କେନ୍ଦ୍ରାପଡ଼ା,୦୮/୦୬: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ଡେରାବିଶ ବ୍ଲକ୍ ରାଏତୁଣ୍ଡିର ଯୁବକ ଶ୍ରୀଚନ୍ଦନ ଦରାସଙ୍କ ମୃତଦେହ ମିଳିବା ଘଟଣା ପରେ ଦିନକ ପରେ ଅର୍ଥାତ ଶନିବାର ଅପରାହ୍ଣରେ ଉକ୍ତ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା । ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଧୂଆପୋଛା ପରେ ଶୁଦ୍ଧି କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ ଶୁଭ କଳସ ସ୍ଥାପନ କରାଯାଇ ହୋମ ଆଦି କରାଯାଇଥିଲା । ଅନ୍ୟପକ୍ଷେ ଏହି ଘଟଣା ପରେ ନୂଆ ବିବାଦ ସାମ୍ନାକୁ ଆସିଛି । ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ଏହକୁ ସମାଲୋଚନା କରିଛନ୍ତି ।

ବୁଦ୍ଧିଜୀବୀ ଗୟାଧର ଧଳ କହିଛନ୍ତି କି- କେଉଁ କାରଣ ପାଇଁ ଶ୍ରୀଚନ୍ଦନଙ୍କ ମୃତ୍ୟୁ ହେଲା ତା’ର କାର ଅନୁଧ୍ୟାନ ଓ ଦୋଷୀ ଅଧିକାରୀଙ୍କ ଦଣ୍ଡ ଦେବା ବଦଳରେ ପୂଜାପାଠ କରିବା ସମ୍ବିଧାନର ବିରୁଦ୍ଧାଚରଣ କରୁଛି । ବିଜେଡି ଓ କଂଗ୍ରେସ କାର୍ଯ୍ୟକର୍ତ୍ତମାନେ ମଧ୍ୟ ଏହାର ପ୍ରତିବାଦ କରିଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହଶହ ଅଭିଯୋଗ ପତ୍ର ପଡ଼ିରହିଛି । ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ଅନେକ ଅଭିଯୋଗର ସମାଧାନ ହେଉନାହିଁ । ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଦଳିତ ଯୁବକ ଶେଷରେ ଆତ୍ମହତ୍ୟାର ବାଟ ବାଛିନେଲେ । ରାଜ୍ୟ ସରକାର ସବୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପଠାଇଛନ୍ତି । ଗ୍ରହଶାନ୍ତି ଅବା ବାସ୍ତୁ ପୂଜା କିଛି ନୁହେଁ, ଏହା କେବଳ ଜନମାନସରୁ ଧ୍ୟାନ ହଟାଇବା ପାଇଁ ଜିଲ୍ଲା ପ୍ରଶାସନର ଏକ ଉଦ୍ୟମ ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କୁ ପଚାରିବାରୁ କହିଛନ୍ତି ଯେ ଯୁବକଙ୍କ ଆତ୍ମହତ୍ୟା ପରେ ହିନ୍ଦୁ ରୀତିନୀତି ଆଧାରରେ ବିଲ୍ଡିଂକୁ ଶୁଦ୍ଧି ପାଇଁ ଏହି ପୂଜାପାଠ କରାଯାଇଥିଲା । ଏହି ଘଟଣାରେ ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ବେଳେ ଯଦି କେହି ଅଧିକାରୀ ଉକ୍ତ ଯୁବକଙ୍କୁ ମାନସିକ ନିର୍ଯାତନା ଦେଇଥିବାର ପ୍ରମାଣ ମିଳିବ । ତା’ ହେଲେ ଉକ୍ତ ଅଧିକାରୀଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବ ।

ଅଧିକ ପଢ଼ନ୍ତୁ :-  Stone quarry blast : ପଥର ଖଣିରେ ବଡ଼ ବିସ୍ପୋରଣ, ଜଣେ ଶ୍ରମିକ ମୃତ ୪ ଗୁରୁତର

ପ୍ରକାଶଥାଉ କି- ଜିଲ୍ଲାପାଳଙ୍କ ନୂଆ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇ କାର୍ଯ୍ୟକ୍ଷମ ହେବା ପରେ ସେହି ସମୟରେ ନିୟମିତ ବ୍ୟବଧାନରେ ୬ଜଣ କିରାଣୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିଲା । ଅଭିଯୋଗ ହୋଇଥିଲା କି ବାସ୍ତୁଶାସ୍ତ୍ର ଅନୁଯାୟୀ ନୂଆ କାର୍ଯ୍ୟାଳୟ ନିର୍ମାଣ ହୋଇନଥିବାରୁ ଏପରି ଘଟିଥିଲା । ଅର୍ଥାତ କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ଦ୍ୱାର ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ କରାଯାଇନଥିଲା । କିଛି କିରାଣୀ ଅଭିଯୋଗ କରିବା ପରେ ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଡିଘର ପାଖରେ ଅନ୍ୟ ଏକ ବାଟ ଫିଟାଯାଇଥିଲା ।

ଭୟରେ ରାତିରେ ରହୁନାହାନ୍ତି ଜଗୁଆଳି

ଶ୍ରୀଚନ୍ଦନ ଦାସଙ୍କ ଆତ୍ମହତ୍ୟା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳି ଭୟଭୀତ ହୋଇପଡ଼ିଛନ୍ତି । ତାଙ୍କୁ ଏମିତି ଭୟ ଘାରିଛି ଯେ କାର୍ଯ୍ୟାଳୟ ଭିତରେ ନରହି ବାହାର ପଟୁ ତାଲା ପକାଇ ପାଖରେ ଥିବା ଏସ୍ପିଡିଓ ଅଫିସ ସାମ୍ନାରେ ବୁଲୁଛନ୍ତି । ଶ୍ରୀଚନ୍ଦନଙ୍କ ଆତ୍ମା କାଳେ କିଛି ଅନିଷ୍ଟ କରିବ ସେଥିପାଇଁ ସେ ପଦକୁ ପଳାଇଆସୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।