ବ୍ରହ୍ମପୁର, ୨୯।୫ (ବ୍ୟୁରୋ): ବ୍ରହ୍ମପୁର ଭାବିନିପୁର ମୁଖ୍ୟ ରାସ୍ତାରେ ଥିବା ବ୍ୟବସାୟୀ ମନୋରଞ୍ଜନ ପଣ୍ଡାଙ୍କ ଘରେ ଚଢାଉ କରିଛିପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ସାତ ଜଣିଆ ଟିମ୍ ଗୁରୁବାର ସକାଳ ୭ଟାରେ ଆସି ମନୋରଞ୍ଜନଙ୍କ ଘରେ ଛାନ୍ଭିନ୍ କରୁଛନ୍ତି। ବହୁ ଗୁରୁତ୍ଵପୂର୍ଣ କାଗଜପତ୍ର ସହ ନଗଦ ଟଙ୍କା ମିଳିଥିବା ସୂଚନା ମିଳୁଛି । ଇଡି ଟିମ୍ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରିବାକୁ ମନା କରିଦେଇଛି।
ମନୋରଞ୍ଜନଙ୍କ ଘର ବେଲଗୁଣ୍ଠାରେ ହୋଇଥିବା ବେଳେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ । ତାଙ୍କ ସ୍ତ୍ରୀ ଜଣେ ବ୍ୟାଙ୍କ୍ କର୍ମଚାରୀ। ମନୋରଞ୍ଜନ ପୂର୍ବରୁ କିଛି ଫାଇନାନ୍ସ କମ୍ପାନୀ ଲିଙ୍କରେ ଥିଲେ । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଆସି ଏଠାରେ ମହାଜନୀ କାରବାର କରିବା ପୂଟ୍ ବ୍ୟବସାୟ କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ସେ ସିମେଣ୍ଟ ବ୍ୟବସାୟ ମଧ୍ୟ କରୁଥିବା ଜଣାପଡିଛି । ବ୍ରହ୍ମପୁର ସହରରେ ତାଙ୍କର ଏକାଧିକ ପ୍ଲଟ୍ ଓ ଘର ରହିଥିବା ବେଳେ ତାହା ଖୋଳତାଡ଼ କରୁଛି ଇଡି । ସେ କେଉଁମାନଙ୍କ ସହ ଲିଙ୍କ ରେ ଅଛନ୍ତି ଏବଂ ତାଙ୍କର ସମ୍ପତ୍ତି କେତେ ରହିଛି ହିସାବ ଚାଲିଥିବା ଜଣାପଡିଛି। ବ୍ୟାଙ୍କରେ ଚାକିରି କରୁଥିବା ତାଙ୍କ ସ୍ତ୍ରୀଙ୍କୁ ମଧ୍ୟଇଡି ପଚରାଉଚରା କରିଥିବା ସୂଚନା ମିଳିଛି । ମନୋରଞ୍ଜନଙ୍କ କେତୋଟି ବ୍ୟବସାୟୀକ ପ୍ରତିଷ୍ଠାନ ଅଛି, କେଉଁ କେଉଁ ଜାଗାରେ ପ୍ଳଟ ଓ ଘର ଅଛି ତାହାର ଅନୁସନ୍ଧାନ ଚାଲିଛି । ଗୋଟିଏ ଟିମ୍ ବ୍ରହ୍ମପୁରରେ ଚଢ଼ଉ ଜାରି ରଖିଥିବା ବେଳେ ଆଉ ଗୋଟିଏ ଟିମ୍ ବେଲଗୁଣ୍ଠାରେ ଚଢାଉ କରିଥିବା ଜଣାପଡିଛି।