ବେଙ୍ଗାଲୁରୁ, ୧୪/୦୬ : ଭାରତରେ ମାଓବାଦୀ କାର୍ଯ୍ୟକଳାପ ଓ ଧର୍ମାନ୍ତରୀକରଣ ପାଇଁ ପାଣ୍ଠି ଯୋଗାଉଛି ଆମେରିକୀୟ ମିଶନାରୀ। ଆମେରିକା ଭିତ୍ତିକ ଖ୍ରୀଷ୍ଟିଆନ୍ ମିଶନାରୀ ସଙ୍ଗଠନ ‘ଦ ତିମୋଥି ଇନିସିଏଟିଭ୍’ ବିରୋଧରେ ବେଙ୍ଗାଲୁରୁ ପୁଲିସ ଏକ ଅପରାଧିକ ମାମଲା ରୁଜୁ କରିଛି। ଏଥିସହ ବେଙ୍ଗାଲୁରୁ ଏବଂ ଦେଶର ବିଭିନ୍ନ ସ୍ଥାନର ୬ ଜଣଙ୍କ ନାମରେ ମଧ୍ୟ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ମାମଲା ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଦ୍ୱାରା ଦାଖଲ ଅଭିଯୋଗ ଆଧାରରେ ବେଙ୍ଗାଲୁରୁ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସଙ୍ଗଠନ ଏବଂ ଅଭିଯୁକ୍ତମାନେ ଉକ୍ତ ବେଆଇନ କାର୍ଯ୍ୟକଳାପ ପାଇଁ ୯୫ କୋଟି ଟଙ୍କାରୁ ଅଧିକ ପାଣ୍ଠି ଯୋଗାଇଥିବା ପୁଲିସ କହିଛି ।
ଇଡି ଅଭିଯୋଗରେ ଦର୍ଶାଯାଇଛି ଯେ, ଉକ୍ତ ସଙ୍ଗଠନ ବିଦେଶୀ ଡେବିଟ କାର୍ଡର ଏକ ନେଟୱର୍କ ବ୍ୟବହାର କରି ଭାରତୀୟ ଆର୍ଥିକ ନିୟମ ଏବଂ ବୈଦେଶିକ ଅନୁଦାନ ଆଇନର ଅବମାନନା କରିଛି। ସାରା ଭାରତରେ ଏହି ସଙ୍ଗଠନ ମାଧ୍ୟମରେ ୧ ହଜାରରୁ ଅଧିକ ବିଦେଶୀ ଡେବିଟ୍ କାର୍ଡ ବଣ୍ଟାଯାଇଥିଲା । ସେଥିମଧ୍ୟରୁ ଅଧିକାଂଶ କାର୍ଡରେ ‘ସନ୍ତୋଷ କୁମାର’ ନାମ ରହିଥିଲା । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଛତିଶଗଡ଼ର ବସ୍ତର ଏବଂ ଧମତରୀ ଜିଲ୍ଲା ଭଳି ମାଓବାଦୀ ପ୍ରଭାବିତ ଅଞ୍ଚଳକୁ ବିପୁଳ ମାତ୍ରାରେ ନଗଦ ଟଙ୍କା ପଠାଯାଇଥିଲା। ଏହା ବ୍ୟତୀତ ଅଭିଯୁକ୍ତମାନେ ଇଲେକ୍ଟ୍ରୋନିକ ପ୍ରମାଣ ନଷ୍ଟ ମଧ୍ୟ କରିଥିବା ଅଭିଯୋଗ ରହିଛି । ଆର୍ଥିକ କାରବାର ଟ୍ରାକିଂ ଲୁଚାଇବା ପାଇଁ ଜଣେ ଅଭିଯୁକ୍ତ ଏକ ବ୍ୟାକ୍ଏଣ୍ଡ୍ ଡାଟାବେସ୍ ଆକାଉଣ୍ଟକୁ ଡିଲିଟ୍ କରିଦେଇଥିବା ଇଡି ଅଭିଯୋଗରେ ଦର୍ଶାଇଛି।
ଆହୁରି ପଢନ୍ତୁ- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ଉଦଳାରେ ଖୋଳତାଡ଼ କରିବ ବାରଙ୍ଗ ପୁଲିସର ଟିମ୍