ଭୁବନେଶ୍ୱର, ୩୧/୦୫: ଖଣି ବ୍ୟବସାୟୀଙ୍କୁ  ବ୍ଲାକ୍‌ମେଲ୍‌ କରି ଦେଢ଼ କୋଟି ଟଙ୍କା ମାଗୁଥିଲେ ।  ୧ କୋଟି ଟଙ୍କା ନେଇଥିଲେ । ବାକି ୫୦ ଲକ୍ଷ  ମାଗୁଥିଲେ । ଦଲାଲଙ୍କ ମାଧ୍ୟମରେ ୨୦ ଲକ୍ଷ ଟଙ୍କା ନେଉଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି  ଡାଇରେକ୍ଟର(ଡିଡି) ଚିନ୍ତନ ରଘୁବଂଶୀ । ଦଲାଲ  ଜଗତସିଂହପୁରର ଭକ୍ତି ବିନୋଦ ବେହେରା ସହ  ଶ୍ରୀ ରଘୁବଂଶୀଙ୍କୁ ଗୁରୁବାର ସିବିଆଇ ଗିରଫ କରିଥିଲା ।  ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।  ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର  ବିଭାଗୀୟ ହାଜତ (ଝାରପଡା ଜେଲ୍‌)କୁ ପଠାଇ ଦିଆଯାଇଛି । ଶ୍ରୀ ରଘୁବଂଶୀ ଜେଲ୍‌ର ୧୧ ନମ୍ବର  ସେଲ୍‌ରେ ଅଛନ୍ତି । 

୨୦୧୩ ବ୍ୟାଚ୍‌ର ଆଇଆରଏସ୍‌ ଅଧିକାରୀ ହେଉଛନ୍ତି ଶ୍ରୀ ରଘୁବଂଶୀ । ସେ ଭୁବନେଶ୍ୱର ଇଡି  କାର୍ଯ୍ୟାଳୟର ଡିଡି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର  ବଳଦି ହୋଇ ସାରିଥିଲା । ହେଲେ ଭୁବନେଶ୍ୱର  ଅଫିସ୍‌ରେ ଆଉ ୧ ବର୍ଷ ରହିବା ପାଇଁ ବରିଷ୍ଠ  ଅଧିକାରୀମାନଙ୍କୁ ଧରାଧରି କରି ଏଠାରେ ରହିଥିଲେ ।  ଖଣି ଦୁର୍ନୀତି ନେଇ କିଛି ବର୍ଷ ତଳେ ଢେଙ୍କାନାଳର  ରତିକାନ୍ତ ରାଉତ ଓରଫ ଜୁଲୁଙ୍କ ଘର, ଅଫିସ୍‌, କୋଲକାତାରେ ଥିବା ହସ୍ପିଟାଲ୍‌ରେ ଇଡି ଚଢ଼ଉ  କରିଥିଲା । ପରେ ଜୁଲୁ ଓ ତାଙ୍କ ସହଯୋଗୀଙ୍କର  କୋଟି କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା ।   

ଶ୍ରୀ ରଘୁବଂଶୀ ଗତ କିଛି ମାସ ହେବ ଜୁଲୁଙ୍କୁ  ଗିରଫ କରିବାକୁ ଧମକ ଦେଉଥିଲେ । ଗିରଫରୁ  ବର୍ତ୍ତିବା ପାଇଁ ୨ କୋଟି ଟଙ୍କା ମାଗିଥିଲେ । ଟଙ୍କା ଭକ୍ତି  ମାଧ୍ୟମରେ ନେବାକୁ କହିଥିଲେ । ବିଭିନ୍ନ ପର୍ଯ୍ୟାୟରେ  ଜୁଲୁ ୧ କୋଟି ଟଙ୍କା ଦେଇଥିଲେ । ବାକି ୫୦ ଲକ୍ଷ  ଟଙ୍କା ଜୁନ୍‌ ୫ ତାରିଖ ସୁଧା ଦେବାକୁ କହିଥିଲେ । ୧୦ ତାରିଖ ମଧ୍ୟରେ ଟଙ୍କା ନ ଦେଲେ ଗିରଫ କରି  ଜେଲ୍‌ ପଠାଇ ଦେବେ ବୋଲି ରଘୁବଂଶୀ ଧମକ ଦେଇଥିଲେ । ତେବେ ଜୁଲୁ ଆଉ କିଛି ଉପାୟ ନ  ପାଇ ଭୁବନେଶ୍ୱର ସିବିଆଇ ଏସ୍‌ପି ରାଜ ସିଂହଙ୍କୁ  ଭେଟି ଅଭିଯୋଗ କରିଥିଲେ ।   

