ଛତିଶଗଡ ମଦ ଘୋଟାଲାରେ ଇଡିର କାର୍ଯ୍ୟାନୁଷ୍ଠାନ, ଆଇଏଏସ୍ ଅଧିକାରୀ ଏବଂ ରାୟପୁର ମେୟରଙ୍କ ଭାଇଙ୍କ ୧୨୧ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ ୨୨/୫: ଛତିଶଗଡ ମଦ ଘୋଟାଲାରେ ଇଡି ସୋମବାର ୧୨୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏଥିରେ ଛତିଶଗଡ ଆଇଏଏସ୍ ଅଧିକାରୀ ଅନିଲ୍ ଟୁଟେଜା, ରାୟପୁରର ମେୟରଙ୍କ ଭାଇ ଅନୱର ଢେବର ଏବଂ ଅନ୍ୟମାନଙ୍କ ସମ୍ପତ୍ତି ସାମିଲ । କହିରଖୁଛୁ ଇଡି ଅଭିଯୋଗ ଲଗାଇଛି କି ଛତିଶଗଡରେ ବିକ୍ରି କରାଯାଇଥିବା ପ୍ରତି ବୋତଲରେ ଅବୈଧ ରୂପେ ଧନ ଏକତ୍ରିତ କରାଯାଇଛି ।
ଛତିଶଗଡରେ ମେ ୬ରେ ମଦ ଘୋଟାଲାରେ ବ୍ୟବସାୟୀ ଅନୱର ଢେବରଙ୍କୁ ଗିରଫ କରିବା ପରେ ଇଡି କୋର୍ଟରେ ରିମାଣ୍ଡ ପେପରରେ ଦାବି କରିଥିଲା କି ଛତିଶଗଡର ୮୦୦ ସରକାରୀ ଦୋକାନରେ ୩୦ରୁ ୪୦ ପ୍ରତିଶତ ଅବୈଧ ଦେଶୀ ମଦ ବିକ୍ରି କରାଯାଇଛି । ଏହା ଏକ ସିଣ୍ଡିକେଟ୍ ଥିଲା ଯାହାକୁ ଅନୱର ଢେବର ଏବଂ ଆଇଏଏସ୍ ଅଧିକାରୀ ଅନିଲ୍ ଟୁଟେଜା ଭଳି ଲୋକ ଚଲାଉଥିଲେ । ଏହି ସିଣ୍ଡିକେଟ ୩ ବର୍ଷରେ ରାଜ୍ୟକୁ ୨ ହଜାର କୋଟି ଟଙ୍କାର ଚୁନ ଲଗେଇଥିଲା ।
କୋର୍ଟ ମେ ୧୯ରେ ଅନବର ଢେବର ଏବଂ ନୀତେଶ ପୁରୋହିତଙ୍କୁ ୧୪ ଦିନର ଜୁଡିସିଆଲ୍ କଷ୍ଟୋଡିକୁ ପଠାଇଦେଇଛନ୍ତି । ଅବକାରୀ ବିଭାଗର ବିଶେଷ ସଚିବ ଅରୁଣପତି ତ୍ରିପାଠୀ ଏବଂ ତ୍ରିଲୋକ ସିଂହ ଢିଲ୍ଲୋ ଓରଫ ପପୁର ଇଡି ହେପାଜତକୁ ମେ ୨୩ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଇଡି ଏହି ମାମଲାରେ ସର୍ବପ୍ରଥମେ ମେ ୬ରେ ରାୟପୁରର ମେୟର ଏବଂ କଂଗ୍ରେସ ନେତା ଏଜାଜ ଢେବରଙ୍କ ବଡ ଭାଇ ଅନବରଙ୍କୁ ଗିରଫ କରିଥିଲା । ଏହା ପରେ ରାୟପୁର ସ୍ଥିତ ଗିରିରାଜ ହୋଟେଲର ପ୍ରମୋଟର ପୁରୋହିତ ଏବଂ ମଦ ବ୍ୟବସାୟୀ ତ୍ରିଲୋକ ସିଂହ ଢିଲ୍ଲୋଙ୍କୁ ଗିରଫ କରାଯାଇଥିଲା । ଅରୁଣପତି ତ୍ରିପାଠୀଙ୍କୁ ଯାଞ୍ଚ ଏଜେନ୍ସି ମେ ୧୨ରେ ଗିରଫ କରିଥିଲା ।