ନୂଆଦିଲ୍ଲୀ,୦୫/୧୦: ଥରିଲା ଜାପାନ । ଜାପାନ ମାଟି ପୁଣି ଭୂମିକମ୍ପ ଝଟକା । ଶକ୍ତିଶାଳୀ ଭୂମିକମ୍ପରେ ଜାପାନର ହୋଂସୁ ପୂର୍ବ ଉପକୂଳ ଦୋହଲି ଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ ହୋଇଛି । ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିଲା । ରିପୋର୍ଟ ଲେଖାଯିବ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ ।ତାକାସାକି ସହରରୁ ପ୍ରାୟ ୨୬୨ କିଲୋମିଟର ଉତ୍ତର-ପୂର୍ବରେ ଏବଂ ଭୂପୃଷ୍ଠରୁ ୫୦ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ରହିଛି । ଯଦିଓ ଜାପାନ ପାଣିପାଗ ସଂସ୍ଥା ସୁନାମି ସତର୍କତା ଜାରି କରିନାହିଁ ତଥାପି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ସମୟ ଅକ୍ଟୋବର ୫ ତାରିଖ ଦିନ ୧୨:୨୧ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଟୋକିଓ, ସେଣ୍ଡାଇ ଏବଂ ଇୱାକି ପର୍ଯ୍ୟନ୍ତ ଭୂମିକମ୍ପ ଝଟକା ଲାଗିଛି । ଯଦିଓ ଏହି ସହରଗୁଡ଼ିକରେ ଭୂମିକମ୍ପ ମୃଦୁ ଥିଲା, ତଥାପି ଲୋକମାନେ ଭୂମିକମ୍ପ ଯୋଗୁଁ ଘରୁ ବାହାରକୁ ଦୌଡ଼ି ଆସିଲେ । କୌଣସି ମୃତାହତ କି କ୍ଷୟକ୍ଷତିର ଖବର ମିଳିନାହିଁ । କିନ୍ତୁ ଅନେକ ଘର ଏବଂ କୋଠାରେ ଫାଟ ଦେଖାଯାଇଛି । ପୁଲିସ-ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବାକୁ ଅପିଲ୍‌ କରିଛନ୍ତି ।

ବୈଜ୍ଞାନିକଙ୍କ ଅନୁସାରେ, ପ୍ରଶାନ୍ତ ମହାସାଗର ପ୍ଲେଟ୍ ଜାପାନର ପୂର୍ବ ଉପକୂଳରେ ଅନ୍ୟ ତିନୋଟି ପ୍ଲେଟ୍ ତଳେ ଅବନତ ହେଉଛି । ଯାହା ଫଳରେ ଏହି ଅଞ୍ଚଳରେ ଅଧିକ ଭୂମିକମ୍ପ ହେଉଛି । ପ୍ରକୃତରେ, ବିଶ୍ୱର ପ୍ରାୟ ୧୮ ରୁ ୨୦ ପ୍ରତିଶତ ଭୂକମ୍ପୀୟ କ୍ଷେତ୍ର ଜାପାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥିତ । ୪ ପ୍ଲେଟ୍ ମଧ୍ୟରେ ଘର୍ଷଣ ମଧ୍ୟ ଜ୍ୱାଳାମୁଖୀ ଉଦ୍‌ଗୀରଣକୁ ତ୍ୱରାନ୍ୱିତ କରୁଥିବା ତରଙ୍ଗ ସୃଷ୍ଟି କରୁଛି । ଯଦି ଜ୍ୱାଳାମୁଖୀ ଉଦ୍‌ଗୀରଣ ସହିତ ଭୂମିକମ୍ପ ହୁଏ, ତେବେ ସୁନାମୀର ଆଶଙ୍କା ଥାଏ ।
​​​​​​​