ଟଙ୍କା ଆଦାୟ କରିବା କାମ ଦଲାଲ୍‌ ଭକ୍ତିଙ୍କ ଉପରେ ଛାଡିଥିଲେ ଶ୍ରୀ ରଘୁବଂଶୀ । ହେଲେ ଭକ୍ତି  ନିଜକୁ ଇଡିର ଅଧିକାରୀ ବୋଲି ଭାବି ଦେଇଥିଲା।  ଜୁଲୁଙ୍କୁ ଫୋନ୍‌ କରି ଧମକ ମଧ୍ୟ ଦେଉଥିଲା । ଜୁଲୁ  ଏସବୁର ପ୍ରମାଣ ସିବିଆଇ ଅଧିକାରୀଙ୍କୁ ଦେଇଥିଲେ ।  ସିବିଆଇ ଗତ ୨୫ ତାରିଖରେ ମାମଲା ରୁଜୁ କରିଥିଲା ।  ଗତକାଲି ଭକ୍ତି ଜଣେ ବିଧାୟକଙ୍କ ପିଏଙ୍କ ମାଧ୍ୟମରେ  ଜୁଲୁଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ନେଇ ଶ୍ରୀ ରଘୁବଂଶୀଙ୍କ  ପାଖକୁ ଯାଉଥିଲାବେଳେ ସିବିଆଇ ଭକ୍ତିକୁ ଗିରଫ  କରିଥିଲା । ତେବେ ଘଟଣାସ୍ଥଳରୁ ବିଧାୟକଙ୍କ ପିଏ  ଖସି ପଳାଇଥିଲେ । 

ଭକ୍ତି ଗିରଫ ହେବା ପରେ ସିବିଆଇ  ଅଧିକାରୀମାନେ ଶ୍ରୀ ରଘୁବଂଶୀଙ୍କୁ ଧରିଥିଲେ ।  ଇଡି କାର୍ଯ୍ୟାଳୟରେ ଚଢ଼ଉ କରି ଜୁଲୁଙ୍କ ଖଣି ମାମଲାର ଫାଇଲ୍‌ ଆଣିଥିଲେ । ରାତି ସାରା ଶ୍ରୀ  ରଘୁବଂଶୀ ଓ ଦଲାଲ୍‌  ଭକ୍ତିକୁ ଜେରା କରିଥିଲା  ସିବିଆଇ । ଶନିବାର  ଅପରାହ୍ଣରେ ଉଭୟଙ୍କ  ଡାକ୍ତରୀ ମାଇନା ପାଇଁ  ହସ୍ପିଟାଲ୍‌ ନିଆଯାଇଥିଲା ।  ତା’ପରେ କୋର୍ଟ ଚାଲାଣ କରାଯାଇଥିଲା । ଭକ୍ତି  ଗିରଫ ହେବା ପରେ ସିବିଆଇ ଅଧିକାରୀମାନେ ବହୁ  ବିସ୍ଫୋରକ ତଥ୍ୟ ପାଇଛନ୍ତି । ଭକ୍ତି ନିଜକୁ ୟୁପିଏସ୍‌ସି  ଆଶାୟୀ ବୋଲି ପରିଚୟ ଦେଉଥିଲା । ଅନେକ ଆଇପିଏସ୍‌, ଆଇଆରଏସ୍‌, ଆୟକର ବିଭାଗର  ଅଧିକାରୀଙ୍କ ସହ ଭକ୍ତିର ଟଙ୍କା ନେଣ ଦେଣ ଥିବା  ପ୍ରମାଣ ମିଳିଛି । କିଛି ଅଫିସରଙ୍କ ସହ ଆଲୋଚନା  ଅଡିଓ ପାଇଛି ସିବିଆଇ । ଘଟଣାର ଅଧିକ ତଦନ୍ତ  ପାଇଁ ଭକ୍ତିକୁ ସିବିଆଇ ରିମାଣ୍ଡରେ ଆଣିବ ବୋଲି  ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।