ଗରମଦିନେ ଶରୀରର ତାପମାତ୍ରା ବଢିବା ଯୋଗୁ ବିଭିନ୍ନ ପାଚନତନ୍ତ୍ର ଜନିତ ସମସ୍ୟା ହୋଇଥାଏ । ତେଣୁ ଏହି ଋତୁରେ ହାଲ୍‌କା ଭୋଜନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଗରମ ଆରମ୍ଭ ହେବା ସହ ଖାଦ୍ୟର ଲୋଭ କ୍ରମଶଃ କମିଚାଲେ । ଗରମରେ ଶରୀରର ଖାସ୍‌ ଯତ୍ନ ନେବା ଜରୁରି । କାରଣ ବଢୁଥିବା ତାପମାତ୍ରାର ପ୍ରଭାବ ପାଚନ ତନ୍ତ୍ର, ଶକ୍ତି ସ୍ତର ସହ ସମ୍ଫୂର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେଣୁ ଲୋକମାନେ ହାଲ୍‌କା ଭୋଜନ କରିବାକୁ ପସନ୍ଦ କରିଥାନ୍ତି । ଏହା କେବଳ ସୁସ୍ଥ ଅନୁଭବ ଦେଇ ନଥାଏ, ବରଂ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ । ଆୟୁର୍ବେଦ ଡାକ୍ତର ଶ୍ରେୟା ଶର୍ମାଙ୍କ ଅନୁସାରେ ଖରାଦିନେ ଶରୀର ଅଗ୍ନିମନ୍ଦ ହୋଇଯାଇଥାଏ । ତେଣୁ ପାଚନ ଶକ୍ତି ଦୁର୍ବଳ ହୋଇପଡେ । ଏହି ସମୟରେ ଗୁରୁ ଆହାର ନେବା ଦ୍ୱାରା ଶରୀରରେ ଭାରିପଣ ଆସିଥାଏ । ଫଳରେ ଅଳସୁଆ ଲାଗିବା ସହ ବଦ୍‌ହଜମୀ, ଏସିଡିଟି, ପାଇଲ୍ସ ଓ ଅମ୍ଲପିତ୍ତ ପରି ସମସ୍ୟାମାନ ବଢିଥାଏ । ତେଣୁ ଏହି ସମୟରେ ହାଲ୍‌କା ଖାଦ୍ୟ ଖାଇବା ଖୁବ୍‌ ଜରୁରି ।

 ହାଲ୍‌କା ଭୋଜନର ଫାଇଦା 

ହଜମ ସହଜ ହୁଏ: ଗରମ ଦିନେ ପାଚନ ତନ୍ତ୍ର ଧୀମା ହୋଇଯାଏ । ତେଣୁ ଛଣାଛଣୀ ଖାଇବା ଦ୍ୱାରା ହଜମ କରିବାକୁ ସମୟ ଲାଗିଥାଏ । ଏପରିକି ଅଧିକ ଛଣାଛଣୀ ଖାଇବା ଦ୍ୱାରା ଗ୍ୟାସ୍‌ ଓ ଏସିଡିଟି ପରି ସମସ୍ୟା ଦେଖା ଦେଇଥାଏ । ତେଣୁ ହାଲ୍‌କା ଭୋଜନ ଯେପରିକି ସବୁଜ ପନିପରିବା, ଫଳମୂଳ ସହ ସହଜରେ ହଜମ ହେଉଥିବା ଖାଦ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ । 

ଶରୀରକୁ ଥଣ୍ଡା ମିଳେ: ଏହି ସମୟରେ ଶରୀରର ତାପମାତ୍ର ବଢି ରହିଥାଏ, ଗୁରୁପାକ ନେବା ଦ୍ୱାରା ତାହା ଆହୁରି ବଢିଥାଏ । ଯଥାସମ୍ଭବ ଗୁରୁ ପାକକୁ ଏଡାଇବା ଦରକାର ।

 ଶରୀରକୁ ଶକ୍ତି ମିଳେ: ଗରମଦିନେ ଗୁରୁପାକ ଖାଦ୍ୟ ଖାଇବା ଦ୍ୱାରା ଅଳସୁଆ ଅନୁଭବ ହୋଇଥାଏ । କିନ୍ତୁ ହାଲ୍‌କା ଖାଦ୍ୟ ଖାଇବା ଦ୍ୱାରା ଶକ୍ତି ମିଳିବା ସହ ଦିନସାରା ସକ୍ରିୟ ରହିପାରିବେ । 

ଜଳଶୁଷ୍କତାରୁ ରକ୍ଷା: ଗରମଦିନେ ଅଧିକ ଝାଳ ବାହାରିବା ଯୋଗୁ ଶରୀରରେ ଜଳଶୁଷ୍କତା ଦେଖା ଦେଇଥାଏ । ଏହି ସମୟରେ ହାଲ୍‌କା ଭୋଜନ ବିଶେଷକରି ଫଳ ଓ ପନିପରିବା ଖାଇବା ଦ୍ୱାରା ଶରୀରରେ ଜଳ ଶୁଷ୍କତା ଦେଖା ଦେଇ ନଥାଏ ।

ଆହୁରି ପଢନ୍ତୁ-ବାସିଲ୍ ସିଡ୍ସ କମାଇବ ପେଟର ଚର୍ବି, ଜାଣନ୍ତୁ କିପରି କରିବେ ବ୍ୟବହାର​​​​​​​