କୋଲକାତା, ୨୫।୪: ପଶ୍ଚିମବଙ୍ଗରେ ନିର୍ବାଚନୀ ଉଷ୍ମତା ଚରମ ସୀମାରେ ଥିବାବେଳେ କେନ୍ଦ୍ରର ବିଜେପି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗର ବାଲୁରଘାଟ ଆସନରୁ ବିଜେପି ବିଧାୟକ ତଥା ଦେଶର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡ଼ିଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନର ଉପାଧ୍ୟକ୍ଷ ସୁମନ ବେରୀଙ୍କ ସ୍ଥାନ ନେବେ । ସୂଚନାଯୋଗ୍ୟ ଯେ, ସୁମନ ବେରୀ ମେ’ ୨୦୨୨ରେ ନୀତି ଆୟୋଗର ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ମର୍ଯ୍ୟାଦା ମିଳିଥିଲା । ଏବେ ତାଙ୍କ କାର୍ଯ୍ୟକାଳ ପରେ ଅଶୋକ ଲାହିଡ଼ି ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ତଥା ପରାମର୍ଶଦାତା ପଦବୀ ସମ୍ଭାଳିବେ ।
କିଏ ଏହି ଅଶୋକ ଲାହିଡ଼ି ?
ଅଶୋକ ଲାହିଡ଼ି କେବଳ ଜଣେ ରାଜନେତା ନୁହଁନ୍ତି, ବରଂ ଜଣେ ବିଶ୍ୱସ୍ତରୀୟ ଅର୍ଥନୀତିଜ୍ଞ । ସେ ଭାରତ ସରକାରଙ୍କ ୧୨ତମ ମୁଖ୍ୟ ଆର୍ଥିକ ପରାମର୍ଶଦାତା (CEA) ଭାବେ କାର୍ଯ୍ୟ କରିସାରିଛନ୍ତି । ୨୦୦୨ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ଏହି ଦାୟିତ୍ୱ ପାଇଥିଲେ ଏବଂ ମନମୋହନ ସିଂହଙ୍କ ସରକାର ସମୟରେ ମଧ୍ୟ ୨୦୦୭ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ସେ କଲିକତାର ପ୍ରସିଦ୍ଧ ପ୍ରେସିଡେନ୍ସି ୟୁନିଭର୍ସିଟିରୁ ଶିକ୍ଷା ଗ୍ରହଣ କରିଛନ୍ତି । ଏହାସହ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସ, ଏସୀୟ ବିକାଶ ବ୍ୟାଙ୍କ (ADB), ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ୍ (IMF) ଭଳି ସଂସ୍ଥାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ସେ ବନ୍ଧନ ବ୍ୟାଙ୍କର ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି ।
ପଶ୍ଚିମବଙ୍ଗରେ ବର୍ତ୍ତମାନ ବିଜେପି ଏବଂ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ କଡ଼ା ଟକ୍କର ଚାଲିଛି । ଲାହିଡ଼ି ବର୍ତ୍ତମାନ ବିଜେପି ବିଧାୟକ ଅଛନ୍ତି, କିନ୍ତୁ ଏଥର ସେ ନିର୍ବାଚନ ଲଢ଼ୁନାହାନ୍ତି । ଏଭଳି ସମୟରେ ତାଙ୍କୁ ଜାତୀୟ ସ୍ତରର ଏକ ବଡ଼ ଦାୟିତ୍ୱ ଦେଇ କେନ୍ଦ୍ର ସରକାର ବଙ୍ଗୀୟ ଭୋଟରଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି । ଲାହିଡ଼ିଙ୍କ ସହ ଜଣେ ବିଶିଷ୍ଟ ବୈଜ୍ଞାନିକ ଗୋବର୍ଦ୍ଧନ ଦାସଙ୍କୁ ମଧ୍ୟ ନୀତି ଆୟୋଗର ସଦସ୍ୟ କରାଯାଇପାରେ । ଶ୍ରୀ ଦାସ ପୂର୍ବରୁ ଜେଏନୟୁରେ ଇମ୍ୟୁନୋଲୋଜି କ୍ଷେତ୍ରରେ କାମ କରିଛନ୍ତି ଏବଂ IISER ଭୋପାଳର ନିର୍ଦ୍ଦେଶକ ରହିଛନ୍ତି । ସେ ମଧ୍ୟ ବିଜେପି ସହ ଜଡ଼ିତ ଏବଂ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ନୀତି ଆୟୋଗକୁ ଅଧିକ ସଶକ୍ତ କରିବା ସହ ପଶ୍ଚିମବଙ୍ଗର ପ୍ରତିଭାକୁ ଜାତୀୟ ସ୍ତରରେ ଗୁରୁତ୍ୱ ଦେଉଥିବା ଦର୍ଶାଉଛି । ଏହା ଆଗାମୀ ଦିନରେ ଦେଶର ଆର୍ଥିକ ନୀତି ନିର୍ଦ୍ଧାରଣରେ ବଡ଼ ଭୂମିକା ଗ୍ରହଣ କରିବ ।
ଆହୁରି ପଢ଼ନ୍ତୁ... ସୋମବାର ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି: ଦୁଇ ଗୁଣା ହେବ ଦ୍ବିପାକ୍ଷିକ କାରବାର