ନୂଆଦିଲ୍ଲୀ, ୧୫/୦୬ : ଦେଶରେ ଶୀଘ୍ର ଗଡ଼ିବ ଶତପ୍ରତିଶତ ଇଥାନଲ ବିଶିଷ୍ଟ ଯାନ । ୧୦୦% ଇଥାନଲ ଇନ୍ଧନ ବିଶିଷ୍ଟ ଯାନ ଚଳାଚଳ ଲାଗି କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଶନିବାର ନାଗପୁରରେ ଏ ନେଇ ସୂଚନା ଦେଇଛନ୍ତି । ଏ ସମ୍ପର୍କିତ ନିୟମକୁ ଚୂଡ଼ାନ୍ତ କରିବା ଲାଗି ଫାଇଲ ଉପରେ ସେ ଦସ୍ତଖତ କରିଥିବା କହିଛନ୍ତି । ଅଶୋଧିତ ତେଲ ଆମଦାନି କ୍ଷେତ୍ରରେ ନିର୍ଭରତା କମାଇବା ଏବଂ ପରିବହନ କ୍ଷେତ୍ରରେ ପ୍ରଦୂଷଣକୁ କମାଇବା ଏହାର ଲକ୍ଷ୍ୟ । 

ନୀତିନ ଗଡକରୀ କହିଛନ୍ତି ଯେ, ଦେଶର ଅଟୋମୋବାଇଲ କ୍ଷେତ୍ର ଏହି ପରିବର୍ତ୍ତନକୁ ଗ୍ରହଣ କରିଛି। ଅନେକ ବଡ଼ ବଡ଼ କମ୍ପାନି ଶତ ପ୍ରତିଶତ ଇଥାନଲରେ ଚାଲୁଥିବା ଗାଡ଼ି ବଜାରକୁ ଛାଡ଼ିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଟୟୋଟା, ସୁଜୁକି, ଏମ୍‌ଜି, ହ୍ୟୁଣ୍ଡାଇ ସହ ଅନ୍ୟ କମ୍ପାନି ଗୁଡିକ ୬ ସପ୍ତାହ ମଧ୍ୟରେ ଘରୋଇ ବଜାରରେ ନୂଆ ମଡେଲ ମାନ ଲଞ୍ଚ କରିବାକୁ ଯାଉଛନ୍ତି । ଇଥାନଲ ପେଟ୍ରୋଲ ତୁଳନାରେ ଶସ୍ତା ଏବଂ ସ୍ଥାୟୀ ବିକଳ୍ପ ଭାବେ ଉଭା ହୋଇଛି । ଦେଶ ଏବେ ମୋଟ ଇନ୍ଧନ ଚାହିଦାର ସିଂହଭାଗ ଆମଦାନି ଜରିଆରେ ପୂରଣ କରୁଛି । ଏଥିଲାଗି ବୃହତ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି । ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଏହା ଚାପ ସୃଷ୍ଟି କରୁଛି । ଶତ ପ୍ରତିଶତ ଇଥାନଲ ଇନ୍ଧନ ଆସିଲେ ସାଧାରଣ ଲୋକଙ୍କୁ ମହଙ୍ଗା ପେଟ୍ରୋଲରୁ ଚାପମୁକ୍ତ କରିବ । ଦେଶର ଆମଦାନି ବିଲ୍‌ ମଧ୍ୟ ହ୍ରାସ ହେବ । 

