ବ୍ରହ୍ମପୁର,୧୨/୦୨: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ‘ଇଟ୍ ରାଇଟ୍ ଚ୍ୟାଲେଞ୍ଜ୍’ ପ୍ରତିଯୋଗିତାରେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି)କୁ ଶୀର୍ଷ ସଫଳତା ମିଳିଛି । ୨୦୨୪-୨୫ ବର୍ଷ ପାଇଁ ସର୍ବଭାରତୀୟ ସ୍ତରରେ ବିଏମ୍ସି ୨୭ ରାଙ୍କ୍ ପାଇଥିବା ୨୦୨୩-୨୪ ବର୍ଷ ପାଇଁ ୮୩ ରାଙ୍କ୍ ପାଇଛି । ଅନ୍ୟପଟେ ରାଜ୍ୟସ୍ତରରେ ବିଏମସି ଏକ ନମ୍ବର ହୋଇଛି । ନୂଆ ଲାଇସେନ୍ସ ପଞ୍ଜୀକରଣ, ନବୀକରଣ, ଏନ୍ଫୋର୍ସମେଣ୍ଟ୍, ନିରୀକ୍ଷଣ ଆଦି ଏଫ୍ଏସ୍ଏସ୍ଏଆଇର ୧୬ଟି ମୂଲ୍ୟାଙ୍କନ ମାନଦଣ୍ଡ ପାଳନ କରି ଏହି ସଫଳତା ହାସଲ କରିଛି ବୋଲି ବିଏମ୍ସି ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡ଼ଙ୍ଗା ସୂଚନା ଦେଇଛନ୍ତି ।
୨୦୦ ମାର୍କ ବିଶିଷ୍ଟ ଇଟ୍ ରାଇଟ୍ ଚ୍ୟାଲେଞ୍ଜ୍ ପ୍ରତିଯୋଗିତା । ବ୍ରହ୍ମପୁର ମହାନଗର ନିଗମ ଏହି ପ୍ରତିଯୋଗିତାରେ ୧୭୪ ନମ୍ବର ପାଇଛି । ଯାହା ମୋଟ ନମ୍ବରର ୮୭ ପ୍ରତିଶତ । ୧୬ଟି ମୂଲ୍ୟାଙ୍କନ ମାନଦଣ୍ଡ ପୂରଣ ପାଇଁ ପ୍ରତିଯୋଗିତା ହୋଇଥିଲା ଏବଂ ପ୍ରତ୍ୟେକ ପ୍ରତିଯୋଗିତାର ନିର୍ଦ୍ଦିଷ୍ଟ ନମ୍ବର ରହିଥିଲା । ଖାଦ୍ୟ ବ୍ୟବସାୟୀଙ୍କ ଦକ୍ଷତା ବିକାଶଜନିତ ପଦକ୍ଷେପ, ଖାଦ୍ୟ ସ୍ୱଚ୍ଛତା ରେଟିଂ, ଷ୍ଟ୍ରିଟ୍ ଫୁଡ୍ ଓ ପରିବା ମାର୍କେଟ୍ ଆଦି ହବ୍ର ପ୍ରମାଣପତ୍ର ପ୍ରସ୍ତୁତି, ନୋ ଫୁଡ୍ ୱେଷ୍ଟ ସାର୍ଟିଫିକେସନ୍, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଇଟ୍ ରାଇଟ୍ ଟୁଲ୍ କିଟ୍ ବ୍ୟବହାର ତାଲିମ ଆଦି ଗୋଟିଏ ଗୋଟିଏ ମାପଦଣ୍ଡ ରହିଥିଲା ।
କେବଳ ସେତିକି ନୁହେଁ, ଇଟ୍ ରାଇଟ୍ କ୍ୟାମ୍ପସ୍ର ପ୍ରଚାରପ୍ରସାର, ଇଟ୍ ରାଇଟ୍ ମେଳା ମାଧ୍ୟମରେ ଖାଦ୍ୟ ରୁଚି ପରିବର୍ତ୍ତନ ପାଇଁ ପଦକ୍ଷେପ, ଖାଦ୍ୟ ନିରାପତ୍ତା ଯାଞ୍ଚ, ଚଢ଼ଉ, ଗଣମାଧ୍ୟମର ଅଂଶଗ୍ରହଣ ଭଳି ୧୬ଟି ମାନଦଣ୍ଡର ମୂଲ୍ୟାଙ୍କନ ହୋଇଥିଲା । ଏଫ୍ଏସ୍ଏସ୍ଏଆଇର ଅଡିଟ୍ ଟିମ୍ ସହରରେ ବୁଲି ଏ ସମସ୍ତ କାର୍ଯ୍ୟର ଅନୁସନ୍ଧାନ ଏବଂ ପ୍ରମାଣ ସଂଗ୍ରହ କରିଥିଲେ । ଉପରୋକ୍ତ ପ୍ରତିଯୋଗିତା ଏବଂ ସେଥିରୁ ପାଇଥିବା ନମ୍ବର୍କୁ ଆଧାର କରି ରାଙ୍କ୍ ପ୍ରସ୍ତୁତ ହୋଇଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ଖାଡ଼ଙ୍ଗା କହିଛନ୍ତି । ଏକାଥରରେ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ଇଟ୍ ରାଇଟ୍ ଚ୍ୟାଲେଞ୍ଜର ମାନ୍ୟତା ଘୋଷଣା ହୋଇଛି । ଯେଉଁଥିରେ ବିଏମ୍ ରାଜ୍ୟରେ ଏକ ନମ୍ବର ହୋଇଛି । ମେୟର ସଂଘମିତ୍ରା ଦଳେଇ ଓ କମିଶନର ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଅନ୍ୟ ସହକାରୀଙ୍କ ସହଯୋଗରେ ଏହି ସଫଳତା ମିଳିଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ଖାଡ଼ଙ୍ଗା କହିଛନ୍ତି ।