ନୂଆଦିଲ୍ଲୀ –ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ଼ କାର୍ଯ୍ୟାନୁଷ୍ଠାନ। ଫେରାର ଅଭିଯୁକ୍ତଙ୍କ ୨୧ କୋଟି ଟଙ୍କାରୁ ଅଧିକ ସଂପତ୍ତିକୁ କରିଛି ଜବତ। ଧନ ଶୋଧନ ନିବାରଣ ଅଧିନିୟମ ଅଧୀନରେ ଜାରି ଏହି ନିର୍ଦ୍ଦେଶରେ ଦୁବାଇ ଓ ଭିଲାଇ ସ୍ଥିତ ସଂପତ୍ତିକୁ ଟାର୍ଗେଟ୍ କରାଯାଇଛି। ଉକ୍ତ ମାମଲାରେ ଛତିଶଗଡ଼ର ଅନେକ ବଡ଼ ବଡ଼ ରାଜନୀତିକ ନେତା ଓ ଅମଲା ଜଡ଼ିତ ଥିବାର ଜଣାପଡ଼ିଛି।

୨୧ କୋଟି ଟଙ୍କାର ସଂପତ୍ତି ଜବତ : 

ଇଡି ବୁଧବାର କହିଛି ଯେ, ସେ ଅବୈଧ ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ ଫେରାର ପ୍ରମୁଖ ପ୍ରବର୍ତ୍ତକଙ୍କ ମଧ୍ୟରେ ସାମିଲ ରବି ଉପ୍ପଲଙ୍କ ସମେତ ବିଭିନ୍ନ ଅଭିଯୁକ୍ତଙ୍କର ପାଖାପାଖି ୨୧ କୋଟି ଟଙ୍କାର ସଂପତ୍ତି ଜବତ କରିଛି। ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁସାରେ , ୧୦ଜାନୁଆରୀରେ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରାଯାଇଛି।

ଗତ ସପ୍ତାହରେ ଦେଇଥିଲା ନିର୍ଦ୍ଦେଶ –

ଇଡି ଗତ ସପ୍ତାହରେ ଏହିପରି ଏକ ନିର୍ଦ୍ଦେଶ ଜାରି କରି ମହାଦେବ ଅନଲାଇନ୍ ବୁକ୍ (ଏମଓବି)ନାମର ଆପ୍ର ଏକ ଅନ୍ୟ କଥିତ ମୁଖ୍ୟ ପ୍ରବର୍ତ୍ତକ ସୌରଭ ଚନ୍ଦ୍ରାକର ଓ ଆଉ କିଛି ଲୋକଙ୍କ ସଂପତ୍ତିକୁ ଜବତ କରିବାର ନିର୍ଦ୍ଦେଶ ଦେଇ ଥିଲା।

ଦୁବାଇରେ ୬.୭୫ କୋଟି ଟଙ୍କାର ସଂପତ୍ତି ଜବତ -

ଇଡି ଏକ ବୟାନରେ କହିଛି ଯେ, ନୂତନ ନିର୍ଦ୍ଦେଶ ଅନୁସାରେ, ଦୁବାଇର ଏଟ୍ରିଆ ରା ରେ ଥିବା ଉପ୍ପଲଙ୍କର ୬.୭୫ କୋଟି ଟଙ୍କାର ସଂପତ୍ତି କୁର୍କ କରି ନିଆଯାଇଛି। ଆଉ ଯେଉଁ ଅନ୍ୟ ଲୋକଙ୍କ ଉପରେ ଏହିପରି କାର୍ଯ୍ୟାନୁଷ୍ଠାନ କରାଯାଇଛି , ଏଥିରେ ଚନ୍ଦ୍ରାକରଙ୍କର କଥିତ ନିକଟତମ ସହଯୋଗୀ ରଜତ କୁମାର ସିଂହ ମଧ୍ୟ ସାମିଲ ଅଛନ୍ତି।

ଏମାନଙ୍କର ସଂପତ୍ତି ମଧ୍ୟ ଜବତ -

ଇଡି ଏହା ମଧ୍ୟ କହିଛି ଯେ, ଭାରତରେ ରହୁଥିବା ସୌରଭ ଆହୁଜା ଓ ବିଶାଳ ରମାନୀ , ବିନୟ କୁମାର , ହନି ସିଂହ, ଲକି ଗୋୟଲ ଓ ରାଜା ଗୁପ୍ତାଙ୍କ ସଂପତ୍ତିକୁ ମଧ୍ୟ ଜବତ କରି ନିଆ ଯାଇଛି।

ଭିଲାଇରେ ମଧ୍ୟ ଆକ୍ସନ –

ଇଡି କହିଛି ଯେ, ଭିଲାଇ (ଛତିଶଗଡ଼) ଓ ଦୁବାଇ ସ୍ଥିତ ସଂପତ୍ତିକୁ ଫ୍ରିଜ୍ କରାଯାଇଛି। ଜବତ କରାଯାଇ ଥିବା ସଂପତ୍ତିର ମୋଟ ମୂଲ୍ୟ ୨୧.୪୫ କୋଟି ଟଙ୍କା । ଚନ୍ଦ୍ରାକରଙ୍କର ଶେଷ ଜ୍ଞାତ ଠିକଣା ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ)ରେ ଥିବା କୁହାଯାଉଛି। ଅନ୍ୟପଟେ ଉପ୍ପଲ ୟୁଏଇରୁ ପଳାଇ ଭାନୁଆଟି ଫେରାର ହୋଇଥିବା କୁହାଯାଉଛି। ଭାରତ ସରକାର ତାଙ୍କର ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରୁଛନ୍ତି।