ଲୁଟେରାଙ୍କ ନୂଆ ଫର୍ମୁଲା: ସିବିଆଇ କହି ବୟସ୍କ ଦମ୍ପତିଙ୍କଠୁ ନେଇଗଲେ ୮ଭରି ସୁନା

ବ୍ରହ୍ମପୁର,୧୦ା୨(ବ୍ୟୁରୋ): ଲୁଟେରାଙ୍କ ଫର୍ମୁଲା ଧରିପାରୁନି ପୁଲିସ । କେତେବେଳେ ପୁଲିସ ତ ଆଉ କେତେବେଳେ ସିବିଆଇ କହି ସୁନା ନେବାରେ ସଫଳ ହୋଇଛନ୍ତି ଦୁର୍ବୃତ୍ତ । ସବୁବେଳେ ସେମାନଙ୍କ ଟାର୍ଗେଟ୍ରେ ରହୁଛନ୍ତି ବରିଷ୍ଠ ନାଗରିକ । ଆଜି ପୁଣି ବୟସ୍କ ଦମ୍ପତିକୁ ସିବିଆଇ ପରିଚୟ ଦେଇ ନେଇଯାଇଛନ୍ତି ୮ଭରି ସୁନା ଅଳଙ୍କାର । ପୁଲିସ୍ ସୁରାକ୍ ପାଇବା ପୂର୍ବରୁ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ବାହାଘର ଭୋଜିରେ ଯୋଗଦେବାକୁ ଭୁବନେଶ୍ୱରରୁ ଆସିଥିବା ଭାସ୍କର ପାତ୍ର ଓ ତାଙ୍କ ସ୍ତ୍ରୀ ରାଜକୁମାରୀ ପାତ୍ର । ବୈଦନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗର ଛକରେ ସ୍ପଷ୍ଟ ଦିବାଲୋକରେ ସୁନା ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ରବିବାର ଦିନ ପ୍ରାୟ ୧୧.୩୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଭାସ୍କର ପାତ୍ର ଓ ତାଙ୍କ ସ୍ତ୍ରୀ ରାଜକୁମାରୀ ପାତ୍ର ତାଙ୍କ ସଂପର୍କୀୟଙ୍କ ବାହାଘର ଭୋଜିରେ ଯୋଗଦେବା ପାଇଁ ବ୍ରହ୍ମପୁର ଆସି ଜୟପ୍ରକାଶ ନଗର ଯାଉଥିଲେ । ଜୟ ପ୍ରକାଶ ନଗର ଛକ ଆକ୍ସିସ୍ ବ୍ୟାଙ୍କ୍ ଆଗରେ ବାଇକ୍ରେ ଆସି ଠିଆ ହୋଇଥିଲେ । ସେମାନଙ୍କୁ ସିବିଆଇର ପରିଚୟ ଦେବାସହ ପୁଲିସର ଆଇଡେଣ୍ଟି କାର୍ଡ ଦେଖାଇ ଆଗରେ ଅସମାଜିକ ବ୍ୟକ୍ତି ଅଛନ୍ତି ତେଣୁ ଆପଣ ପିନ୍ଧିଥିବା ସୁନା ଅଳଙ୍କାର ବେକରୁ କାଢ଼ି ବ୍ୟାଗ ଭିତରେ ରଖନ୍ତୁ ବୋଲି କହିଥିଲେ । ଲୁଟେରାଙ୍କ କଥାକୁ ବିଶ୍ୱାସ କରି ଦମ୍ପତି ପିନ୍ଧିଥିବା ସୁନା ଅଳଙ୍କାର ବାହାର କରି କାଗଜରେ ଗୁଡାଇ ବ୍ୟାଗ ଭିତରେ ରଖିବା ବେଳେ ଚତୁରତାର ସହ ଲୁଟେରାମାନେ ଉକ୍ତ ସୁନା ଅଳଙ୍କାରକୁ ନେଇ ଚମ୍ପଟ ମାରିଥିଲେ । ଅଞ୍ଚଳବାସୀ ପୁଲିସରେ ଖବର ଦେଇଥିଲେ । ବୈଦ୍ୟନାଥପୁର ଥାନା ଏସ୍ଆଇ ଏସ୍ଏନ୍ ପାଢ଼ି ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଥିଲେ । ତେବେ ଲୁଟେରା ମାନେ ସେତେବେଳେ ଫେରାର୍ ହୋଇଯାଇଥିଲେ । କିଛି ସମୟ ପୁଲିସ ଘଟଣା ସ୍ଥଳରେ ପଇଁତରା ମାରିବା ସହ ସିସି ଟିଭି ଯାଞ୍ଚ କରିଥିଲା । ଆକ୍ସିସ୍ ବ୍ୟାଙ୍କ୍ରେ ଲାଗିଥିବା ସିସିଟିଭିରୁ କିଛି ଅପରାଧୀଙ୍କୁ ଚିହ୍ନଟ କରାଯାଇପାରିବ ବୋଲି ଆଶା କରାଯାଉଛି ।
ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରିଛନ୍ତି । ସହରରେ ବିଭିନ୍ନ ପ୍ରବେଶ ପଥରେ ବ୍ଳକିଂ କରାଯାଇଛି । ବାଇକ୍ ଓ ଅନ୍ୟାନ୍ୟ ଗାଡ଼ି ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି । ପୂର୍ବରୁ ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ଲୁଟେରାମାନଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇନାହିଁ । ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି । ବୈଦନାଥପୁର ଥାନାରେ ଦମ୍ପତି ଏତଲା ଦେବାପରେ ଥାନା ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ୩୦/୧୯ରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି କହିଛନ୍ତି । ସୂଚନାଯୋଗ୍ୟ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟାନଗରର ଗୀତାଞ୍ଜଳି ପାଣିଗ୍ରାହୀ ଓ ଯା’ଚାରୁକଳା ପାଣିଗ୍ରାହୀଙ୍କ ଠାରୁ ଗତ ଦୁଇ ଦିନ ତଳେ ସଫେଇ ପାଉଡର ବିକ୍ରି ବାହାନାରେ ଆସି ସୁନା ଅଳଙ୍କାର ଲୁଟ୍ କରିଥିଲେ । ଗତ ମଙ୍ଗଳବାର ଜୟ ପ୍ରକାଶ ନଗରର ଜଣେ ମହିଳାଙ୍କୁ ପୁଲିସ ପରିଚୟ ଦେଇ ସୁନା ଲୁଟ୍ ଉଦ୍ୟମ କରିଥିଲେ । କିନ୍ତୁ ମହିଳା ଜଣଙ୍କ ସୁନା ଦେଇନଥିଲେ । ବର୍ଷକ ପୂର୍ବରୁ ଏସ୍ବିଆର୍ ରୋଡ଼ରେ ଜଣେ ମହିଳାଙ୍କ ଠାରୁ ୧୫ଭରି ସୁନା ଚେନ୍ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ବର୍ଷେ ହେଲା ଲୁଟେରା ମାନେ ଛିନ୍ତାଇ କରୁଥିବା ବେଳେ ପୁଲିସ ହାତରେ ସୁରାକ୍ ମିଳୁପାରୁ ନାହିଁ । ସେପଟେ ଏଭଳି ଲୁଟ୍କୁ ନେଇ ପୁଲିସ ଚିନ୍ତିତ ରହିଛି । ପୁଲିସ କିମ୍ବା କୌଣସି ଅଧିକାରୀ ମାନେ ରାସ୍ତାରେ କାହାରିକୁ ସୁନା ମାଗିବେ ନାହିଁ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର କହିଛନ୍ତି । ରାସ୍ତାରେ କେହି ଯଦି ସୁନା ମାଗେ କିମ୍ବା ଲୁଟ୍ ପାଇଁ ଉଦ୍ୟମ କରେ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେବାକୁ ସେ କହିଛନ୍ତି । ପୁଲିସ ମଧ୍ୟ ଏଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ତେବେ ଏହି ଲୁଟେରାଙ୍କୁ ଧରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହୋଇଛି ।