ବିଷୟରେ ଖୁଲାସା କରିଛନ୍ତି। ତାଙ୍କ କାହାଣୀ ଯେ କେହିବି ଶୁଣିଲେ ହୋସ୍ ଉଡିଯିବ। 

ଇନଷ୍ଟାଗ୍ରାମରେ @jaggy.abroad ହ୍ୟାଣ୍ଡେଲରୁ ଜଗଦୀଶ ଚାୱଲା ନାମକ ଜଣେ କଣ୍ଟେଣ୍ଟ କ୍ରିଏଟର୍ ଏହି ଭିଡିଓ ସେୟାର କରିଛନ୍ତି। ଅଭିଷେକ ସିଂ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଆଲୋଚନା ହୋଇଛି। ଅଭିଷେକ ଏଥିରେ ତାଙ୍କ ଦୁଃଖଦ କାହାଣୀ କହିଛନ୍ତି। ଅଭିଷେକ ପଞ୍ଜାବର ଜଣେ ଯୁବକ। ସେ ୭ ରୁ ୮ ମାସ ହେବ ଦୁବାଇରେ ସଫେଇ କାମ କରୁଛନ୍ତି। ଦୁବାଇରେ କାମ କରୁଥିବା ଜଣେ ସମ୍ପର୍କୀୟ ଭାଇ ତାଙ୍କୁ ଏହି ଚାକିରିରେ ରଖି ଦେଇଥିଲେ। ଘରର ଅଭାବ ଅନଟନ ଦୂର କରିବାକୁ ଅଧିକ ରୋଜଗାର ଆଶାରେ ସେ ଦୁବାଇ ଚାଲି ଆସିଥିଲେ। ଏବେ ସେ ଦୁବାଇରେ ସଫେଇ କାମ କରୁଛନ୍ତି। ତାଙ୍କୁ ପ୍ରତିଦିନ ୧୧ ରୁ ୧୨ ଘଣ୍ଟା କାମ କରିବାକୁ ପଡୁଛି। ଦରମା ମାସକୁ କେବଳ ୪୯ ହଜାର ଟଙ୍କା ମିଳୁଛି। କମ୍ପାନୀ ତରଫରୁ କେବଳ ରହିବା ସୁବିଧା ମିଳୁଛି। ନିଜ ଖାଇବା ବ୍ୟବସ୍ଥା ନିଜେ କରିବାକୁ ପଡୁଛି। 

ଆହୁରି ପଢନ୍ତୁ- STF ପଞ୍ଝାରେ ଫେରାର ଟିଏମସି ନେତା ଜହାଙ୍ଗୀର ଖାନ୍, ନେପାଳ ବର୍ଡରରୁ ଗିରଫ

ଅଭିଷେକ କହିଛନ୍ତି ଯେ, ଦୁବାଇ ଭଳି ଏକ ଗରମ ଏବଂ ମହଙ୍ଗା ସହରରେ ପ୍ରତିଦିନ ୧୨ ଘଣ୍ଟା କାମ କରିବା ଖୁବ୍ ମୁସ୍କିଲ କାମ। ତା ଉପରେ ପୁଣି ଖାଇବା ଖର୍ଚ୍ଚ। ଏମିତିରେ ହାତରେ ଖୁବ୍ କମ୍ ଟଙ୍କା ବଞ୍ଚୁଛି। ଏହି ଭିଡିଓଟି ଏବେ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଜଣେ ୟୁଜର ଲେଖିଛନ୍ତି ଯେ, ଏହା ପରିଶ୍ରମର ରୋଜଗାର, ତୁମେ ବହୁତ ଆଗକୁ ଯିବ। ଅନ୍ୟ ଜଣେ ଲେଖିଛନ୍ତି ଯେ, ତୁମର ସରଳତା ମୋ ହୃଦୟ ଜିତିଛି।