କୋଲକାତା, ୨୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ କର୍ତ୍ତବ୍ୟରେ ଅବହେଳା ଏବଂ ପକ୍ଷପାତ କରିବା ଅଭିଯୋଗରେ ନିର୍ବାଚନ କମିଶନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିରପେକ୍ଷତା ବଜାୟ ରଖିବାରେ ବିଫଳ ହୋଇଥିବା ଡାଇମଣ୍ଡ ହାର୍ବର ଅଞ୍ଚଳର ଜଣେ ଆଇପିଏସ୍ ଅଧିକାରୀଙ୍କ ସମେତ ମୋଟ ୫ ଜଣ ପୁଲିସ ଅଧିକାରୀଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି । ଏପ୍ରିଲ ୨୩ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଏହି ଅଧିକାରୀମାନେ ଗୁରୁତର ଦୁର୍ବ୍ୟବହାର ଏବଂ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ କାମ କରୁଥିବା ଅଭିଯୋଗ ହୋଇଥିଲା । ନିଲମ୍ୱିତ ଅଧିକାରୀଙ୍କ ତାଲିକା:

  • ସନ୍ଦୀପ ଗରଇ (IPS): ଅତିରିକ୍ତ ଏସପି, ଡାଇମଣ୍ଡ ହାର୍ବର
  • ସଜଲ ମଣ୍ଡଳ: ଏସଡିପିଓ (SDPO), ଡାଇମଣ୍ଡ ହାର୍ବର
  • ମୌସୁମ ଚକ୍ରବର୍ତ୍ତୀ: ଆଇଆଇସି (IIC), ଡାଇମଣ୍ଡ ହାର୍ବର ପୁଲିସ ଷ୍ଟେସନ
  • ଅଜୟ ବାଗ: ଆଇଆଇସି (IIC), ଫାଲ୍ଟା ପୁଲିସ ଷ୍ଟେସନ
  • ଶୁଭେଚ୍ଛା ବାଗ: ଆଇଆଇସି (IIC), ଉସ୍ତି ପୁଲିସ ଷ୍ଟେସନ

ଏସ୍‌ପିଙ୍କୁ ଚେତାବନୀ:

କେବଳ ଏତିକି ନୁହେଁ, ଡାଇମଣ୍ଡ ହାର୍ବର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଡଃ ଇଶାନୀ ପାଲ୍‌ଙ୍କୁ ମଧ୍ୟ କମିଶନ କଡ଼ା ଚେତାବନୀ ଦେଇଛନ୍ତି । ନିଜ ଅଧୀନସ୍ଥ ଅଧିକାରୀଙ୍କ ମଧ୍ୟରେ ଅନୁଶାସନ ଏବଂ ନିଷ୍ପକ୍ଷତା ବଜାୟ ରଖିବାରେ ବିଫଳ ହୋଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୨୩ ଏପ୍ରିଲରେ ପଶ୍ଚିମବଙ୍ଗର ୧୫୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବିଶେଷକରି ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ଏବଂ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟାଯାଉଥିବା ବେଳେ ପୁଲିସ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ... ବଙ୍ଗଳା ନିର୍ବାଚନ ମଝିରେ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ଉପାଧ୍ୟକ୍ଷ ହେବେ ବିଜେପି ବିଧାୟକ ଅଶୋକ ଲାହିଡ଼ି !

ଏହି ଘଟଣାରେ ସନ୍ଦୀପ ଗରାଇ (ASP) ଙ୍କ ବିରୋଧରେ ଉପଲବ୍ଧ ପ୍ରମାଣ ଆଧାରରେ ରିପୋର୍ଟ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ପଠାଯାଇପାରେ । ନିର୍ବାଚନ କମିଶନଙ୍କ ଏହି କାର୍ଯ୍ୟାନୁଷ୍ଠାନ ଅନ୍ୟ ଅଧିକାରୀଙ୍କ ପାଇଁ ଏକ ବଡ଼ ସନ୍ଦେଶ ବୋଲି କୁହାଯାଉଛି । ବାକି ଥିବା ପର୍ଯ୍ୟାୟ ଗୁଡ଼ିକରେ ଯେପରି କୌଣସି ଅଧିକାରୀ ପକ୍ଷପାତ ନ କରିବେ, ସେଥିପାଇଁ କମିଶନ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି । ପଶ୍ଚିମବଙ୍ଗର ୧୫୨ ସିଟ୍‌ରେ ଭୋଟ ଗ୍ରହଣ ବେଳେ ହୋଇଥିବା ଅଘଟଣ ପାଇଁ ୫ ଅଧିକାରୀ ଦାୟୀ । ନିଲମ୍ବିତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି ।