କେନ୍ଦ୍ରାପଡ଼ା/ମହାକାଳପଡ଼ା,୧୫/୬: ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚାମେଲି ଓଝାଙ୍କ ପ୍ରତି କେନ୍ଦ୍ରାପଡ଼ା ପ୍ରଶାସନ ଓ ପୁଲିସର ଦୁର୍ବ୍ୟବହାର, ଉପେକ୍ଷା, ଅମାନବୀୟ ନିର୍ଯାତନାକୁ ନେଇ ଏବେ ସବୁ ସ୍ତରରେ ପ୍ରଶ୍ନ ଉଠିଲାଣି । ଚାମେଲି ନିଜ ପଞ୍ଚାୟତର ହକ୍ ଦାବି ନେଇ ବ୍ଲକ୍କୁ ଅଭିଯୋଗ କରିବାକୁ ଯିବା ପରଠାରୁ ଥାନା ଓ ମେଡିକାଲ୍ ଯାଏ ସବୁଠି ବାରମ୍ବାର ଉପେକ୍ଷିତା, ନିର୍ଯାତିତା ହୋଇଥିବା ଗତ ତିନି ଦିନର ଘଟଣାକ୍ରମରୁ ସ୍ପଷ୍ଟ ଜଣାପଡୁଛି । ଏସବୁ ପଛରେ ଜଣେ ବରିଷ୍ଠ ବିଜେପି ନେତା ତଥା ଲୋକପ୍ରତିନିଧି ଷଡ଼ଯନ୍ତ୍ର ରଚିଥିବା ସନ୍ଦେହ କରାଯାଉଛି।
ଚାମେଲିଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍ରେ ମଧ୍ୟ ନିର୍ଯାତନା ଦିଆଯାଇଥିଲା । ତାଙ୍କ ଚିକିତ୍ସାରେ ଅବହେଳା ଠାରୁ ଆରମ୍ଭ କରି ବେଡ୍ ପର୍ଯ୍ୟନ୍ତ କଷ୍ଟ ଦିଆଯାଇଥିଲା । ସେ ଅସୁସ୍ଥ ଥିବା କହି ଜେଲ୍ କର୍ତ୍ତୃପକ୍ଷ ଫେରାଇ ଦେବା ପରେ ଚାମେଲିଙ୍କୁ ପୁଲିସ ପୁଣି ଆଣି କେନ୍ଦ୍ରାପଡ଼ା ମେଡିକାଲ୍ରେ ଭର୍ତ୍ତି କରିଥିଲା । ଏଠାରେ ଭେଷଜ(ମହିଳା) ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ବାରଣ୍ଡାରେ ତଳେ ଗଡ଼ାଇ ଦିଆଯାଇଥିଲା । ଯାହାକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଗତକାଲି ରାତିରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ଅନ୍ୟ ବିଜେଡି ନେତାମାନଙ୍କ ସହ ଶ୍ରୀ ନାୟକ ଚାମେଲିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବାକୁ ଯାଇଥିବାବେଳେ ବାରଣ୍ଡାରେ ତାଙ୍କର ଚିକିତ୍ସା ଚାଲିଥିବା ଦେଖି ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଥିଲେ । ସେହିଠାରୁ ହିଁ ସେ ସିଡିଏମ୍ଓଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ।
ଅତନୁ କହିଥିଲେ କି- ଯେଉଁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କଥା କହୁଛନ୍ତି, ତାଙ୍କୁ ଆପଣ ତଳେ କେମିତି ଗଡ଼ାଇ ଦେଇଛନ୍ତି? ପୁଣି ଚାମେଲି ସୁସ୍ଥ ଥିବା କହି ତାଙ୍କୁ ଡାକ୍ତର କେମିତି ଜେଲ୍ରେ ରହିବାକୁ ଯୋଗ୍ୟ ବୋଲି ଦର୍ଶାଇଲେ । କାହା ଚାପରେ ଏସବୁ କାମ ଚାଲିଛି? ତୁରନ୍ତ ଚାମେଲିଙ୍କୁ କ୍ୟାବିନ୍ ଦିଆଯାଉ ବୋଲି ସେ ଦାବି କରିଥିଲେ । ଆଜି ସକାଳେ ତାଙ୍କୁ ସ୍ୱତନ୍ତ୍ର କ୍ୟାବିନ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି ।
‘ଚାମେଲିଙ୍କୁ ଥାର୍ଡ ଡିଗ୍ରୀ’:
