ନୂଆଦିଲ୍ଲୀ,୨୩/୦୫: ଭୂକମ୍ପ ଝଟକାରେ ଥରିଲା ନେପାଳ । ଗୁରବାର ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ।
ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା । ସେହିପରି ଶୁକ୍ରବାର ଅର୍ଥାତ୍ ଆଜି ସକାଳେ ତାଜିକିସ୍ତାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି । ତାଜିକିସ୍ତାନରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରେକର୍ଡ କରାଯାଇଛି । ଭୋର୍ ୪ଟା ୨୧ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଲାଗିଥିଲା । ତେବେ ଭାରତର ପଡ଼ୋଶୀ ଦେଶମାନଙ୍କରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଛି । ସମ୍ପ୍ରତି ଚୀନ୍ ଓ ନେପାଳରେ ଭୂମିକମ୍ପ ଘଟଣା ବୃଦ୍ଧି ପାଇଛି । ଏହା ପୂର୍ବରୁ ମିଆଁମାରରେ ଭୟଙ୍କର ଭୂମିକମ୍ପ ଆସିଥିଲା । ଏଥିରେ ଅନେକ ପ୍ରାଣହାନି ଘଟିଥିଲା । କ୍ରମାଗତ ଭାବରେ ବଢ଼ୁଥିବା ଭୂମିକମ୍ପ ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।