ନୂଆଦିଲ୍ଲୀ, ୨।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପରିବେଶ ଗରମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା I-PAC (ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି) ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି । ଦେଶର ତିନୋଟି ପ୍ରମୁଖ ସହର— ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଥିବା I-PAC କାର୍ଯ୍ୟାଳୟରେ ଏହି ଖୋଳତାଡ଼ ଜାରି ରହିଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବହୁଚର୍ଚ୍ଚିତ କୋଇଲା ଚୋରା ଚାଲାଣ ମାମଲାର ଯାଞ୍ଚ ପାଇଁ ଇଡି ଏହି ପଦକ୍ଷେପ ନେଇଛି । ବେଙ୍ଗାଲୁରୁରେ I-PAC ର ନିର୍ଦ୍ଦେଶକ ଋଷିକାନ୍ତ ସିଂଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଉଛି । ଏହି ସଂସ୍ଥା ମାଧ୍ୟମରେ କୌଣସି ଆର୍ଥିକ ହେରଫେର ହୋଇଛି କି ନାହିଁ, ସେନେଇ ଇଡି ଅଧିକାରୀମାନେ ତଥ୍ୟ ସଂଗ୍ରହ କରୁଛନ୍ତି ।
ଏହା ବି ପଢ଼ନ୍ତୁ... ‘ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର...' SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା
ପୂର୍ବରୁ ମଧ୍ୟ ହୋଇଥିଲା ରାଜନୈତିକ ହଙ୍ଗାମା:
ଏହା ପୂର୍ବରୁ ଜାନୁଆରୀ ୨୦୨୬ରେ କୋଲକାତା ସ୍ଥିତ I-PAC କାର୍ଯ୍ୟାଳୟରେ ଯେତେବେଳେ ଇଡି ଚଢ଼ାଉ କରିଥିଲା, ସେତେବେଳେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସେଠାରେ ପହଞ୍ଚି ଯାଇଥିଲେ । କୁହାଯାଉଛି ଯେ, ସେହି ସମୟରେ ମମତା ଇଡି ଅଧିକାରୀଙ୍କ ହାତରୁ ଏକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ମଧ୍ୟ ଛଡ଼ାଇ ନେଇଥିଲେ, ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତିକ୍ତତା ବଢ଼ିଥିଲା ।
କହିରଖୁଛୁ ଯେ, ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରସିଦ୍ଧ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର I-PAC ପ୍ରତିଷ୍ଠା କରିଥିଲେ । ଏହି ସଂସ୍ଥା ବିଭିନ୍ନ ରାଜନୈତିକ ଦଳ ପାଇଁ ନିର୍ବାଚନ ପରିଚାଳନା, ପ୍ରଚାର ଏବଂ ରଣନୀତି ପ୍ରସ୍ତୁତ କରେ । ପ୍ରଶାନ୍ତ କିଶୋର ୨୦୨୧ରୁ ଏହି ସଂସ୍ଥାରୁ ଅଲଗା ହେବା ପରେ ଏବେ ଏହାର ଦାୟିତ୍ୱ ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ହାତରେ ରହିଛି । ସେ IIT ବମ୍ବେରୁ ଶିକ୍ଷାଗ୍ରହଣ କରିଛନ୍ତି । ବର୍ତ୍ତମାନ ଏହି ସଂସ୍ଥା ପଶ୍ଚିମବଙ୍ଗରେ ଟିଏମ୍ସ ଏବଂ ତାମିଲନାଡ଼ୁରେ ମଧ୍ୟ ନିର୍ବାଚନୀ କାର୍ଯ୍ୟ କରୁଛି । ନିର୍ବାଚନ ମାହୋଲ ମଧ୍ୟରେ ଏହି ଚଢ଼ାଉ ପଶ୍ଚିମବଙ୍ଗ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଏହି ଚଢ଼ାଉରୁ କ’ଣ ସବୁ ପ୍ରମାଣ ମିଳିଛି, ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।