ଚାମେଲିଙ୍କୁ ଭ୍ୟାନ୍ ଭିତରେ ପୂରାଇ ପୁଲିସ ନିର୍ଯାତନା ଦେଇଛି । ତାଙ୍କୁ ମାଡ଼ ମରାଯାଇଛି । ତାଙ୍କ ଶରୀରରେ ମାଡ଼ର ଚିହ୍ନ ରହିଛି । ଥାନା ଭିତରୁ ବାହାରିବା ପରେ ଚାମେଲିଙ୍କ ଶରୀରରେ ଥିବା ଦାଗ ପୁଲିସର କଳା କରାନାମାର ବଖାଣୁନି ତ ବୋଲି ବିଜେଡି ଅଭିଯୋଗ ଆଣିଛି । ଚାମେଲି ପୁଲିସ ଦ୍ୱାରା ଥାର୍ଡ ଡିଗ୍ରୀର ଶିକାର ହୋଇଥିବା ବିଜେଡି ନେତ୍ରୀ ଇପ୍ସିତା ଅଭିଯୋଗ କରିଛନ୍ତି । ବିଧାୟକଙ୍କ ୭ ସମର୍ଥକଙ୍କ ଘରେ ଚଢ଼ଉ । ଜଣେ ଅଟକ ଚାମେଲିଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ମହାକାଳପଡ଼ା ବିଧାୟକଙ୍କ ୭ ସମର୍ଥକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରିଛି । ତେବେ ଚଢ଼ଉ ବେଳେ ସେମାନେ ଘରେ ନଥିଲେ ଓ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଦେଖାଇଥିଲା । ସମସ୍ତେ ଫେରାର ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି ।
ମେଡିକାଲ୍ରେ ନଜରବନ୍ଦୀ ଚାମେଲି:
ଜୁନ୍ ୧୦ରୁ କେନ୍ଦ୍ରାପଡ଼ା ମେଡିକାଲ୍କୁ ଚାମେଲି ଆସିବା ପରଠାରୁ ପୁଲିସ ତାଙ୍କୁ ନଜରବନ୍ଦୀରେ ରଖିଛି । ସେ ମେଡିକାଲ୍ରେ ଚିକିତ୍ସା ହେବା ସମୟରେ ମହାକାଳପଡ଼ା ପୁଲିସ ଏସ୍ଆଇ ତପସ୍ୱିନୀ ବିଶ୍ୱାଳ ତାଙ୍କୁ ନିର୍ଯାତନା ଦେଇଥିଲେ । ପୂର୍ବରୁ ସେ ତାଙ୍କୁ ପୁଲିସ ଭ୍ୟାନ୍ରେ ମଧ୍ୟ ପିଟିଥିଲେ । ମାମଲା ପ୍ରତ୍ୟାହାର କରିନେବାକୁ ତାଙ୍କୁ ଧମକ ଦେଇଥିଲେ । ଏବେ ମେଡିକାଲ୍ ବେଡ୍ରେ ଶାନ୍ତିରେ ରଖାଇ ଦେଉନାହାନ୍ତି । ତାଙ୍କୁ ମେଡିକାଲ୍ରେ ସ୍ୱତନ୍ତ୍ର କ୍ୟାବିନ୍ ଦିଆଯାଇଥିଲେ ମଧ୍ୟ ତାଙ୍କୁ ହଇରାଣ କରାଯାଉଛି । ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ଚାମେଲି କେନ୍ଦ୍ରାପଡ଼ା ମେଡିକାଲ୍ ଏଡିଏମ୍ଓଙ୍କୁ ଲେଖି ଜଣାଇଛନ୍ତି ।
ଚାମେଲିଙ୍କ ଫୋନ୍ରେ ଲୁଚିଛି ରହସ୍ୟ!
ଚାମେଲି ଓଝାଙ୍କ ଫୋନ୍ରେ କ’ଣ ଗୁପ୍ତ ତଥ୍ୟ ଓ ରହସ୍ୟ ଅଛି? କାହିଁକି ଡରୁଛନ୍ତି ପୁଲିସ ଓ ରାଜନେତା? ଚାମେଲି ମଧ୍ୟ ଫୋନ୍ରେ ଅନେକ ଗୋପନ ତଥ୍ୟ ରହିଥିବା ପୂର୍ବରୁ କହିସାରିଛନ୍ତି । ତେବେ ଏହି ଗୋପନ ତଥ୍ୟ କ’ଣ ଓ ପୁଲିସ ତାକୁ ଗାଏବ କରିଦେବାକୁ ଚାହୁଁଛି । ଯାହା ସ୍ଥାନୀୟ ନେତାଙ୍କୁ ଅକଳରେ ପକାଇପାରେ କି? ଯେଉଁଥିପାଇଁ ପୁଲିସ ଚାମେଲିଙ୍କ ଫୋନ୍ ଜବତ କରି ରଖିଛି । ଚାମେଲିଙ୍କ ଫୋନ୍ ପୁଲିସ ପାଖରେ ଥିବାରୁ ଏଥିରେ ଥିବା ତଥ୍ୟ ଓ ପ୍ରମାଣ ନଷ୍ଟ କରାଯାଇପାରେ ବୋଲି ଆଶଙ୍କା ଉପୁଜିଛି ।
ଅଧିକ ପଢନ୍ତୁ- Crime news : ଶୌଚ ହେବାକୁ ଯିବାବେଳେ ନାବାଳିକାଙ୍କୁ ଟେକିନେଲେ ୪ ଯୁବକ, ଗଣଦୁଷ୍କର୍ମ କରି ଫେରାର୍