ଗଡକରୀ ପୁଣି କହିଛନ୍ତି ଯେ, ଦେଶ ଫ୍ଲେକ୍ସ ଫୁଏଲ ମୋବିଲିଟି ଇକୋସିଷ୍ଟମ ଆଡକୁ ଗତି କରୁଛି । ମାରୁତି ସୁଜୁକି ୧୦୦% ଇଥାନଲ ଭିତ୍ତିକ ୱାଗନର ମଡେଲ ଲଞ୍ଚ କରିଛି । ହିରୋ ମୋଟୋକର୍ପ ମଧ୍ୟ ଶତ ପ୍ରତିଶତ ଇଥାନଲରେ ଚାଲୁଥିବା ୨ଟି ବାଇକ୍‌ ମଧ୍ୟ ଲଞ୍ଚ କରିବାକୁ ଯାଉଛି । ଇ-୧୦୦ ଇନ୍ଧନକୁ ମଞ୍ଜୁରି ମିଳିବା ଦ୍ୱାରା ଘରୋଇ ବଜାରର କମ୍ପାନି ଗୁଡିକ ସମ୍ପୂର୍ଣ୍ଣ ଇଥାନଲ ଭିତ୍ତିକ ଯାନ ଲଞ୍ଚ କରିବେ । ଏଥିରେ ପେଟ୍ରୋଲ-ଡିଜେଲର ଆବଶ୍ୟକତା ରହିବନି । ଇଥାନଲ ଏକ ଜୈବ ଇନ୍ଧନ ହୋଇଥିବା ବେଳେ ଏହାକୁ ଆଖୁ, ମକା ଏବଂ ଅନ୍ୟ କୃଷିଜାତୀୟ ସାମଗ୍ରୀରୁ ପ୍ରସ୍ତୁତ କରାଯାଇଥାଏ । ଭାରତରେ ପ୍ରସ୍ତୁତ ହେଉଥିବା ଇଥାନଲ ମୁଖ୍ୟତଃ ଆଖୁ ଉପରେ ନିର୍ଭରଶୀଳ। ଏହାକୁ ବର୍ତ୍ତମାନ ବିଭିନ୍ନ ବର୍ଗରେ ପେଟ୍ରୋଲ ସହ ମିଶ୍ରଣ କରାଯାଇ ବ୍ୟବହାର କରାଯାଉଛି । 

ପରିବହନ କ୍ଷେତ୍ରରେ ପ୍ରଦୂଷଣ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗତ ସପ୍ତାହରେ ଫ୍ଲେକ୍ସ ଫୁଏଲ ଯାନ ଲାଗି ଇ-୮୫ ଇନ୍ଧନ ଲଞ୍ଚ ହୋଇଛି । ଦିଲ୍ଲୀରେ ଏହି ଇନ୍ଧନର ମୂଲ୍ୟ ଲିଟର ପିଛା ୮୨.୧୨ ଟଙ୍କା ରହିଛି । ଦିଲ୍ଲୀରେ ବିକ୍ରି ହେଉଥିବା ଇ-୨୦ ପେଟ୍ରୋଲ ତୁଳନାରେ ଏହାର ମୂଲ୍ୟ ୨୦ ଟଙ୍କା ଶସ୍ତା । ଇ-୮୫ ବର୍ଗର ଇନ୍ଧନରେ ଇଥାନଲର ମାତ୍ରା ୮୫% ଏବଂ ପେଟ୍ରୋଲର ମାତ୍ରା ୧୫% । ୧୦୦% ଇଥାନଲକୁ ମଞ୍ଜୁରି ମିଳିବା ଯୋଗୁ ଅକ୍ଷୟ ଶକ୍ତି ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଏବେ ବଜାରରେ ୪ ପ୍ରକାରର ଫ୍ଲେକ୍ସ ଫୁଏଲ ଉପଲବ୍ଧ । ସେଗୁଡିକ ହେଲା ଇ-୫, ଇ-୧୦, ଇ-୨୦ ଏବଂ ଇ-୮୫ । ଇ-୮୫ ପେଟ୍ରୋଲ ସାଧାରଣ ପେଟ୍ରୋଲ ଚାଳିତ ଯାନରେ ବ୍ୟବହାର କରାଯାଇପାରିବ ନାହିଁ । ଏଥିଲାଗି ଯାନର ଇଞ୍ଜିନ ଫ୍ଲେକ୍ସ ଫୁଏଲ ଭିତ୍ତିକ ହୋଇଥିବା ଆବଶ୍ୟକ।

ଆହୁରି ପଢନ୍ତୁ- ବେଙ୍ଗାଲୁରୁ ପୁଲିସର ବଡ଼ ଖୁଲାସା, ଭାରତରେ ଧର୍ମାନ୍ତରୀକରଣ ଓ ମାଓ କର୍ଯ୍ୟକଳାପ ପାଇଁ ପାଣ୍ଠି ଦେଉଛି ଆମେରିକୀୟ ମିଶନାରୀ

EV ଚାଳକଙ୍କ ପାଇଁ ବର୍ଷା ଋତୁ ଟେନସନ ! ବର୍ଷାରେ ଗାଡି ଚଳାଇବା ଓ ଚାର୍ଜ କରିବା କେତେ ସୁରକ୍ଷିତ?​​​​​​​